September 3, 2026
Home » ଲୋକ ଜିଲ୍ଲାପାଳ ମଧୁମିତା ରଥଙ୍କ  ନୟାଗଡ ଜିଲ୍ଲାକୁ ଦୁର୍ନୀତିମୁକ୍ତ ଓ ଆଦର୍ଶ ଜିଲ୍ଲାରେ ପରିଣତ କରିବା ଉଦ୍ଦ୍ୟମକୁ ଭୂରି ଭୂରି ପ୍ରଶଂସା ।

ଲୋକ ଜିଲ୍ଲାପାଳ ମଧୁମିତା ରଥଙ୍କ  ନୟାଗଡ ଜିଲ୍ଲାକୁ ଦୁର୍ନୀତିମୁକ୍ତ ଓ ଆଦର୍ଶ ଜିଲ୍ଲାରେ ପରିଣତ କରିବା ଉଦ୍ଦ୍ୟମକୁ ଭୂରି ଭୂରି ପ୍ରଶଂସା ।

0
1001264466
ନୟାଗଡ଼ : ( ଇପିଏ ) ନୟାଗଡ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ଷଷ୍ଠ ଜିଲ୍ଲା ପରିଷଦର ଦ୍ୱାଦଶ ସାଧାରଣ ଅଧିବେଶନ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ମାନ୍ୟବର ବିଧାୟକ ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରା, ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଲଗ୍ନଜିତ ରାଉତ, ଉପାଧ୍ୟକ୍ଷା ଜିଲ୍ଲା ପରିଷଦ ଶ୍ରୀମତୀ ବିଷ୍ନୁପ୍ରିୟା ବେହେରା, ସହକାରୀ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
                   ବୈଠକର ପ୍ରାରମ୍ଭରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ରଥ ଉପସ୍ଥିତ ଥିବା ସମସ୍ତ ଜନ ପ୍ରତିନିଧି, ସରକାରୀ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ଗତ ତା. ୨୭. ୦୧. ୨୦୨୬ ରେ ହୋଇଥିବା ଏକାଦଶ ସାଧାରଣ ଅଧିବେଶନର ବିବରଣୀ ପଠନ କରିବା ପାଇଁ ନିର୍ଦେଶ ଦେଇଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରାଉତ ପୂର୍ବ ବୈଠକର ବିବରଣୀ ପଠନ କରିବା ସହ ବିଭିନ୍ନ ବିଭାଗ ଯଥା ଗ୍ରାମ୍ୟ ଉନ୍ନୟନ ବିଭାଜନ -୧ ଓ ୨, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଜଳ ସେଚନ ବିଭାଗ, ଉଠା ଜଳ ସେଚନ ବିଭାଗ,ସ୍ୱଚ୍ଛ ଭାରତ ମିଶନ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଉପସ୍ଥିତ ଥିବା ଜିଲ୍ଲା ପରିଷଦର ସଭ୍ୟ /ସଭ୍ୟାମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ବିଭାଗର ବକେୟା କାମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ଏବଂ ଏହି ବିବରଣୀକୁ ଦୃଢ଼ୀ କରଣ କରିବା ପାଇଁ ମାନ୍ୟବର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ ।
ଏହାପରେ ଦ୍ୱାଦଶ ସାଧାରଣ ଅଧିବେଶନର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଜିଲ୍ଲା ମଙ୍ଗଳ ବିଭାଗର ଅଧିକାରୀଙ୍କ ସହ ଜିଲ୍ଲାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ନିମିତ୍ତ ସମସ୍ତ ପ୍ରକଳ୍ପର କାର୍ଯ୍ୟର ସ୍ଥିତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବା ସହ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l
              ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଜିଲାରେ ଥିବା ବିଭିନ୍ନ ନଦୀବନ୍ଧର ରକ୍ଷଣା ବେକ୍ଷଣ ଓ ନୂତନ ନଦୀବନ୍ଧ ନିର୍ମାଣ ଏବଂ କେନାଲ ଓ ବିଭିନ୍ନ ଜଳସେଚନ ପ୍ରକଳ୍ପ ଯଥା ବୁଢ଼ା ବୁଢିଆଣୀ ଜଳସେଚନ ପ୍ରକଳ୍ପ, କୁଆଁରିଆ ପ୍ରକଳ୍ପର ରକ୍ଷଣା ବେକ୍ଷଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା l ଏଥି ସହ ରାଉତପଡା – ଡ଼ିମିରିଆ ଓ ପଦ୍ମାବତୀ ନିକଟରେ ଦୁଇଟି ଆନ୍ତଃନଦୀ ଜଳାଶୟ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିବା ସହ ରାଉତପଡା – ଡ଼ିମିରିଆ ଜଳାଶୟ ପାଇଁ ୧୫୨୧କୋଟି ଟଙ୍କା ପ୍ରଶାସନିକ ଅନୁମୋଦନ ମିଳିସାରିଛି ବୋଲି ସମ୍ପୃକ୍ତ ଯନ୍ତ୍ରୀ ସୂଚନା ଦେଇଥିଲେ l
               କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଯଥା ରଘୁନାଥପୁର , ପାଣିପୋଇଲା, କୁସୁମା, ଗୁଣ୍ଠୁଣି, ପଥର ଗଣ୍ଡ, କେନ୍ଦୁଆ ଆଦି ଜାଗାରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକ ଉପରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାମାନେ ସମୀକ୍ଷା କରିବା ସହ ଜିଲ୍ଲାରେ ଚାଲିଥିବା ସମସ୍ତ ପ୍ରକଳ୍ପର ରିପୋର୍ଟ ପ୍ରଦାନ କରିବାପାଇଁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଉଠା ଜଳସେଚନ ବିଭାଗ ଅନ୍ତର୍ଗତ ସମସ୍ତ ଅଚଳ ହୋଇ ରହିଥିବା ପ୍ରକଳ୍ପ ଗୁଡିକୁ ୧୫ ଦିନ ଭିତରେ କାର୍ଯ୍ୟକ୍ଷମ କରାଇବା ସହ ରିପୋର୍ଟ ପ୍ରଦାନ କରିବା ପାଇଁ ମାନନୀୟା ଜିଲ୍ଲାପାଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ l
                        ସମବାୟ ବିଭାଗର ଉପନିବନ୍ଧକଙ୍କ ସହ ଚାଷୀମାନଙ୍କର ପଞ୍ଜିକରଣ ସମୟରେ ହେଉଥିବା ବିଭିନ୍ନ ଅସୁବିଧା ଏବଂ ଜିଲ୍ଲାରେ ଥିବା ଧାନ କ୍ରୟ କେନ୍ଦ୍ରର ଆବଶ୍ୟକ ମୌଳିକ ଭିତ୍ତିଭୂମି ଯୋଗାଇବା ସହ ନିର୍ମାଣ ହେଉଥିବା କ୍ରୟ କେନ୍ଦ୍ର ଗୁଡିକର କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଅଦ୍ୟାବଧି ଜିଲ୍ଲାରେ ୬୧,୨୦୦ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ l
ଶିକ୍ଷା ବିଭାଗ ଉପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବିଭିନ୍ନ ବିଦ୍ୟାଳୟରେ ଥିବା ଅସୁବିଧା ଗୁଡିକ ଉପରେ ଆଲୋଚନା କରାଯାଇଥିଲା ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ଦୁଇ ପର୍ଯ୍ୟାୟରେ ୧୧ ଗୋଟି ବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ମୋଟ ୨୨ଟି ନୂଆ ବିଦ୍ୟାଳୟ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ମାନନୀୟା ଜିଲ୍ଲାପାଳ ସୂଚନା ଦେଇଥିଲେ । ମାନନୀୟ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବ ଅନୁଯାୟୀ ନେପାଳରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ହଜାର ହଜାର ଲୋକ ଏବଂ ଓଡଗାଁ ବ୍ଲକ ଅନ୍ତର୍ଗତ ଭାଲିଆ ଡିହ ଓ ଗୋଲଗାଁ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦେହାନ୍ତ ପାଇଁ ସଭାରେ ଥିବା ସମସ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ l
ମାନନୀୟା ଜିଲ୍ଲାପାଳ ନିଜର ବକ୍ତବ୍ୟରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକ ସୁଦୃଢ଼ ଟିମ୍‌ ଗଠନ ସହ ପ୍ରତ୍ୟେକ ବିଭାଗର ସମନ୍ଵୟ ରଖି ମିଳିମିଶି କାର୍ଯ୍ୟ କରି ନୟାଗଡ ଜିଲ୍ଲାକୁ ଆହୁରି ଆଗକୁ ନେବା ମୁଖ୍ୟ ଲକ୍ଷ୍ୟ ରହିବା ଆବଶ୍ୟକ ବୋଲି କହିଥିଲେ ଓ ସମସ୍ତ ଅଧିକାରୀଗଣ ଏଥିରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ହୋଇଥିବାରୁ ଚାଷୀମାନଙ୍କ ପାଇଁ ଜଳସେଚନର ବିକାଶକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ସହ ପ୍ରତ୍ୟେକ ବ୍ଲକର ପ୍ରଗତି ପାଇଁ ଆମକୁ ନୂତନ ପ୍ରସ୍ତାବ ଓ ଚିନ୍ତାଧାରା ସହ ଆଗକୁ ବଢ଼ିବାକୁ ହେବ। ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା, ବୃତ୍ତିଗତ ନିଷ୍ଠା ଏବଂ ନିଜସ୍ୱ ଉତ୍ସାହ ମନୋଭାବ ରହିବା ଅତ୍ୟନ୍ତ ଆବଶ୍ୟକ ଏବଂ ଜିଲ୍ଲାକୁ ଏକ “ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ଓ ଆଦର୍ଶ ଜିଲ୍ଲାରେ ପରିଣତ” କରିବାପାଇଁ ସଂକଳ୍ପ ନେବାପାଇଁ ବୈଠକରେ ଉପସ୍ଥିତଥିବା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀମତୀ ରଥଙ୍କ ଏହି ପରାମର୍ଶ ଓ ବକ୍ତବ୍ୟ ସମସ୍ତଙ୍କ ହୃଦୟକୁ ଏପରି ଛୁଇଁଥିଲାଯେ, କରତାଳି ମାଧ୍ୟମରେ ଆନନ୍ଦିତ ହୋଇ ସମସ୍ତେ ସମର୍ଥନ ଜଣାଇଥିଲେ ।
 ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ମେମ୍ବର, ବିଭିନ୍ନ ବିଭାଗର ଯନ୍ତ୍ରୀ, ବିଭାଗୀୟ ଅଧିକାରୀ, ଵିଡିଓ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l
 ପ୍ରକାଶ ଥାଉକି ଲୋକ ଜିଲ୍ଲାପାଳ ମଧୁମିତା ରଥ ଦ୍ୱାଦଶ ଜିଲ୍ଲାପରିଷଦ ବୈଠକରେ , ନୟାଗଡକୁ “ଦୁର୍ନୀତି ମୁକ୍ତ ଓ ଆଦର୍ଶ ଜିଲ୍ଲାରେ ପରିଣତ କରିବା” ଉଦ୍ଦ୍ୟମକୁ ସବୁ ମହଲରୁ ପ୍ରସଂଶା ଶୁଣିବାକୁ ମିଳୁଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *