ଡିଭାଇଡର ରେ ପିଟି ହୋଇ ଟ୍ରକ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
ସୁବର୍ଣ୍ଣପୁର —- ସୋନପୁର -ବିନିକା-ରାମପୁର-ଡୁଙ୍ଗୁରିପାଲି ଜାତୀୟ ରାଜପଥ ୧୨୬(ଏ) ବିନିକା ଥାନା ଡଭଲା ଛକରେ ଓଡି ୦୭ ଏୟୁ ୮୮୪୧ ନମ୍ବର ବିଶିଷ୍ଟ ଏକ ୧୬ ଚକିଆ ଲୁହା ସାମଗ୍ରୀ ବୋଝେଇ ଟ୍ରକ ଡିଭାଇଡର ରେ ପିଟି ହୋଇ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଚାଲିଯାଇ ରାସ୍ତା କଡରେ ତିଆରି ହୋଇଥିବା ନିମ୍ନମାନର ଡ୍ରେନ ସ୍ଲାବ ଉପରକୁ ଚଢିଯାଇଥିଲା l ଫଳରେ ସ୍ଲାବ ଗୁଡିକ ଭାଙ୍ଗିଯାଇଥିଲା ଏବଂ ଟ୍ରକଟି ସେଠାରେ ଓଲଟି ପଡିଥିଲା l ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତୀ ଯାଇଛିନ୍ତି ଟ୍ରକ ର ଡ୍ରାଇଭର ଓ ହେଲପର l ସୂଚନାରୁ ପ୍ରକାଶ ଯେ,ଲୁହା ସାମଗ୍ରୀ ବୋଝେଇ ଟ୍ରକଟି ଭଞ୍ଜନଗର ରୁ ଛତିଶଗଡ ରାଜ୍ୟ ରାୟପୁର କୁ ଯାଉଥିଲା l ଡଭଲା ଛକ ନିକଟରେ ଝିପି ଝିପି ବର୍ଷା ଯୋଗୁଁ ଡ୍ରାଇଭର ଡିଭାଇଡର କୁ ଦେଖି ନପାରି ପ୍ରଥମେ ଡିଭାଇଡର ରେ ପିଟି ହୋଇଥିଲା l ତାପରେ ଭାରସାମ୍ୟ ହରାଇ ଟ୍ରକ ଟି ରାସ୍ତା କଡରେ ଥିବା ଡ୍ରେନ ଉପରକୁ ଚଢିଯାଇଥିଲା l ଡ୍ରେନର ସ୍ଲାବ ଗୁଡିକ ଦୁର୍ବଳ ଥିବାରୁ ଭାଙ୍ଗିଗଲା ଏବଂ ଟ୍ରକର ଚକଗୁଡିକ ଡ୍ରେନ ଭିତରେ ପଶିଯାଇ ଟ୍ରକ ଟି ଓଲଟି ପଡିଥିଲା l ଟ୍ରକର ଅନେକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଭାଗ୍ୟ ବଶତଃ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତୀ ଯାଇଛିନ୍ତି l ବ୍ୟସ୍ତବହୁଳ ରାସ୍ତାଟି ରାମପୁର ପଟରୁ ଏବଂ ବିନିକା ପଟରୁ ଯୋଗେଶ୍ୱର ମନ୍ଦିର ଠାରୁ ଏକ ଥାକିଆ ହୋଇ ଆସିଥିବା ବେଳେ ଡଭଲା ଛକ ନିକଟରେ ଦୁଇ ଥାକିଆ ହୋଇଛି ଏବଂ ରାସ୍ତା ମଝିରେ ନିର୍ମିତ ହୋଇଛି ଡିଭାଇଡର l ଡିଭାଇଡର କେଉଁଠି ଆରମ୍ଭ ଓ କେଉଁଠି ଶେଷ ସେନେଇ କୌଣସି ଆଖିଦୃଶିଆ ସଂକେତ କିମ୍ବା ସୂଚନା ଫଳକ ନାହିଁ l ଡିଭାଇଡର ରେ କିଛି କିଛି ଦୂର ବ୍ୟବଧାନରେ ସୋଲାର ଲାଇଟ ଲାଗିଥିଲେ ମଧ୍ୟ ଡଭଲାର କେତେକ ସ୍ଥାନରେ ଲାଇଟ ଆଜି ପର୍ଯ୍ୟନ୍ତ ଲାଗିନାହିଁ l ସେହିପରି ଉକ୍ତ ରାସ୍ତାଟି କେଉଁଠି ଓସାରିଆ ତ କେଉଁଠି ଅଣଓସାରିଆ ହୋଇଛି, କୌଣସି ଜାଗାରେ ଠିକ ଭାବରେ ସୂଚନା ଫଳକ କିମ୍ବା ରାସ୍ତା ପାରିହେବା ପାଇଁ ଜେବ୍ରା କ୍ରସିଂ ଚି଼ହ୍ନ ନାହିଁ l ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି l ଏଇ ଅଳ୍ପଦିନ ମଧ୍ୟରେ ଏକ ଡ୍ରମ୍ଫର, ଏକ ସିମେଣ୍ଟ ବୋଝେଇ ଟ୍ରକ, ଏକ ପାନପତ୍ର ବୋଝେଇ ମିନିଟ୍ରକ, ଏକ ୧୬ ଚକିଆ ଟ୍ରକ, ଗତକାଲି ପୁଣି ଏକ ୧୬ ଚକିଆ ଲୁହା ବୋଝେଇ ଟ୍ରକ ଡିଭାଇଡର ଉପରକୁ ଚଢି ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏମିତି ଅନେକ ଛୋଟ ବଡ଼ ଦୁର୍ଘଟଣା ହେଉଥିଲେ ହେଁ ଭଗବାନଙ୍କ ଦୟାରୁ କେବେ କାହାରି ଜୀବନ ଏପର୍ଯ୍ୟନ୍ତ ଯାଇନି l ଠିକାଦାର ମାନଙ୍କ ମନଇଚ୍ଛା ଓ ଅଧପନ୍ତରିଆ କାମ, ଏବଂ ନିମ୍ନମାନର କାମ ଯୋଗୁଁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ବିନିକା ଏନଏସି ପ୍ରଶାସନର ନୀରବତା କୁ ଅଞ୍ଚଳବାସୀ ନିନ୍ଦା କରୁଛନ୍ତି l ବୋଧ ହୁଏ କିଛି ଲୋକଙ୍କ ଜୀବନ ଗଲାପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ l ଏହି ଅଞ୍ଚଳକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରିବା ସହିତ ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l ଖବର ପାଇ ବିନିକା ପୋଲିସ ଘଟଣା ସ୍ଥଳକୁ ପହଂଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
