July 6, 2026
Home » ପ୍ରକାଶ ପାଇଲା ଚିଠା ଭୋଟର ତାଲିକା

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା

0
WhatsApp Image 2026-07-05 at 8.06.56 PM

 

ପୁରୀ,: ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଜାରି ରହିଛି। ଏହି ଅବସରରେ ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଚିଠା ଭୋଟର ତାଲିକା ପ୍ରକାଶ କରିଛନ୍ତି। ପରେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ ପୁରୀ ଜିଲ୍ଲାରେ ୬ଟି ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ସଂଶୋଧନ ପରେ ୧୩ ଲକ୍ଷ ୨ ହଜାର ୭୬୮ ଭୋଟର ରହିଛନ୍ତି। ପୂର୍ବରୁ ପୁରୀ ଜିଲାରେ ୧୩୮୭୯୩୦ ମତଦାତା ରହିଥିବା ବେଳେ ସଂଶୋଧନ ପ୍ରକ୍ରିୟାରେ ୮୫୧୬୨ ଜଣ ଭୋଟରଙ୍କ ନାମ ବିଭିନ୍ନ କାରଣରୁ ବାଦ ପଡ଼ିଛନ୍ତି।ତେବେ ଏ ସମ୍ପର୍କରେ ଆପତ୍ତି ଅଭିଯୋଗ ଗୁଡିକ ଆଜି ଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ କରାଯାଇ ପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ଏହି ଏସ୍‌ଆଇଆର୍‌ ପ୍ରକ୍ରିୟାରେ ପୁରୀ ଜିଲ୍ଲାରେ ୯୩.୮୬ ପ୍ରତିଶତ ଡିଜିଟାଇଜେଶନ ହୋଇଛି। ୩୦୬୫୨ମୃତ ମତଦାତା, ୯୩୫୬ ଅନୁପସ୍ଥିତ ମତଦାତା, ୩୬୩୩୭ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତା, ୭୯୫୩ ଦୋହରା ମତଦାତା ଓ ଅନ୍ୟାନ୍ୟ ୮୬୪ ମତଦାତା ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତିଙ୍କ ନାମ କଟିଥିବ ସେମାନେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିପାରିବେ। ଏହାର ତଦନ୍ତ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା କରାଯାଇ ସେପ୍ଟେମ୍ବର ୬ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ ସହ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଶାନ୍ତ କୁମାର ପତି, ଉପ-ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର (ନିର୍ବାଚନ) ରୁନୀତା ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *