September 9, 2026
Home » ଗଞ୍ଜାମ ଜିଲ୍ଲାରେ ବର୍ଷକୁ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲଘୁଖଣିଜ ଲୁଟ

ଗଞ୍ଜାମ ଜିଲ୍ଲାରେ ବର୍ଷକୁ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲଘୁଖଣିଜ ଲୁଟ

0
WhatsApp Image 2026-09-08 at 5.13.58 PM

ମାଫିଆ,ଅଧିକାରୀ ଓ ନେତା ସାମିଲ – ଫରୱାର୍ଡ ବ୍ଲକ ।

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲାରେ ଲଘୁଖଣିଜ ଚୋରି ବଢି ଚାଲିଛି । ଧର୍ମକୁ ଆଖିଠାର ଭଳି ଗାଡି ଧରାଯାଉଛି । ଲଘୁଖଣିଜ ଲୁଟ ଘଟଣାରେ ମାଫିଆ,ଅଧିକାରୀ ଓ ନେତାଙ୍କ ସଂପୃକ୍ତି ରହୁଛି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା,ବାହୁଦା,ବଡ ନଦୀ ଓ ବାଘୁଆ ନଦୀ ଉପରେ ମାଫିଆଙ୍କ ନଜର ପଡିଛି । ମାଫିଆ ମାନେ ବେଆଇନ ବାଲି ଚାଲଣ ସହିତ ବିଭିନ୍ନ ରାସ୍ତାର ପାର୍ଶ୍ବରେ ବାଲିର ପାହାଡ ଭଳି ବାଲି ଗଦା କରିଛନ୍ତି । ଅଧିକାଂଶ ନକଲି ୱାଇ ଫର୍ମରେ ବାଲି ଚାଲଣ ହେଉଛି ।

କବିସୂର୍ଯ୍ୟନଗର ତହସିଲ ଅନ୍ତର୍ଗତ ଦେଓ ଗାଁ ପାହାଡରେ ବେଆଇନ ପଥର ବ୍ଳାଷ୍ଟିଙ୍ଗ ଦ୍ବାରା ଶଦ୍ଦ ପ୍ରଦୂଷଣ ସହିତ ଦେଓ ଗାଁ ଓ ବୁଢାମ୍ବର କିଛି ସାହିରେ ଘର କାନ୍ଥ ମାନଙ୍କରେ ଫାଟ ସୃଷ୍ଟି ହୋଇଛି । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କବିସୂର୍ଯ୍ୟନଗର ତହସିଲଦାରଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଦେଓ ଗାଁ ପାହାଡ ତଳେ ଏକ ଶିକ୍ଷାନୁଷ୍ଠାନ ରହିଛି । ଉକ୍ତ ଅଞ୍ଚଳରେ କୃଷ୍ଣସାର ମୃଗ,ମୟୁର,ବାରିହା, ଝିଙ୍କ,ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କ ବିଚରଣ ସ୍ଥଳୀ ହୋଇଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । କ୍ରସର ୟୁନିଟର ଧୂଳି ଓ ପଥର ବ୍ଳାଷ୍ଟିଙ୍ଗ ସମୟରେ ପଥର ଗଡି ଚାଷ ଜମିରେ ପଡି ଫସଲ ନଷ୍ଟ ହେବା ସହିତ ଚାଷ ଜମିରେ କାର୍ଯ୍ୟରତ ଚାଷୀ ଓ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ରହିଛି । କ୍ରସର ୟୁନିଟର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଯାଞ୍ଚ ସହିତ କ୍ରସର ୟୁନିଟ ପାଇଁ କେଉଁ ପାହାଡରୁ ପଥର ଉତ୍ତୋଳନ ଓ କେତେ ପରିମାଣର ଉତ୍ତୋଳନ ହୋଇଛି ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।କବିସୂର୍ଯ୍ୟନଗର ତହସିଲ ଅନ୍ତର୍ଗତ ଭାଟଖାଲି ପାହାଡରେ ବେଆଇନ ପଥର ବ୍ଳାଷ୍ଟିଙ୍ଗ ସହିତ ସେଠାରେ ବେଆଇନ କ୍ରସର, ବେଆଇନ ବାଲିର ପାହାଡ ରହିଛି । କ୍ରସର ୟୁନିଟର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଓ କେଉଁ ପାହାଡରୁ କେତେ ପରିମାଣର ପଥର ଉତ୍ତୋଳନ ପାଇଁ ଅନୁମତି ରହିଛି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପଥର ବ୍ଳାଷ୍ଟିଙ୍ଗ ଦ୍ବାରା ବନ୍ୟଜନ୍ତୁ ଓ ଜନଜୀବନ ପ୍ରତି ବିପଦ ରହିଛି । ବିଗତ ଦିନରେ ଭାଟଖାଲି ପାହାଡକୁ ନେଇ ପୁଲିସ ନିର୍ଯ୍ୟାତନାରେ ଜଣେ ବିକଳାଙ୍ଗ ଯୁବକର ମୃତ୍ୟୁ ହୋଇ ଥିଲା ।କବିସୂର୍ଯ୍ୟନଗର ତହସିଲ ଅନ୍ତର୍ଗତ ଜରଡ କ୍ରସର ୟୁନିଟ ନିକଟରେ ଗତ କିଛି ଦିନ ତଳେ କଲରାପତ୍ରିଆ ବାଘ ଶିକାର ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା । ଜରଡ କ୍ରସର ୟୁନିଟର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଯାଞ୍ଚ ସହିତ ପଥର ଉତ୍ତୋଳନ ପରମାଣ ଯାଞ୍ଚ କରାଯାଉ । ସେହିଭଳି ଗୁଡିଆଳି,ଜରଡ,ବଡଆଗୁଳ,ଖଇରପଲ୍ଲୀ ପହାଡରେ କମ୍ପ୍ରସର ଲଗାଇ ବାରୁଦ ବ୍ୟବହାର କରି ବେଆଇନ ପଥର ବ୍ଳାଷ୍ଟିଙ୍ଗ କରାଯାଉଛି । ଗୋଲମୁଣ୍ଡୁଳା ନିକଟ ବାଘୁଆ ନଦୀର ଉଭୟ ପଟୁ ବେଆଇନ ବାଲି ଚାଲଣ କରାଯାଉଛି ।ଖଲ୍ଲିକୋଟ,ଛତ୍ରପୁର,ପୁରୁଷୋତ୍ତମପୁର,କୋଦଳା,ଆସିକା,ପୋଲସରା,ଧରାକୋଟ,ଶେରଗଡ,ହିଞ୍ଜିଳିକାଟୁ,କୁକୁଡାଖଣ୍ଡି,କନିଷି,ଚିକିଟି ତହସିଲ ସମେତ ଅନ୍ୟ ତହସିଲ ଅଞ୍ଚଳରେ ଲଘୁଖଣିଜ ବର୍ଷକୁ ହଜାରେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଲୁଟ ହେଉଥିବା ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଛି । ଖଣି ଉପ ନିର୍ଦ୍ଦେଶକ,ବ୍ରହ୍ମପୁର କାର୍ଯ୍ୟାଳୟକୁ ସୂଚନା ତଥ୍ୟ ମାଗିଲେ ତଥ୍ୟ ମିଳିବାକୁ ନାହିଁ । ବେଆଇନ ବାଲି,ପଥର ଓ ମୋରମ ଚାଲଣ ଏବଂ ବେଆଇନ କ୍ରସର ୟୁନିଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଇସ୍ପାତ ଓ ଖଣି ବିଭାଗ,ଓଡ଼ିଶା,ଖଣି ନିର୍ଦ୍ଦେଶକ,ଭିଜିଲାନ୍ସ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ,ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ,କୋଷାଧ୍ୟକ୍ଷ ମିଥୁନ ବେହେରା,ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଓ ଜିଲ୍ଲା କମିଟି ସଦସ୍ୟ ବାଉରୀ ବଂଧୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଫରୱାର୍ଡ ବ୍ଲକ ପକ୍ଷରୁ କୁହାଯାଇଛି ଯେ ଓଡିଶାର ସବୁଠାରୁ ଅଧିକ ଭ୍ରଷ୍ଟ ଖଣି ବିଭାଗ । ଗଞ୍ଜାମ ଜିଲ୍ଲାର ଲଘୁଖଣିଜ ଲୁଟ ଘଟଣାରେ ମାଫିଆ,ଅଧିକାରୀ ଓ ନେତା ସାମିଲ ଥିବାରୁ ଏହାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

 

saroj kumar mishra nak report

Leave a Reply

Your email address will not be published. Required fields are marked *