ଲଗୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ସୁବର୍ଣ୍ଣପୁର ସହର, ଗମନାଗମନ ରେ ଅସୁବିଧା
ସୁବର୍ଣ୍ଣପୁର:ଗତ ଚାରିଦିନ ହେଲା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ସଦର ମହକୁମା ସୋନପୁର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେହିଭଳି ସହରର କେନ୍ଦ୍ର ସ୍ଥଳୀ କୁହାଯାଉଥିବା ଆମ୍ବେଦକର ଛକ ଠାରେ ରାଜପଥ ଉପରେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖିବାକୁ ମିଳିଛି ।

ସହରରୁ ବ୍ଲକ ଛକ ଆଡ଼କୁ ଯିବା ରାସ୍ତାରେ ଆମ୍ବେଦକର ଛକରେ ଏଭଳି ପରିସ୍ଥିତି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ପାଇଁ ଲୋକେ ସୋନପୁର ପୌର ସଂସ୍ଥା କୁ ଦାୟୀ କରିଛନ୍ତି । ସହରର ଅଧିକାଂଶ ଡ୍ରେନ ଆବର୍ଜନା ରେ ପୋତି ହୋଇଥିବା ବେଳେ ପୌର ସଂସ୍ଥା ତରଫରୁ ଏହାକୁ ସଫା କରାଯାଇନାହିଁ । ବର୍ଷା ଜଳ ନିଷ୍କାସନ ପାଇଁ ବାଟ ନାହିଁ । ତେଣୁକରି ରାସ୍ତା ଉପରେ ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି । ଏହା ସହରର ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକେ ଉପାୟ ନ ପାଇ ପାଣି ଭିତରୁ ଗାଡ଼ି ନେଉଛନ୍ତି । ଏଥିରେ କିଛି ଲୋକଙ୍କ ଗାଡ଼ି ପାଣି ଭିତରେ ବନ୍ଦ ହୋଇଯାଉଥିବା ଦେଖିବାକୁ ମିଳିଛି । ପୌର ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
