କ୍ରୀଡ଼ା କମ୍ପ୍ଲେକ୍ସ ପାଇଁ ଆରମ୍ଭ ହେଲା ତତ୍ପରତା — ଲୋକଙ୍କ ଆଶା, ଯୁବକଙ୍କ ସ୍ୱପ୍ନକୁ ମିଳିବ ନୂଆ ଠିକଣା
ବ୍ରହ୍ମପୁର,:ଏକ କ୍ରୀଡ଼ା କମ୍ପ୍ଲେକ୍ସ କେବଳ ଖେଳ ପାଇଁ ଏକ ସ୍ଥାନ ନୁହେଁ; ଏହା ହେଉଛି ଅନେକ ଯୁବ ସ୍ୱପ୍ନର ଆରମ୍ଭସ୍ଥଳ ଏବଂ ଏକ ସୁସ୍ଥ, ସଶକ୍ତ ଓ ସୁନ୍ଦର ସମାଜ ଗଠନର ଏକ ଦୃଢ଼ ପଦକ୍ଷେପ। ଏହି ଆଶାକୁ ସାକାର କରିବା ଦିଗରେ କ୍ରୀଡ଼ା କମ୍ପ୍ଲେକ୍ସ ପାଇଁ ଆରମ୍ଭ ହୋଇଛି ତତ୍ପରତା।
ସହରର ସାଧାରଣ ଲୋକଙ୍କ ଦୀର୍ଘଦିନର ଆଶା—ପିଲାମାନଙ୍କ ପାଇଁ ଉନ୍ନତ କ୍ରୀଡ଼ା ସୁବିଧା, ଯୁବପିଢ଼ି ପାଇଁ ଏକ ଉତ୍ତମ ପରିବେଶ ଏବଂ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ନିଜକୁ ପ୍ରମାଣ କରିବାର ଏକ ସୁଯୋଗ। ଏହି ଆଶା ଏବେ ଧୀରେ ଧୀରେ ବାସ୍ତବତାର ରୂପ ନେବାକୁ ଯାଉଛି।
କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଇ, ପ୍ରତିଭାକୁ ପ୍ରୋତ୍ସାହନ ଓ ଯୁବ ସ୍ୱପ୍ନକୁ ସୁଯୋଗ ଦେବା—ଏହା ହିଁ ଆଗାମୀ ପିଢ଼ି ପାଇଁ ଆମର ସବୁଠାରୁ ବଡ଼ ନିବେଶ।
ଆଜି ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ଅଧ୍ୟକ୍ଷତାରେ ଏହି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁ ଥିରେ ଆବଶ୍ୟକତା ଭିତ୍ତିଭୂମି ଅନୁସାରେ ଟ୍ରାକ୍,ଫୁଟବଲ୍ ପଡିଆ, ଇଣ୍ଡୋର୍ ଆଥଲେଟ ହଲ୍, ଆବାସିକ କେନ୍ଦ୍ର, କ୍ରୀଡା ବିଜ୍ଞାନ କେନ୍ଦ୍ର ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା, ଏହି ବୈଠକରେ ଓଡିଶା ବ୍ରିଜ କନଷ୍ଟ୍ରକସନ କୋରପୋରେସନ (ଓ ବି ସି ସି) ର ଅଧିକାରୀ, ବିଭିନ୍ନ ପ୍ରକାର କ୍ରୀଡା ରେ ଜଡିତ ଥିବା ବ୍ୟକ୍ତି ବିଶେଷ ମାନେ ଯଥା କାମେଶ୍ଵର ରାଓ, ଅକ୍ଷୟ କୁମାର ପଟ୍ଟନାୟକ, ପ୍ରମୋଦ ମହାରଣା, ପ୍ରଶାନ୍ତ ରଥ, ସୁରେଶ ଚନ୍ଦ୍ର ପାଢୀ, ରାଜ ନାରାୟଣ ପାତ୍ର, ଅଶୋକ ଶୁକ୍ଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ l
ଆଜି ଯେଉଁ ମାଟିରେ ଜଣେ ଛୋଟ ପିଲା ଖେଳିବା ଆରମ୍ଭ କରିବ, ସେହି ମାଟିରୁ ହୁଏତ ଆସନ୍ତାକାଲି ଜଣେ ପ୍ରତିଭାବାନ କ୍ରୀଡ଼ାବିତ୍ ନିଜ ସହର, ଜିଲ୍ଲା , ରାଜ୍ୟ,ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ଗୌରବ ବଢ଼ାଇବେ।
ଲୋକଙ୍କ ଆଶାକୁ ସମ୍ମାନ, ଯୁବଙ୍କ ସ୍ୱପ୍ନକୁ ସୁଯୋଗ ଏବଂ ସହରର କ୍ରୀଡ଼ା ବିକାଶକୁ ନୂଆ ଗତି—ଏହି ଲକ୍ଷ୍ୟରେ ଆଗକୁ ବଢ଼ୁଛି କ୍ରୀଡ଼ା କମ୍ପ୍ଲେକ୍ସର ପରିକଳ୍ପନା।ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଭୁବନେଶ୍ବର ଓ ରାଉରକେଲା ଭଳି ବ୍ରହ୍ମପୁର ରେ ମଧ୍ୟ ଓଡିଶା ର ଏକ ପ୍ରମୁଖ କ୍ରୀଡା ହବ୍ ହୋଇପାରିବ ।
