ହିରାକୁଦରେ ଆଲୋଚନା ଚକ୍ର – ‘ଆମେ କେନ୍ତା ହିନ୍ଦୁ’ ?
ସମ୍ବଲପୁର/ହୀରାକୁଦ : ପଶ୍ଚିମ ଓଡିଶା ସମ୍ବିଧାନ ସୁରକ୍ଷା ମଞ୍ଚ ଓ ମାତା ସାବିତ୍ରୀ ବାଇ ଫୁଲେ ସଂଘ ତରଫରୁ ବି.ଆର୍ ଅମ୍ବେଦକର ଜନ କଲ୍ୟାଣ ମହାସଂଘ, ହୀରାକୁଦ ଠାରେ ରବିବାର ଦିନ ହିନ୍ଦୁ ଧର୍ମରେ ଛୁଆଁ ଅଛୁଆଁକୁ ନେଇ ଏକ ଆଲୋଚନା ଚକ୍ର – ‘ଆମେ କେନ୍ତା ହିନ୍ଦୁ’ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା ମଞ୍ଚର ସଭାପତି ପବିତ୍ର ଦେହେରୀଙ୍କ ସଭାପତିତ୍ବ ଓ ପ୍ରଚେଷ୍ଟାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ନାଏକ, ସମ୍ମାନୀତ ଅତିଥି ଭାବେ ବି.ଆର୍ ଅମ୍ବେଦକର ସୋସିଆଲ ଓ୍ବେଲଫେଆର୍ ଫେଡରେସନ, ସମ୍ବଲପୁରର ସଭାପତି ଅବସରପ୍ରାପ୍ତ ଇଂ ଦ୍ବିତୀୟା ଗର୍ଡିଆ, ସମ୍ବିଧାନ ସୁରକ୍ଷା ମଞ୍ଚର ବରିଷ୍ଠ କର୍ମକର୍ତ୍ତା ତ୍ରିନାଥ ନାଗ, ଜନ କଲ୍ୟାଣ ମହାସଂଘର ସଭାପତି ପ୍ରକାଶ ସେନାପତି, ସମାଜ ସୁଧାରକ ଜେଠୁ ଭୋଇ, ଓଡ଼ିଶା ଖାଉଟି ସମବାୟ ମହାସଂଘର ନିର୍ଦ୍ଦେଶକ ତଥା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡ଼ିଶା ଶାଖାର ଉପ-ସଭାପତି ବିପ୍ର ଚରଣ ଜୟପୁରିଆ, ସାବିତ୍ରୀ ବାଇ ଫୁଲେ ସଂଘର ସହ- ସଭାନେତ୍ରୀ ରଞ୍ଜୁ ଭୁସାଗର ଉପସ୍ଥିତ ରହି ନିଜ ନିଜର ବିଶେଷ ମତ ମନ୍ତବ୍ୟ ଉପସ୍ଥାପନ କରିଥିଲେ ।


ହିନ୍ଦୁ ଧର୍ମରେ ଛୁଆଁ ଅଛୁଆଁ ଭେଦଭାବ, ବିଭିନ୍ନ ଅଞ୍ଚଳରେ ଜାତିଆଣ ଆକ୍ଷେପ କୁ ଆଖି ଆଗରେ ରଖି ବାବା ସାହେବ ଅମ୍ବେଦକର ଦେଖାଇଥିବା ଗୌତମ ବୁଦ୍ଧଙ୍କ ବିଚାରଧାରାକୁ ଅନୁସରଣ କରିବା ସମସ୍ତ ଅଛୁଆଁ ହିନ୍ଦୁଙ୍କ ପ୍ରଥମ କର୍ତ୍ତବ୍ୟ ହେବା ବିଧେୟ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ବାବାସାହେବ ଅମ୍ବେଦକର, କାଂଶୀରାମଙ୍କ ଫଟୋଚିତ୍ର ସାମନାରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଜ୍ୟୋତିବା ରାଓ ଫୁଲେ, ମାତା ସାବିତ୍ରୀ ବାଇ ଫୁଲେ ଓ ସମ୍ରାଟ ଅଶୋକଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ସମ୍ମାନ ଦେବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବୀଣା ବାଗ ଅମ୍ବେଦକର ଚିନ୍ତାଧାରା ସଗ୍ରାମୀ ଗୀତ ଗାଇ ଓ କବି ଲକ୍ଷ୍ମଣ ସୁନା ବିଷୟବସ୍ତୁ ଆଧାରିତ କବିତା କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମ ଆୟୋଜନରେ ବି.ଆର୍ ଅମ୍ବେଦକର ଜନ କଲ୍ୟାଣ ମହାସଂଘ, ହୀରାକୁଦ ମୁଖ୍ୟ ଭୂମିକା ନିଭାଇଥିବା ବେଳେ, ସଭାପତି ପ୍ରକାଶ ସେନାପତି, କାର୍ଯ୍ୟକାରୀ ସଭାପତି ବାହାନ ସୁନା, ସମ୍ପାଦକ ଆକୁଳ ମହାନନ୍ଦ ସମେତ ମହାସଂଘର କାର୍ଯ୍ୟକର୍ତ୍ତାଗଣ ସକ୍ରିୟ ଭୂମିକା ନିଭାଇଥିଲେ । ଏହି କାର୍ଯ୍ୟକ୍ରମରେ ମାତା ସାବିତ୍ରୀ ବାଇ ଫୁଲେ ସଂଘ ଓ ବି. ଆର୍ ଅମ୍ବେଦକର ଜନ କଲ୍ୟାଣ ମହାସଂଘର ସଦସ୍ୟା/ସଦସ୍ୟଙ୍କ ସମେତ ସ୍ଥାନୀୟ ଦୂର ଦୂରାନ୍ତରରୁ ଆସିଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକାରୀ ସଦସ୍ୟ ଅନୀଳ କନ୍ଧ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
