October 22, 2024
Home » ବାତ୍ୟା ଦାନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ

ବାତ୍ୟା ଦାନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ

0

ଭୁବନେଶ୍ବର: ଜିରୋ କାଜୁଆଲ୍‌ଟି ଆମ ଲକ୍ଷ୍ୟ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍ ସମସ୍ତେ ପ୍ରସ୍ତୁତ ଅଛନ୍ତି। ବାତ୍ୟାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରସ୍ତୁତି ବୈଠକ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରି ବାତ୍ୟାରେ ‘ଶୂନ ମୃତାହତ’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ, ପିଇବା ପାଣି, ଆବଶ୍ୟକୀୟ ଔଷଧ, ଶିଶୁ ଖାଦ୍ୟ ତୁରନ୍ତ ମହଜୁଦ ରଖିବା ସହିତ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପରେ ପରେ ବିଭିନ୍ନ ରାସ୍ତା ଘାଟରେ ଅବରୋଧ ଦୂର କରି ଯେପରି ବିଦ୍ୟୁତ୍‌, ପାଣି ଓ ଟେଲି ଯୋଗାଯୋଗ ପରି ମୌଳିକ ସେବା ତୁରନ୍ତ କାର୍ଯ୍ୟକ୍ଷମ ହେବ ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବା, ଡାକ୍ତରଖାନା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ସମୟରେ ଏବଂ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଦର ବୃଦ୍ଧି ନହୁଏ, ସେଥିପାଇଁ କଳାବଜାରୀଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି। ଏହା ସହିତ ବିଭିନ୍ନ ଜିଲ୍ଲା ମଧ୍ୟରେ ସମନ୍ୱୟ ରଖି ପ୍ରଭାବିତ ନ ହୋଇଥିବା ଅଞ୍ଚଳରୁ ଯେପରି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ
କଳାବଜାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ
୪ ସହରାଞ୍ଚଳରୁ ଦୁର୍ବଳ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ

କୃଷି ବିଭାଗକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ପରେ କ୍ଷୟକ୍ଷତିର ଆଗୁଆ ଆକଳନ କରିବା ଆବଶ୍ୟକ। ଏହା ସହିତ ବିଭାଗର କଣ୍ଟିଜେନ୍ସି ପ୍ଲାନକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ସେହିପରି ଆଗୁଆ ରବି ଚାଷ ପାଇଁ ସମସ୍ତ ପ୍ରକାର ଇନପୁଟ୍‌ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଚାଷୀଙ୍କୁ ପ୍ରଦାନ କରିବାକୁ କହିଛନ୍ତି। ସେହିପରି ବାତ୍ୟା ସମୟରେ ଗୁଜବ ଓ ମିଥ୍ୟା ସୂଚନାକୁ ରୋକିବାକୁ ଏସ୍‌ଆର୍‌ସିଙ୍କ ତରଫରୁ ନିୟମିତ ଭାବେ ଗଣମାଧ୍ୟମକୁ ସୂଚନା ଦେବାକୁ କୁହାଯାଇଛି। ବିଭିନ୍ନ ବିଭାଗ ସାମାଜିକ ଗଣମାଧ୍ୟମରେ ନିୟମିତ ସୂଚନା ଦେବାକୁ କୁହାଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନକୁ ଚିହ୍ନଟ କରି ଗୋଖାଦ୍ୟ ଓ କୁକୁଡ଼ା ଖାଦ୍ୟ ମହଜୁଦ ରଖିବାକୁ କୁହାଯାଇଛି।

ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ଦିନମାନଙ୍କରେ ଯଦିଓ ପବନ ଯୋଗୁ କେହି ମୃତାହତ ହୋଇନାହାନ୍ତି, ଅନ୍ୟାନ୍ୟ କାରଣରୁ ମଧ୍ୟ ଜୀବନ ହାନି ଘଟିଥାଏ। ଯେପରିକି ମାଟି କାନ୍ଥ ପଡ଼ି ମୃତ୍ୟୁ ହେବା। ଏସବୁକୁ ରୋକିବା ପାଇଁ ସମସ୍ତ ଦୁର୍ବଳ ଘରକୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ଉଚିତ। ସେହିପରି ସହରାଞ୍ଚଳରେ ବିଲ୍‌‌େବାର୍ଡ, ହୋର୍ଡିଂ ଓ ସାଇନ୍‌ବୋର୍ଡ ଉପୁଡ଼ି ଲୋକେ ମୃତାହତ ହୁଅନ୍ତି। ତେଣୁ ସବୁ ସହରାଞ୍ଚଳ ବିଶେଷ ଭାବେ ଭୁବନେଶ୍ବର, କଟକ, ପୁରୀ ଏବଂ ବ୍ରହ୍ମପୁର ସହରରୁ ସବୁ ଦୁର୍ବଳ ବିଲବୋର୍ଡକୁ ତୁରନ୍ତ ଚିହ୍ନଟ କରି ସେସବୁକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ଏସ୍‌ଆର୍‌ସି ଦେଓରଞ୍ଜନ କୁମାର ସିଂହ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

୨୩ରୁ ୨୫ ଯାଏଁ ୧୪ ଜିଲ୍ଲାର ସ୍କୁଲ ଛୁଟି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ଟି ଜିଲ୍ଲାର ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଓ ପବନ ଦ୍ବାରା ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାର ସମସ୍ତ ସ୍କୁଲ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏସ୍‌ଆର୍‌ସି ଦେଓରଞ୍ଜନ କୁମାର ସିଂ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର।

Leave a Reply

Your email address will not be published. Required fields are marked *