December 26, 2024
Home » ସ୍ଥଳଭାଗକୁ ସ୍ପର୍ଶ କଲା ‘ଦାନା’

ସ୍ଥଳଭାଗକୁ ସ୍ପର୍ଶ କଲା ‘ଦାନା’

0

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ଆଜି ରାତି ପ୍ରାୟ ୧୨ଟାରେ ଓଡ଼ଶାମାଟିକୁ ସ୍ପର୍ଶ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ମଝିରେ ଏହା ଲ୍ୟାଣ୍ଡଫଲ କରିଛି। ବାତ୍ୟା ସ୍ଥଳଭାଗ ଛୁଇଁଥିବାରୁ କିଛି ସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିଥିବା ଅନୁମାନ କରାଯାଉଛି। କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବାତ୍ୟା ଯୋଗୁଁ ଆଜି ଅପରାହ୍‌ଣ ପର୍ଯ୍ୟନ୍ତ ବର୍ଷା ହୋଇପାରେ।

‘ଦାନା’ର ପ୍ରଭାବ ପ୍ରାୟ ୧୯ଟି ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହାକୁ ନଜରରେ ରଖି ସଂପର୍କିତ ଜିଲ୍ଲାରେ ବାତ୍ୟା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି। ଏହାସହ ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲା ପାଇଁ ୬ଜଣ ବରିଷ୍ଠ ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀ ଓ ଆଇଏଏସ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି।

ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ହୋଇଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ସହଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ପ୍ରସ୍ତତ ରହିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏବେସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ୫୧ଟି ଓଡ୍ରାଫ ଟିମ୍‌, ୧୭୮ଟି ଅଗ୍ନିଶମ ବାହିନୀ ଟିମ, ୨୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି।
ଭାରତୀୟ ରେଳବାଇ ବିଭିନ୍ନ ଜୋନରୁ ୩୦୦ରୁ ଊର୍ଦ୍ଧ୍ବ ଟ୍ରେନ୍‌କୁ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ କରିଦେଇଛନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ପିଲାମାନଙ୍କର ପାଠପଢ଼ା ବନ୍ଦ ରଖାଯାଇଛି। ଶିମିଳିପାଳ ଅଭୟାରଣ୍ୟକୁ ମଧ୍ୟ ଏହି ୩ ଦିନ ବନ୍ଦ ରଖାଯାଇଥିବା ବେଳେ ପୁରୀ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ୨୫ ତାରିଖ ପର୍ଯ୍ୟନ୍ତ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଉପକୂଳବର୍ତ୍ତୀ ଗାଁଗୁଡ଼ିକ ଉପରେ ପ୍ରଶାସନ ଅଧିକ ଫୋକସ ରଖିଛନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *