ପାରାଦୀପ ବନ୍ଦର ର ତ୍ୱରିତ ପଦକ୍ଷେପ ଯୋଗୁଁ ଏମଟି ସିଗୁଲ-୯ ଜାହାଜ ଉଦ୍ଧାର : ସମସ୍ତ କ୍ରୁ,ପଣ୍ୟ ସୁରକ୍ଷିତ
ପାରାଦୀପ:ପାରାଦୀପ ବନ୍ଦର ପ୍ରାଧିକରଣ ଦ୍ୱାରା ଏମଟିସିଗୁଲ-୯ ନାମକ ଏକ ପଣ୍ୟବାହୀ ଜାହାଜକୁ ଗତକାଲି ଉଦ୍ଧାର କରାଯାଇଛି l ଏହି ଜାହାଜଟି ପ୍ରାୟ ୯,୦୦୦ ମେଟ୍ରିକ ଟନ କ୍ରୁଡ଼ ପାମ ଅଏଲ ନେଇ ପାରାଦୀପ ବନ୍ଦର ଅଭିମୁଖେ ଆସୁଥିଲା। ଏହି ପଣ୍ୟ ଆଦାନୀ ଉଇଲମାର ର ରହିଥିବା ବେଳେ ଏମଏସ ଆଣ୍ଟଲାଟିକ ସିପିଙ୍ଗ ଏହାର ଏଜେଣ୍ଟ ରହିଛି l ପାରାଦୀପ ପାଇଲଟ୍ ଷ୍ଟେସନ୍ ଠାରୁ ପ୍ରାୟ ୩୫ ନଟିକାଲ୍ ମାଇଲ୍ ଦୂରରେ ଥିବା ଏହି ଜାହାଜର ମୁଖ୍ୟ ଇଞ୍ଜିନ୍ ଖରାପ ହୋଇଥିବା ଏବଂ ବାଲାଷ୍ଟ ଟ୍ୟାଙ୍କରେ ପାଣି ପ୍ରବେଶ କରିବା ଯୋଗୁଁ ଜାହାଜ ଟି ପ୍ରାୟ ୧୦ ଡିଗ୍ରୀ ଗୋଟିଏ ପାର୍ଶ୍ୱକୁ ଅଣେଇ ପଡ଼ିଥିଲା । ପାଣି ନିଷ୍କାସନର ହାର ପାଣି ପ୍ରବେଶର ହାର ସହ ସମନ୍ୱୟ ରଖିପାରୁନଥିବାରୁ ତୁରନ୍ତ ସହାୟତାର ଆବଶ୍ୟକତା ଦେଖାଦେଇଥିଲା। ଜାହାଜର ଏଜେଣ୍ଟ ପକ୍ଷରୁ ପ୍ରଥମ ଯୋଗାଯୋଗ ସେପ୍ଟେମ୍ବର ୨୭ ତାରିଖ ସକାଳ ୫:୦୧ରେ ମିଳିଥିଲା। ତେବେ ଏମଆରସିସି ଆବଶ୍ୟକ ସହାୟତା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ମୁଖ୍ୟ କାର୍ଯ୍ୟାଳୟ ୭ କୁ ଅବଗତ କରାଯାଇଥିଲା । ଜରୁରୀ ସହାୟତା ପାଇଁ ପାରାଦୀପ ବନ୍ଦର ପ୍ରାଧିକରଣ ଏକ ହର୍ବର ଟଗ ପାଇଲଟ ଙ୍କ ସହିତ ନିୟୋଜିତ କରାଯାଇଥିଲା l ତେବେ ଗତକାଲି ସନ୍ଧ୍ୟାରେ ଟଗ ଏବଂ ଉଧାରକାରୀ ଦଳ ଜାହାଜ ନିକଟରେ ପହଞ୍ଚି ପାରାଦୀପ ବନ୍ଦର ପୋତାଶ୍ରୟ ଅଭିମୁଖେ ଟାଣି କରି ଆଣିଥିଲେ l ଏହି ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟରେ ପାରାଦୀପ ବନ୍ଦର,ଜାହାଜ ନିର୍ଦ୍ଦେଶାଳୟ, ତଟ ରକ୍ଷୀ ବାହିନୀ, ଏମଆରସିସି ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ରହିଥିଲା। ଏହି କାର୍ଯ୍ୟରେ ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଙ୍କ ସହଯୋଗ ଓ ସମନ୍ୱୟ ରହିଥିଲା। ଏହି ମିଳିତ ଜରୁରୀକାଳୀନ ପଦକ୍ଷେପ ଫଳରେ ଜାହାଜଟିକୁ ସୁରକ୍ଷିତ ଭାବେ ଟୋଇଂ କରାଯାଇ ପରବର୍ତ୍ତୀ ସମୟରେ ବର୍ଥିଂ କରାଯାଇଥିଲା। ଏହା ଦ୍ୱାରା ଜାହାଜ, କ୍ରୁ, ମାଲ ଓ ସାମୁଦ୍ରିକ ପରିବେଶର ସୁରକ୍ଷା ସୁନିଶ୍ଚିତ ହୋଇଥିଲା।ଏହି ଅପରେସନ କୁ ପାରାଦୀପ ବନ୍ଦର ଉପ-ସରଂକ୍ଷକ କ୍ୟାପ୍ଟେନ ଅଲେଖ ଚନ୍ଦ୍ର ସାହୁ ଙ୍କ ମାର୍ଗଦର୍ଶନରେ ସମନ୍ୱୟ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଜାହାଜଟି ସୀମିତ ଇଞ୍ଜିନ୍ ସହାୟତାରେ ହାର୍ବର ମଧ୍ୟରେ ପ୍ରବେଶ କରି ଆଜି ଅପରାହ୍ଣ ୪ଟାରେ ଏନକ୍ଯୁ ୨ ବର୍ଥରେ ସୁରକ୍ଷିତ ଭାବେ ବର୍ଥୀଙ୍ଗ କରାଯାଇଥିଲା। ସମନ୍ୱିତ ଜରୁରୀକାଳୀନ ପଦକ୍ଷେପ ଫଳରେ ଜାହାଜଟିକୁ ପାରାଦୀପ ବନ୍ଦର ସୀମା ମଧ୍ୟରେ ସୁରକ୍ଷିତ ଭାବେ ଆଣି କୌଣସି ଅତିରିକ୍ତ ଘଟଣା ବିନା ସୁରକ୍ଷିତ ଭାବେ ସ୍ଥାନିତ କରାଯାଇଥିଲା।ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ ସମସ୍ତ ସାମୁଦ୍ରିକ ଅଧିକାରୀ, ପାଇଲଟ୍, ଟଗ୍ କ୍ରୁ ଏବଂ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କୁ ସମୟୋଚିତ ସମନ୍ୱୟ, ବୃତ୍ତିଗତ ଦକ୍ଷତା ଏବଂ ଜାହାଜର ସୁରକ୍ଷିତ ଆଗମନ ଓ ବର୍ଥିଂ ସୁନିଶ୍ଚିତ କରିବାରେ ସାମୂହିକ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ଜାହାଜ, କ୍ରୁ, ମାଲ ଓ ସାମୁଦ୍ରିକ ପରିବେଶର ସୁରକ୍ଷା ପାଇଁ ହୋଇଥିବା ସମନ୍ୱିତ ସାମୁଦ୍ରିକ ପଦକ୍ଷେପକୁ ପ୍ରଶଂସା କରିଥିଲେ।
prasanta dash nka report
