ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିଅମ ଠାରେ ଆୟୋଜନ ହେବାକୁ ଥିବା ଜିଲ୍ଲା ସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ- ଜିଲ୍ଲା ପରିଷଦ ଶ୍ରୀ ଅଶ୍ୱିନୀ ମେହେର, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଉଷାରାଣୀ ଦାସ ଙ୍କ ସମେତ ପ୍ରମୁଖ ବିଭାଗୀୟ ଅଧିକାରୀ, ସମସ୍ତ ସ୍କୁଲ ଓ କଲେଜର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମାଜସେବୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସ୍ଵେଛାସେବୀ ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ଥିଲେ । ଏହାକୁ କିପରି ମହାସମାରୋହରେ ପାଳନ କରାଯିବ ସେହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।
ଚଳିତ ବର୍ଷ ସ୍ଵାଧୀନତା ଦିବସ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତଃ ୪.୩୦ ମି. ସମୟରେ ସହରର ସବୁ ଅଞ୍ଚଳରେ ରାମଧୂନ ପରିବେଷଣ କରାଯିବ। ଏହା ପରେ ପ୍ରଭାତ ଫେରି ପ୍ରତ୍ୟୁଷ ୫.୩୦ ରୁ ୬ ଘଟିକା ସମୟରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯୁବକ ଓ ମହିଳା ସଂଘ ଏବଂ ସମସ୍ତ ଅନୁଷ୍ଠାନ ନିଜ ନିଜ ଅଞ୍ଚଳରେ ପ୍ରଭାତ ଫେରି କରିବେ । ପରେ ସହରରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।
ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ସକାଳ ୭.୩୦ ମିନିଟ୍ ରୁ ୮ ଘଟିକା ସମୟ ମଧ୍ୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଜାତୀୟ ଦିବସଟି ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ। ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଏଥିରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ। ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ। ଏଥିପାଇଁ ଅଗଷ୍ଟ ମାସ ୧୧, ୧୨ ଏବଂ ୧୩ ତାରିଖ ପର୍ଯ୍ୟନ୍ତ ରିଜର୍ଭ ଇନ୍ସପେକ୍ଟରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ। ଏହି ବର୍ଷ ମୋଟ ୪୨ ଟି ପ୍ୟାରେଡ ଗ୍ରୁପ ରହିବେ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ଏବଂ ଅନ୍ୟାନ୍ୟ କୃତୀ ଦଳଙ୍କୁ ମେମୋରିଆଲ୍ ପୁରସ୍କାର ପ୍ରଦାନ କରାଯିବ। ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବର ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଏଥିସହ ପ୍ୟାରେଡ ପଡିଆ ସାଜସଜ୍ଜା, ବ୍ୟାରିକେଡ଼ ନିର୍ମାଣ, ଶାନ୍ତିଶ୍ରୁଙ୍ଖଳା ରକ୍ଷା, ପାନୀୟଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ଅସ୍ଥାୟୀ ଶିବିର ବ୍ୟବସ୍ଥା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା। ପରେ କାରାଗାର ଓ ଵୃଦ୍ଧାଶ୍ରମ, ବାଳାଶ୍ରମ ଅନ୍ତେବାସୀଙ୍କୁ ମିଷ୍ଠାନ୍ନ ଓ ଶୁଖିଲା ଖାଦ୍ଯ ବଣ୍ଟନ କରାଯିବ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ସଭା ପରିଚାଳନା କରିବା ସହିତ ପ୍ରାରମ୍ଭ ରେ ସ୍ଵାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
