ନୁଆଁଖାଇରେ ରୋଗୀ, ସମ୍ପର୍କୀୟ ଓ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଆହାର ଓ ବସ୍ତ୍ର ବଣ୍ଟନ କଲେ ମାହେଶ୍ୱରୀ ସେନା
ସୁବର୍ଣ୍ଣପୁର:ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ‘ନୁଆଁଖାଇ’ ଅବସରରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନୂଆ ଖାଇ ଆନନ୍ଦ ମନାଉଥିବା ବେଳେ ସୁବର୍ଣ୍ଣପୁର ସହରରେ ଦେଖିବାକୁ ମିଳିଥିଲା ସେବା ଓ ମାନବିକତାର ଏକ ଅନନ୍ୟ ଉଦାହରଣ । ନୁଆଁଖାଇ ପର୍ବ ଅବସରରେ ସହରର ସମସ୍ତ ଦୋକାନ-ବଜାର ବନ୍ଦ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଅସହାୟ ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ କର୍ତ୍ତବ୍ୟରତ କର୍ମଚାରୀମାନେ ଯେପରି ଭୋକିଲା ନ ରୁହନ୍ତି, ସେଥିପାଇଁ ସାମାଜିକ ସଂଗଠନ ‘ମାହେଶ୍ୱରୀ ସେନା’ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ ଯେ, ସଂଗଠନ ପକ୍ଷରୁ ଏହି ସେବା ମନୋଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଲଗାତାର ତୃତୀୟ ବର୍ଷ ପାଇଁ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହା ବ୍ୟତୀତ ମାହେଶ୍ୱରୀ ସେନାର ସଦସ୍ୟମାନେ ସୁବର୍ଣ୍ଣପୁର ସ୍ଥିତ କୁଷ୍ଠାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀମାନଙ୍କୁ ଶ୍ରଦ୍ଧାର ସହ ରନ୍ଧା ଖାଦ୍ୟ ପରିବେଷଣ କରିବା ସହ ସେମାନଙ୍କ ମଧ୍ୟରେ ବସ୍ତ୍ର ବଣ୍ଟନ କରିଥିଲେ।”ସେବା ହିଁ ପରମ ଧର୍ମ” – ଏହି ମାନ୍ୟତାକୁ ପାଥେୟ କରି ଆୟୋଜିତ ଏହି ମହତ ନିଷ୍କାମ ସେବା କାର୍ଯ୍ୟକ୍ରମ, ସଂଗଠନର ସଭାପତି ସୁଧାଂଶୁ କର୍ଣ୍ଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏଥିରେ ମା ମାହେଶ୍ୱରୀ ସେନା ସୁବର୍ଣ୍ଣପୁର ଓ ବୌଦ୍ଧର ୫୦ ରୁ ଉର୍ଦ୍ଦ୍ୱ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଉତ୍ସବର ଏହି ନିଆରା ମୁହୂର୍ତ୍ତରେ ଅସହାୟ ରୋଗୀ, ସେମାନଙ୍କ ଆତ୍ମୀୟ ଓ କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ସେବାରେ ନିଜକୁ ସମର୍ପିତ କରି ମାହେଶ୍ୱରୀ ସେନା ସମାଜ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ଦେଇଛି। ଏହି ମାନବୀୟ ପ୍ରୟାସକୁ ସୁବର୍ଣ୍ଣପୁର ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଭୂରି ଭୂରି ପ୍ରଶଂସା କରିଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
