ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦ
୩୦ ତାରିଖ ଦଶପଲ୍ଲା ବନ୍ଦକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସମର୍ଥନ
ନୟାଗଡ଼,: ନୟାଗଡ ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ଏବଂ ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ପ୍ରତିବାଦରେ ଆସନ୍ତା ୩୦ ତାରିଖ ଦିନ ‘ଦଶପଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ଦିଆଯାଇଥିବା ଦଶପଲ୍ଲା ବନ୍ଦ ଡାକରାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହା ସହିତ ଏହି ଆନ୍ଦୋଳନକୁ ବ୍ୟାପକ ଓ ସଫଳ କରିବା ପାଇଁ ଦଶପଲ୍ଲା ଅଞ୍ଚଳର ସମସ୍ତ ଉପଭୋକ୍ତା ସଂଗଠନ ଏଥିରେ ସାମିଲ ହେବାକୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ଯେ, ବିଦ୍ୟୁତ ସେବାରେ ଚରମ ଅବହେଳା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଜୁଲାଇ ମାସ ଶେଷ ସପ୍ତାହରେ ଏକ ବଡ଼ଧରଣର ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଛି। ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ଏବଂ ବିଭିନ୍ନ ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ସଂଗଠନର ପ୍ରତିନିଧିମାନଙ୍କୁ ଏକାଠି କରି ‘ନୟାଗଡ଼ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ମହାସଂଘ’ ଏବଂ ‘ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ’ର ମିଳିତ ଉଦ୍ୟମରେ ନୟାଗଡ଼ କଚେରୀ ବଜାରସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଧାରଣା ଦିଆଯିବ।
ଯଦି ଏହା ପରେ ମଧ୍ୟ ଜିଲ୍ଲାର ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ସୁଧାର ନ ଆସେ, ତେବେ ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯାଇ ବ୍ୟାପକ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
