July 17, 2026
Home » ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର: କୃଷି ଉଦ୍ୟୋଗରେ ମହିଳାଙ୍କ ପାଇଁ ଖୋଲିଲା ସଫଳତାର ନୂଆ ଦିଗନ୍ତ

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର: କୃଷି ଉଦ୍ୟୋଗରେ ମହିଳାଙ୍କ ପାଇଁ ଖୋଲିଲା ସଫଳତାର ନୂଆ ଦିଗନ୍ତ

0
WhatsApp Image 2026-07-17 at 5.32.05 PM

 

ଭୁବନେଶ୍ୱର, ୧୭ ଜୁଲାଇ ୨୦୨୬: ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟାମାନଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ମିଶନ ଶକ୍ତି ବିଭାଗ ଓ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ‘ଇକ୍ରିସାଟ୍’ (ICRISAT) ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ବାଲଙ୍କ ଉପସ୍ଥିତିରେ ଏହି ଐତିହାସିକ ଚୁକ୍ତି ସମ୍ପାଦିତ ହୋଇଛି।

ଏହି ଅବସରରେ ମତ ରଖି ଶ୍ରୀମତୀ ନିମ୍ବାଲ କହିଛନ୍ତି ଯେ, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନଜନିତ ଆହ୍ୱାନକୁ ସାମ୍ନା କରିବା ପାଇଁ ମହିଳା କୃଷିମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଏବଂ ବଜାର ସହ ସଂଯୋଗ କରିବା ଅତ୍ୟନ୍ତ ଜରୁରୀ। ଇକ୍ରିସାଟ୍ ସହ ଏହି ସହଭାଗିତା ରାଜ୍ୟର ଲକ୍ଷାଧିକ ଏସ୍.ଏଚ୍.ଜି ସଦସ୍ୟାଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଏହି ପଦକ୍ଷେପ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ‘ଲକ୍ଷପତି ଦିଦି’, ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ହାସଲରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ଏହି ବୁଝାମଣାପତ୍ର ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କୃଷି-ଆଧାରିତ ପ୍ରକଳ୍ପ ହାତକୁ ନିଆଯିବ।

ସୂଚନାଯୋଗ୍ୟ ଯେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଜଳାଶୟଗୁଡ଼ିକରେ ଥିବା ଦଳଜାତୀୟ ଗୁଳ୍ମକୁ ସଫା କରି ସେଥିରୁ ମୂଲ୍ୟ ସଂଯୋଜିତ ଉତ୍ପାଦ ପ୍ରସ୍ତୁତ କରାଯିବ, ଯାହା ମହିଳାଙ୍କ ପାଇଁ ସ୍ଥାୟୀ ଜୀବିକାର ପନ୍ଥା ହେବା ସହ ଜଳାଶୟଗୁଡ଼ିକର ପରିବେଶକୁ ସୁରକ୍ଷିତ ରଖିବ। ସେହିପରି ରାୟଗଡ଼ା ଜିଲ୍ଲାରେ ଉପଲବ୍ଧ କପା ଓ ହରଡ଼ ଡାଳରୁ ବାୟୋଚାର (Biochar) ପ୍ରସ୍ତୁତିକୁ ପ୍ରୋତ୍ସାହନ ଦିଆଯିବ, ଯାହା ମୃତ୍ତିକାର ଉର୍ବରତା ବୃଦ୍ଧି ଏବଂ କାର୍ବନ ସଂରକ୍ଷଣରେ ସହାୟକ ହେବ। ଏହାବ୍ୟତୀତ ତିନୋଟି ଯାକ ଜିଲ୍ଲାରେ ଉନ୍ନତମାନର ଗ୍ରାଫ୍ଟେଡ୍ ପନିପରିବା ଚାରା ଚାଷକୁ ବ୍ୟାପକ କରାଯିବ।

ଏହି ସହଯୋଗ ମାଧ୍ୟମରେ ମହିଳାମାନଙ୍କୁ ମାଣ୍ଡିଆ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ପ୍ରାକୃତିକ କୃଷି ପଦ୍ଧତି ଉପରେ ପ୍ରଶିକ୍ଷଣ ଦିଆଯିବା ସହ ଇକ୍ରିସାଟ୍ ଦ୍ୱାରା ବିକଶିତ ଜଳବାୟୁ-ସ୍ମାର୍ଟ କୃଷି ପ୍ରଯୁକ୍ତି, ଡିଜିଟାଲ କୃଷି ପରାମର୍ଶ ଏବଂ ଉନ୍ନତ ବିହନ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ। ଏଥିସହ ଉତ୍ପାଦର ପ୍ୟାକେଜିଂ, ବ୍ରାଣ୍ଡିଂ ଏବଂ ବଜାର ସଂଯୋଗକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ବୈଷୟିକ ଓ ବ୍ୟବସାୟିକ ସହାୟତା ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ, ଇକ୍ରିସାଟ୍‌ର ଡେପୁଟୀ ଡିରେକ୍ଟର ଜେନେରାଲ ଡାଃ ଷ୍ଟାନଫୋର୍ଡ ବ୍ଲେଡଙ୍କ ସମେତ ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ଏବଂ ଇକ୍ରିସାଟ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *