ଜିଲ୍ଲା ପ୍ରଶାସନ ପକ୍ଷରୁ ସଠିକ୍ ସ୍ଵତନ୍ତ୍ର ସଘନ ସଂଶୋଧନ ( SIR ) ୨୦୨୬ ପାଇଁ ସଚେତନତା ପଦଯାତ୍ରା
ନୟାଗଡ଼ : ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୩ ତାରିଖ ସକାଳ ଘ.୭: ୩୦ମି. ସମୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଉପରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ପଦଯାତ୍ରାଟି ନୟାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଜିଲ୍ଲାପାଳ ମଧୁମିତା ରଥ ପତାକା ଦେଖାଇ ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର,ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ,ଡେପୁଟି କଲେକ୍ଟର (ନିର୍ବାଚନ) ଶିବାନୀ ରାଉତ, ଡେପୁଟୀ କଲେକ୍ଟର ଶ୍ରୀ ସନ୍ତୋଷ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁ, ସହକାରୀ କଲେକ୍ଟର ଶ୍ରୀ ଅକ୍ଷୟ କୁମାର ବେହେରା, ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏହି ସଚେତନତା ପଦଯାତ୍ରାରେ ଯୋଗଦେଇ ସଫଳ କରିଥିଲେ ।

ପ୍ରକାଶ ଥାଉକି ଜିଲ୍ଲା ପ୍ରଶାସନ, ଜିଲ୍ଲା କାର୍ଯ୍ୟାଳୟ ଠାରେ ହେଉ ବା ବ୍ଲକ କାର୍ଯ୍ୟାଳୟ ନିକଟରେ ହେଉ ଦାସକାଠିଆ ବା ପଦଯାତ୍ରା କରି ସ୍ଵତନ୍ତ୍ର ସଘନ ସଂଶୋଧନ ( SIR ) ର ବାର୍ତ୍ତା ପହଞ୍ଚାଇବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ ଗ୍ରାମାଞ୍ଚଳର ଲୋକମାନେ ଅଧିକାଂଶ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବିଷୟରେ ଜାଣିପାରି ନାହାନ୍ତି । ଗ୍ରାମାଞ୍ଚଳରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଏକ ରଥ ପ୍ରଚାର ପ୍ରସାର ନିମନ୍ତେ ନିହାତି ବୁଲିବା ଆବଶ୍ୟକ । ମାସେ କାଳ କାର୍ଯ୍ୟକ୍ରମ ଚାଲୁ ରହି ଥିବାବେଳେ ପ୍ରଚାର ପ୍ରସାର ଅଭାବରୁ ଅତୀତରେ ଓ ବିଏଲ୍ଓ ମାନେ ଆକ୍ରମଣର ଶୀକାର ହେବା ଓ ବର୍ତ୍ତମାନ ମଧ୍ୟ ବିଏଲ୍ଓ ମାନେ ଘରକୁ ଘର ବୁଲିଲା ବେଳେ ବିଭିନ୍ନ ପ୍ରଶ୍ନ ବାଣର ସମ୍ମୁଖୀନ ହେଉଛନ୍ତି ଓ ହଇରାଣ ହେଉଛନ୍ତି । ଏହି ମହତ କାର୍ଯ୍ୟକ୍ରମ ଦାୟୀତ୍ୱରେ ଥିବା ଅଧିକାରୀ ଏଥି ପ୍ରତି ଦୃଷ୍ଟିଦେବା ଅତ୍ୟନ୍ତ ଜରୁରୀ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
