ନିଶାମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ଜିଲ୍ଲାର ସମସ୍ତ ଶିକ୍ଷନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ
ବରଗଡ଼: ନିଶାମୁକ୍ତ ଭାରତ ଅଭିଯାନର ଷଷ୍ଠ ବାର୍ଷିକୀ ପାଳନର ଅଂଶ ଭାବେ ଆଜି ସାରା ଦେଶରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ନିଶା ବିରୋଧରେ ସାମୂହିକ ସଂକଳ୍ପ ମାଧ୍ୟମରେ ନାଗରିକଙ୍କୁ ସଚେତନ କରିବା ଏବଂ ନିଶାମୁକ୍ତ ଭାରତର ପରିକଳ୍ପନାକୁ ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଅଭିଯାନରେ ବିଶେଷ ଭାବେ ଯୁବବର୍ଗଙ୍କୁ ଏହି ଅଭିଯାନରେ ସାମିଲ କରାଯାଉଛି। ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀ, ଯୁବକଯୁବତୀ, ମହିଳା, ସରକାରୀ କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ନିଶା ନିବାରଣ ଦିଗରେ ସାମୂହିକ ପ୍ରୟାସକୁ ଏହି ଅଭିଯାନ ଗୁରୁତ୍ୱ ଦେଉଛି।
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା, ବ୍ଲକ ଓ ସହରାଞ୍ଚଳ ସ୍ତରରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବେସରକାରୀ ଓ ସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଧିକରୁ ଅଧିକ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯାଉଛି। ଏଥିସହ ଜନସାଧାରଣଙ୍କୁ ନିଶାମୁକ୍ତ ଭାରତ ଅଭିଯାନର ଇ-ଶପଥ (e-Pledge) ଗ୍ରହଣ କରି ଅଂଶଗ୍ରହଣ ପ୍ରମାଣପତ୍ର ଡାଉନଲୋଡ୍ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି।

ଏହି ଅବସରରେ ଆଜି ବରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟଳୟରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସାମୁହିକ ଶପଥପାଠ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଏଥିରେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ।
ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନିଜେ ନିଶାମୁକ୍ତ ରହିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜକୁ ନିଶା ସେବନରୁ ଦୂରେଇ ରଖିବା ପାଇଁ ଶପଥ ନେଇଥିଲେ। ଏଥିସହ ନିଜ ଜିଲ୍ଲା, ରାଜ୍ୟ ଓ ଦେଶକୁ ନିଶାମୁକ୍ତ ରଖିବା ଦିଗରେ ନିଜ ସାମର୍ଥ୍ୟ ଅନୁଯାୟୀ ସମସ୍ତ ପ୍ରକାର ସମ୍ଭବ ପ୍ରୟାସ କରିବାକୁ ସେମାନେ ପ୍ରତିଜ୍ଞା କରିଥିଲେ।
ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ଜିଲ୍ଲାର ସମସ୍ତ ବର୍ଗର ଜନସାଧାରଣ, ବିଶେଷକରି ଯୁବପିଢ଼ି, ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇ ନିଶାମୁକ୍ତ ବରଗଡ଼ ଗଠନରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
