November 16, 2026
Home » ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ସମାରୋହ ଓ ସଚେତନତା ରଥ ଶୁଭ ଉଦଘାଟନ

ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ସମାରୋହ ଓ ସଚେତନତା ରଥ ଶୁଭ ଉଦଘାଟନ

0
WhatsApp Image 2026-11-12 at 5.36.52 PM

: ଏକୀକୃତ ପେନ୍‌ସନ୍‌ ପୋର୍ଟାଲ୍‌ ଜରିଆରେ ସ୍ୱଚ୍ଛତା ଓ ତ୍ୱରିତ ସେବା

ପୁରୀ: ପୁରୀ ଟାଉନ ହଲ ଠାରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ନେଇ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଥିଲେ ଏବଂ ସରକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନତା ରଥର ଶୁଭ ଉଦଘାଟନ କରିଥିଲେ।
ଏକୀକୃତ ପେନ୍‌ସନ୍‌ ପରିଚାଳନା ପୋର୍ଟାଲ୍‌ (UPMP) ଏବଂ ମଧୁବାବୁ ପେନ୍‌ସନ୍‌ ଯୋଜନା (MBPY)ର ମୂଳ ଉଦ୍ଦେଶ୍ୟ
ଏହି ଅବସରରେ ଏକୀକୃତ ପେନ୍‌ସନ୍‌ ପରିଚାଳନା ପୋର୍ଟାଲ୍‌ (UPMP)ର ଶୁଭାରମ୍ଭ ଏବଂ ମଧୁବାବୁ ପେନ୍‌ସନ୍‌ ଯୋଜନା (MBPY)ର ସାଚୁରେସନ୍‌ ମୋଡ୍‌ରେ ପେନ୍‌ସନ୍‌ ବଣ୍ଟନର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ସମାଜର ବରିଷ୍ଠ ନାଗରିକ, ବିଧବା, ଦିବ୍ୟାଙ୍ଗ ଏବଂ ଅନ୍ୟାନ୍ୟ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଆର୍ଥିକ ସୁରକ୍ଷା ଓ ସମ୍ମାନଜନକ ଜୀବନ ପ୍ରଦାନ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ଆଗରେ ରଖି UPMP ଏକକ ଡିଜିଟାଲ୍‌ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ, ଯାହାଦ୍ୱାରା ପେନ୍‌ସନ୍‌ ଯୋଜନାର ପରିଚାଳନା, ହିତାଧିକାରୀଙ୍କ ତଥ୍ୟ ପରିଚାଳନା ଏବଂ ପେନ୍‌ସନ୍‌ ବଣ୍ଟନ ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସରଳ ଓ ସୁବ୍ୟବସ୍ଥିତ ହୋଇପାରିବ। ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆବେଦନର ଯାଞ୍ଚ, ଅନୁମୋଦନ ଏବଂ ପେନ୍‌ସନ୍‌ ପ୍ରଦାନ ପ୍ରକ୍ରିୟା ତ୍ୱରିତ ହେବ ଏବଂ ହିତାଧିକାରୀମାନେ ଠିକ୍‌ ସମୟରେ ସାମାଜିକ ସୁରକ୍ଷାର ସୁଫଳ ପାଇପାରିବେ।

କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ଅନୁଯାୟୀ ସମଗ୍ର ରାଜ୍ୟରେ ୫ ଲକ୍ଷ ୫ ହଜାର ୮୦୦ ଜଣ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଇଛି। କେବଳ ପୁରୀ ଜିଲ୍ଲାରେ ସମୁଦାୟ ୨୯,୪୨୬ ଜଣ ନୂତନ ହିତାଧିକାରୀଙ୍କୁ ନଭେମ୍ବର ମାସରେ ଅକ୍ଟୋବର ଓ ନଭେମ୍ବର—ଉଭୟ ମାସର ବାର୍ଦ୍ଧକ୍ୟ ଭତ୍ତା ଏକାଠି ପ୍ରଦାନ କରାଯାଉଛି। ଏଥିସହିତ ଆସନ୍ତା ଡିସେମ୍ବର ୧୫ ତାରିଖରୁ ସମସ୍ତ ପୁରଣା ଓ ନୂତନ ହିତାଧିକାରୀମାନେ ନିୟମିତ ଭାବେ ପ୍ରତି ମାସର ୧୫ ତାରିଖରେ ଭତ୍ତା ପାଇବେ।
ବ୍ୟାଙ୍କ ସମସ୍ୟାର ସମାଧାନ ଏବଂ ସ୍ୱୟଂଚାଳିତ ବର୍ଦ୍ଧିତ ଭତ୍ତା ବ୍ୟବସ୍ଥା
ବ୍ୟାଙ୍କ ଆକାଉଣ୍ଟ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଭାଗ ଟଙ୍କା ନଗଦ ଆକାରରେ ଆସନ୍ତା ନଭେମ୍ବର ୨୫ ତାରିଖରେ ଗ୍ରାମପଞ୍ଚାୟତ କିମ୍ବା ବ୍ଲକ ଅଫିସରୁ ପ୍ରଦାନ କରାଯିବ, ଯେତେବେଳେ କି କେନ୍ଦ୍ର ସରକାରଙ୍କ ଭାଗ ପୂର୍ବଭଳି ବ୍ୟାଙ୍କ ଖାତାକୁ ଯିବ। ସେହିପରି ହିତାଧିକାରୀଙ୍କୁ ୮୦ ବର୍ଷ ବୟସ ପୂର୍ଣ୍ଣ ହେଲେ ବର୍ଦ୍ଧିତ ଭତ୍ତା ପାଇଁ ଆଉ କୌଣସି ଆବେଦନ କରିବାକୁ ପଡ଼ିବ ନାହିଁ, ବରଂ ୮୦ ବର୍ଷ ହେବାର ପରମାସରୁ ସ୍ୱୟଂଚାଳିତ ଭାବେ ବର୍ଦ୍ଧିତ ଭତ୍ତା ମିଳିବ।

ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ କହିଥିଲେ ଯେ, “ରାଜ୍ୟ ସରକାରଙ୍କ ଏହି ସ୍ୱଚ୍ଛ ଓ ତ୍ୱରିତ ପଦକ୍ଷେପ ଦ୍ୱାରା ବରିଷ୍ଠ ନାଗରିକମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସମ୍ମାନର ସହ ଜୀବନଯାପନ କରିପାରିବେ।”

ସେହିପରି ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ କହିଥିଲେ ଯେ, “ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବା ଆମର ମୁଖ୍ୟ ପ୍ରତିବଦ୍ଧତା।”

କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟାନନ୍ଦ ସେଠି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ନମିତା ଚାନ୍ଦଙ୍କ ସମେତ ପୁରୀ ଜିଲ୍ଲାର ଅନ୍ୟାନ୍ୟ ଲୋକପ୍ରତିନିଧିଗଣ, ପ୍ରଶାସନିକ ଅଧିକାରୀବୃନ୍ଦ, ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଏବଂ ବହୁସଂଖ୍ୟାରେ ହିତାଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *