ବରଗଡ଼ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ବରଗଡ଼: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ ମାନ୍ୟବର ଜିଲ୍ଲା ପ୍ରଭାରି ତଥା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶକ୍ତିନଗର କଲ୍ୟାଣ ମଣ୍ଡପ ଠାରେ ବିଭିନ୍ନ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଓ ଉଲ୍ଲେଖନୀୟ ସଫଳତା ସମ୍ପର୍କିତ ତଥ୍ୟ ପ୍ରଦର୍ଶିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ସେଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଏଥି ସହିତ ବୃଦ୍ଧ, ତୃତୀୟ ଲିଙ୍ଗୀ, ନିଶାସକ୍ତ ଏବଂ ନିରାଶ୍ରୟ ବ୍ୟକ୍ତିମାନଙ୍କର ପୁନର୍ବାସ ଓ ଯତ୍ନ ସହ ସମନ୍ୱିତ ସୁବିଧାର ବରଗଡ଼ ବ୍ଲକ ଅନ୍ତର୍ଗତ ବୋର୍ଡଲ ଗ୍ରାମର ତେତେର୍ଲା ମୌଜାର ୧୫.୪୪ ଏକର ପରିମିତ ଜମିରେ ସମୁଦାୟ ୭୩,୮୨,୧୫,୬୬୪/- ବ୍ୟୟ ଅଟକଳ ମୂଲ୍ୟର ନିର୍ମାଣଧୀନ ୬୦୦ ଜଣ ହିତାଧିକାରୀଙ୍କ ଆବାସିକ ବ୍ୟବସ୍ଥା ବିଶିଷ୍ଟ ସମନ୍ୱିତ ଭିତ୍ତିଭୂମି ପରିସର (Integrated Infrastructure Complex – IIC)କୁ ପରିଦର୍ଶନ କରିବା ସହ କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଗୁଣାତ୍ମକ କାର୍ଯ୍ୟ ସହ ସମାପ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ମାନ୍ୟବର ଭଟଲି ବିଧାୟକ ଇରାଷିସ ଆଚାର୍ଯ୍ୟ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ, ସାଂସଦଙ୍କ ପ୍ରତିନିଧି ଲିପ୍ସିତ୍ ମିଶ୍ର, ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ ଲୁହା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡ. ମହାଲିଙ୍ଗ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ବରଗଡ଼ର ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ କରିବା ପାଇଁ ଧନୁଯାତ୍ରାର ଭବ୍ୟ ଆୟୋଜନ ଠାରୁ ଆରମ୍ଭ କରି ଧନୁଯାତ୍ରାର ସ୍ଥାୟୀ ରଙ୍ଗମହଲ ନିର୍ମାଣ, ନୃସିଂହନାଥ ମେଳା, ଶୀତଳ ଷଷ୍ଠୀ ଓ ଭେଡ଼େନ ରାମଳୀଳା ପାଇଁ ବର୍ଦ୍ଧିତ ଅନୁଦାନ, ବରିଷ୍ଠ କଳାକାରଙ୍କୁ ମାସିକ ଭତ୍ତା ପ୍ରଦାନ, ବୁଣାକାରମାନଙ୍କ ପାଇଁ ବେହେରା-ବାଲିଜୁରୀ ବୁଣାକାର ହାଟର ବିକାଶ ନିମନ୍ତେ ୨୭ କୋଟି ୫୭ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ସହ ହଜାର ହଜାର ବୁଣାକାରଙ୍କୁ ଆର୍ଥିକ ସହାୟତା ଓ ପ୍ରଶିକ୍ଷଣ ପ୍ରଦାନ, କୃଷି ଓ କୃଷକ କଲ୍ୟାଣ ତଥା ଲକ୍ଷାଧିକ ଚାଷୀଙ୍କୁ ‘ସିଏମ୍-କିଷାନ’ ପିଏମ କିଷାନ ଯୋଜନାରେ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ, ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ ଓ ମଣ୍ଡିଗୁଡ଼ିକରେ ଭିତ୍ତିଭୂମିର ଉନ୍ନତିକରଣ, ମହିଳା ସଶକ୍ତିକରଣ ଦିଗରେ ‘ସୁଭଦ୍ରା ଓ ‘ଲକ୍ଷପତି ଦିଦି’ ଯୋଜନାରେ ଉପଲବ୍ଧି ବିଷୟରେ କହିଥିଲେ।ଏତଦ୍ବ୍ୟତୀତ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉର୍ଣ୍ଣତି, ମେଡିକାଲ ଓ ପାରାମେଡିକାଲ ଷ୍ଟାଫ ଚୟନ ପ୍ରକିୟା, ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ରେ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ, ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ବସୁଧା ଯୋଜନାରେ ହଜାର ହଜାର ନଳକୂପ ସ୍ଥାପନ ପରି ବିଭିନ୍ନ ବିଷୟରେ ଉପସ୍ଥାପନ କରିଥିଲେ।


ଏଥିସହ ମାନ୍ୟବର ମନ୍ତ୍ରୀ ଡ. ମହାଲିଙ୍ଗ ନିଜ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲା ଆଜି ପ୍ରଗତିର ନୂତନ ଶିଖର ଛୁଇଁଛି। ସରକାର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ, କୃଷି, ଗ୍ରାମ୍ୟ ବିକାଶ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଆଗାମୀ ଦିନରେ ମଧ୍ୟ ସମାବେଶୀ ବିକାଶ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବା ସହ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଲୋକଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ । ଆଜି ଆରମ୍ଭ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଦେଖିବା ସହ ଏଠାରେ ଉପଲବ୍ଧ ବିଭିନ୍ନ ସାମଗ୍ରୀ କିଣିବା ଏବଂ ଖାନାପିନାର ମଜା ନେବାପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍ ଆଗ୍ରହ ପରିଲକ୍ଷିତ ହୋଇଥିଲା ଏଥି ସହ ଜିନ ସହରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାର ସୁଯୋଗ ମିଳିଥିଲା।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
