July 17, 2026
Home » ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

0
WhatsApp Image 2026-07-16 at 6.53.24 PM

ଭୁବନେଶ୍ୱର: କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କୁ ତାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାସହ ସ୍ମରଣ କରାଯାଇଥିଲା। ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଜାଙ୍କ ଅଧିକାର, ସ୍ୱାଭିମାନ ଓ ନ୍ୟାୟ ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ତାଙ୍କର ତ୍ୟାଗ, ସାହସ ଓ ଦେଶପ୍ରେମ ଆଜି ମଧ୍ୟ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା।

ଚକ୍ରଧର ବେହେରା କନିକା ପ୍ରଜା ଆନ୍ଦୋଳନର ଜଣେ ଅଦମ୍ୟ ସଂଗ୍ରାମୀ ଏବଂ ଗରିବ ଓ ନିଷ୍ପେଷିତ ପ୍ରଜାଙ୍କ ଅଧିକାର ପାଇଁ ଆଜୀବନ ସଂଘର୍ଷ କରିଥିବା ଜଣେ ନିର୍ଭୀକ ଜନନେତା ଥିଲେ। ଅନ୍ୟାୟ, ଅନୀତି ଓ ଶୋଷଣ ବିରୋଧରେ ତାଙ୍କର ଲଢ଼େଇ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଏବଂ କୃଷକ ଆନ୍ଦୋଳନର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିଛି। ଭୁବନେଶ୍ୱରସ୍ଥିତ ରାଜଭବନ ଛକରେ ଥିବା ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ତାଙ୍କର ଦେଶପ୍ରେମ, ସାମାଜିକ ନ୍ୟାୟ ପ୍ରତି ନିଷ୍ଠା ଏବଂ କନିକା ପ୍ରଜା ଆନ୍ଦୋଳନରେ ତାଙ୍କର ଐତିହାସିକ ଅବଦାନକୁ ସ୍ମରଣ କରାଯାଇଥିଲା।ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଗୌରହରି ଦାସ, ଗାନ୍ଧୀବାଦୀ ନେତା ଶ୍ରୀ ପ୍ରହଲ୍ଲାଦ ସିଂ, ସାହିତ୍ୟିକ ତଥା ସମାଜସେବୀ ଶ୍ରୀ ଲକ୍ଷ୍ମୀଧର ବେହେରା, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଶ୍ରୀ ଭାଗବତ ଦାସ ଏବଂ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ରହି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର, ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସଙ୍ଗୀତା ମହାରଣା, ଶ୍ରୀ ଅଭିନାଶ ସାଗର, ଶ୍ରୀ ଅଂଶୁମାନ ସାହୁଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହାସହ ବହୁ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *