ବର୍ଷା ଧୋଇନେଲା ପିଲାଙ୍କ ଖୁସି, ୮୦ ତମ ସ୍ବାଧିନତା ଦିବସ ପାଳନରେ ବର୍ଷା ବାଧକ
ଗଣିଆ – ତ୍ରିରଙ୍ଗା ପତାକାରେ ଝଲସୁଥିଲା ବିଦ୍ୟାଳୟ ଏବଂ ସ୍ବେଛାସେବୀ ଅନୁଷ୍ଠାନ । ୮୦ ତମ ସ୍ବାଧିନତା ଦିବସ ପାଳନ ପାଇଁ ସମସ୍ତେ ଥିଲେ ତତ୍ପର କିନ୍ତୁ ବର୍ଷା ଧୋଇନେଲା ପିଲାଙ୍କ ଖୁସି । ସ୍ବାଧୀନତା ଦିବସ ପାଳନରେ ବାଧକ ସାଜିଲା ବର୍ଷା । ତଥାପି ଝିପିଝିପି ବର୍ଷାରେ ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ତହସିଲ କାର୍ଯ୍ୟାଳୟ, ପଞ୍ଚାୟତ ସମିତି,ଗଣିଆ ଥାନା,ଶିଶୁ ରାଇଜ,ଗଣିଆ ଉନ୍ନୟନ କମିଟି,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମହାନଦୀ ପବ୍ଲିକ ସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିର,ବଣିକ ସଂଘ ଓ ମୋଟର କର୍ମଚାରୀ ସଂଘ,ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରେ ବେଲପଡା ପଞ୍ଚାୟତ ସ୍ତରୀୟ ଉତ୍ସବ, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ,କିଶୋର ପ୍ରସାଦ ପଞ୍ଚାୟତ ସ୍ତରୀୟ ସ୍ବାଧୀନତା ଦିବସ, ଗ୍ରହରାଜ ୟୁଥ କ୍ଳବ୍ ବାଲିସାହି ଠାରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଗଣିଆରେ ଚାଲିଥିବା ମହାନଦୀ ପବ୍ଲିକ ସ୍କୁଲ ପରିସରରେ ସ୍ବାଧୀନତା ଦିବସ ଅବସରରେ ସୁନ୍ଦର ଭାବେ ସାଜସଜ୍ଜା କରାଯିବା ସହିତ କାନ୍ଥରେ ଭାରତ ମାତାର ଚିତ୍ର ଅତ୍ୟନ୍ତ ମନୋମୁଗ୍ଧକର ଥିଲା ।

ସମସ୍ତ ଛାତ୍ର ଛାତ୍ରୀ ଗାନ୍ଧୀ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଆୟୋଜିତ ଜେନେରାଲ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଲାବଣ୍ୟନ୍ଦୁ ମହାନ୍ତି , ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଦମକଳ ଅଧିକାରୀ ବିଜୟାନନ୍ଦ ପରିଡା,ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ ବହୁ ବରିଷ୍ଠ ନାଗରିକ, ଲୋକପ୍ରତିନିଧି, ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫ରୁ ଅଧିକ ପ୍ୟାରେଡ ଗ୍ରୁପ ଅଂଶ ଗ୍ରହଣ କରିଥିଲେ । ବର୍ଷା ହୋଇଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ଉତ୍କଣ୍ଠାର ସହିତ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଦେଶକୁ ସ୍ବାଧୀନ କରିବାରେ ଯେଉଁ ଦେଶପ୍ରେମୀ, ସ୍ବାଧୀନତା ସଂଗ୍ରାମୀ ଏବଂ ସହିଦ ମାନଙ୍କର ଅବଦାନ ରହିଛି ସେମାନଙ୍କ ପାଖରେ ଆମେ ଚିର ଋଣୀ ବୋଲି ସାଂସଦ ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଏ ଦେଶର ନାଁ ରଖିବାକୁ ଆଗେଇ ଆସିବା ଦରକାର ବୋଲି ସେ ମତ ଦେଇଥିଲେ । ତେବେ ବର୍ଷା ଯୋଗୁଁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇପାରି ନଥିଲା । ସମସ୍ତ ପୁରସ୍କାର ବିଦ୍ୟାଳୟକୁ ପଠାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ ପ୍ରକାଶ କରିଥିଲେ । ତେବେ ଝିପିଝିପି ବର୍ଷା ଆଜି ଛାତ୍ର ଛାତ୍ରୀ ମାନଙ୍କର ଖୁସି ଛଡାଇ ନେଇଥିଲା ।
