ରାଜ୍ୟ ଆଇନମନ୍ତ୍ରୀଙ୍କ ଛାତ୍ରଙ୍କ ଉପରେ ତାଚ୍ଛଲ୍ୟ ଉପରେ ପ୍ରତିକ୍ରିୟା ରଖିଲା କଂଗ୍ରେସ
ଭୁବନେଶ୍ୱର: ଦୀର୍ଘ ୨୬ ଦିନ ଧରି ଦିଲ୍ଲୀର ଯନ୍ତରମନ୍ତର ଠାରେ ନିଟ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା ଏବଂ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଯେଉଁ ଗଣତାନ୍ତ୍ରିକ ଉପାୟରେ ଛାତ୍ର ଆନ୍ଦୋଳନ ଚାଲୁ ରହିଛି ତାହାକୁ ରାଜ୍ୟ ଆଇନମନ୍ତ୍ରୀଙ୍କର ତାଛଲ୍ୟ ଓ ଏହି ଆନ୍ଦୋଳନକୁ ଚାଇନାରୁ ଆର୍ଥିକ ସହାୟତା ଆସୁଥିବା କଥା କହିବା ଏବଂ ଏହି ଆନ୍ଦୋଳନରେ ପାକିସ୍ଥାନୀ ଲିଙ୍କ କହି ଛାତ୍ରମାନଙ୍କୁ ଆତଙ୍କବାଦୀ ରୂପେ ତୁଳନାକରିବାକୁ ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହିତ ଆଇନମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିଜ ଦେଶର ଛାତ୍ରଛାତ୍ରୀ ଦୀର୍ଘ ୨୬ ଦିନ ଧରି ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବା ସହିତ ଆସନ୍ତା ପୀଢ଼ିମାନେ ଭବିଷ୍ୟତରେ କିଭଳି ପ୍ରଶ୍ନପତ୍ର ଲିକ ନହେବ ଓ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଥିବା ଭୁଲ ତ୍ରୁଟିକୁ ସୁଧାରିବା ଆନ୍ଦୋଳନକୁ ଆମେ ଆତଙ୍କବାଦୀଙ୍କ ଆନ୍ଦୋଳନ କହିବା ଗରହିତ ଅପରାଧ । ସାମ୍ବିଧାନିକ ପଦବୀରେ ରହି ନିଜ ପଦମର୍ଯ୍ୟାଦାକୁ ଆଇନମନ୍ତ୍ରୀ ଭୁଲିଯାଉଛନ୍ତି । ନିଜ ସରକାରର ଅପାରଗତାକୁ ଲୁଚାଇବାକୁ ଯାଇ ପୂର୍ବ ସରକାରକୁ ଗାଳି ଦେବା ବିଜେପି ଦଳ ଓ ସରକାରର ଏକ ନିତିଦିନିଆ ବ୍ୟାପାରରେ ପରିଣତ ହୋଇସାରିଲାଣି । ଲୋକତାନ୍ତ୍ରିକ ବ୍ୟବସ୍ଥାରେ ମନ୍ତ୍ରୀ ଉତ୍ତରଦାୟୀ ବୋଲି ସ୍ପଷ୍ଟ ଉଲ୍ଲେଖ୍ୟ ଥିଲା ବେଳେ ବିଜେପି ସରକାର ସମୟରେ ମନ୍ତ୍ରୀ ମାନଙ୍କର ଅପାରଗତା ଓ ତାଙ୍କ ବିଭାଗର ଅପାରଗତାକୁ ନେଇ ପ୍ରଶ୍ନ କରିବା ଓ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ଏହା ଆମ ଲୋକତାନ୍ତ୍ରିକ ବ୍ୟବସ୍ଥାର ନିୟମ । ନିଟ ୟୁଜି ପ୍ରଶ୍ନପତ୍ର ଲିକ ଯୋଗୁଁ ୨୨ ଜଣ ଛାତ୍ରଛାତ୍ରୀ ନିଜ ଜୀବନ ହାରିଲେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ଓ ଦୃଢ଼ ନିଷ୍ପତ୍ତି ନେବା କେବେ ଦେଖାଗଲା ନାହିଁ । ଛାତ୍ର ଆନ୍ଦୋଳନ ୨୫ ଦିନ ପରେ ରାତି ୧୨ ଟାରେ ପ୍ରଧାନମନ୍ତ୍ରୀଙ୍କର ପ୍ରଶ୍ନପତ୍ର ଲିକ ଏକ ମାମୁଲି ଘଟଣା ନୁହେଁ ବୋଲି କହିବା ଏକ କୁମ୍ଭୀର କାନ୍ଦଣା ବୋଲି ଆଜି କଂଗ୍ରେସ ଭବନରେ ଏକ ପ୍ରେସ ବାର୍ତ୍ତାରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଥିଲେ । ଶ୍ରୀ ମହାନ୍ତି କହିଥିଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କର ଅପାରଗତା ଓ ପରିଚାଳନା ଦକ୍ଷତାର ଅଭାବ ଯୋଗୁଁ ବାରମ୍ବାର ପ୍ରଶ୍ନପତ୍ର ଲିକ ହେବା ଯୋଗୁଁ ଛାତ୍ର ଛାତ୍ରୀମାନେ ଜୀବନ ହାରୁଛନ୍ତି ଏବଂ ଏହା ତାଙ୍କ ଭବିଷ୍ୟତକୁ ଛାରଖାର କରିଦେଉଛି । ଏହି ବିଗତ ୫ ବର୍ଷ ଭିତରେ ଚାରି ଚାରି ଥର ନିଟ ୟୁଜି ପ୍ରଶ୍ନପତ୍ର ଲିକ ହେଲା ଏବଂ ମୋଦି ସରକାରଙ୍କର ଏହି ୧୨ ବର୍ଷ ଶାସନ ଭିତରେ ୧୫୨ ଥର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହେଲା । ତଥାପି ବିଭାଗୀୟ ମନ୍ତ୍ରୀଙ୍କର ଉତରଦାୟିତ୍ୱ ଶୂନ । ଯଦି ମନ୍ତ୍ରୀ ନିଜ ବିଭାଗର କାର୍ଯ୍ୟକଳାପା ପାଇଁ ଉତ୍ତରଦାୟିତ୍ୱ ରହିବେ ନାହିଁ ତାହାଲେ ମନ୍ତ୍ରୀ ରହି ଲାଭ କଣ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । କାହିଁକି ଜଣେ ମନ୍ତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କା ଗରିବ ଜନସାଧାରଣଙ୍କ କର ପଇସାରୁ ଖର୍ଚ୍ଚ ହେବ । ଛାତ୍ର ମାନଙ୍କର ଦାବିକୁ କାହିଁକି ଦୀର୍ଘ ୨୫ ଦିନ କାଳ ସରକାର ଗ୍ରହଣ କରୁନାହାନ୍ତି । ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଦେଲେ କ’ଣ ସରକାର ଭାଙ୍ଗିଯିବକି? ଗତ ୨୦ ତାରିଖ ଦିନ ଯନ୍ତରମନ୍ତର ଠାରେ ନିରୀହ ଛାତ୍ରଛାତ୍ରୀଙ୍କ ଉପରେ ଯେଉଁଭଳି ଭାବରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ପୋଲିସ ଫୋର୍ସ ବର୍ବରୋଚିତ ଆକ୍ରମଣ କଲେ ଓ ଛାତ୍ରୀମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ବାଡ଼ିପୁରାଇବା, କଂଟାବାଡ଼ିରେ ପିଟିବା, ଇଲେକ୍ଟ୍ରିଚାର୍ଜ ବାଡ଼ିରେ ବାଡ଼ାଇବା ଘଟଣାକୁ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରିବା କଥାକି ନାହିଁ? ଏକଥା କାହିଁକି ହେଉନାହିଁ? ଗଣତନ୍ତ୍ରରେ କିଏ ବଡ଼? ପ୍ରଧାନମନ୍ତ୍ରୀ ନା ଜନସାଧାରଣ? ରାଜ୍ୟ ଆଇନମନ୍ତ୍ରୀ ନିଜ ବିଭାଗର ଦାୟିତ୍ୱକୁ ଠିକସେ ତୁଲାନ୍ତୁ । ଦଳୀୟ ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥ ଠାରୁ ବଡ଼ ବୋଲି ଭାବନ୍ତୁ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଯେପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦଉନାହାନ୍ତି, ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ କ୍ଷମା ପ୍ରାର୍ଥନା କରୁ ନାହାନ୍ତି ଏବଂ ଶିକ୍ଷା ବ୍ୟବସ୍ଥାର ତ୍ରୁଟିକୁ ସୁଧାରିବା ପାଇଁ ସଂସଦରେ ଆଲୋଚନା ହୋଇନାହିଁ ସେ ପର୍ଯ୍ୟନ୍ତ ଛାତ୍ର ଆନ୍ଦୋଳନ ଚାଲୁରହିବ । ଛାତ୍ରମାନେ ଦେଶର ଭବିଷ୍ୟତ ।
