October 3, 2026
Home » ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ 

ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ 

0
1001313849
ନୟାଗଡ଼: ପଂଚାୟତ ସମିତି କାର୍ଯ୍ୟାଳୟ, ନୟାଗଡ ସମ୍ମିଳନୀ କକ୍ଷରେ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଏକ ସଚେତନତା ସଭା ପୂର୍ବକ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସକାଳ ୦୭.୦୦ ଘଟିକା ସମୟରେ ଏକ ଯୋଗ ଶିବିର ଆୟୋଜନ କରାଯାଇ ବୟସ୍କ ବ୍ୟକ୍ତିମାନଙ୍କୁ ଉତ୍ତମ ଶାରୀରିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସମ୍ୟକ ଧାରଣ ଦିଆଯାଇଥିଲା । ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ଏବଂ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା
         ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ସର୍ବେଶ୍ବର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରିଯାଇଥିଲା । ଉକ୍ତ ସଭାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ନିଜର ବକ୍ତବ୍ୟରେ ବୟସ୍କ ବ୍ୟକ୍ତିମାନଙ୍କୁ ସାମାଜିକ ମୂଲ୍ୟବୋଧ, ସରକାରଙ୍କ ଯୋଜନା ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନ କରିଥିଲେ । ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବୟସ୍କ ବ୍ୟକ୍ତିମାନେ କିଭଳି ସେମାନଙ୍କର ସମ୍ମାନ ସହିତ ବଞ୍ଚିବା ସହ ନିଜେ ସୁସ୍ଥ ରହିବେ ସେ ବାବଦରେ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ ।
ସଭାରେ ଶ୍ରୀଯୁକ୍ତ ପରମାନନ୍ଦ ଦଳେଇ ଥାନା ଅଧିକାରୀ ଇଟାମାଟି ସାଇବର ସୁରକ୍ଷା ଓ ଶ୍ରୀଯୁକ୍ତ ଶରତ କୁମାର ସାହୁ ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ବ୍ୟାଙ୍କ ସୁବିଧା ବିଷୟରେ ବୟସ୍କ ବ୍ୟକ୍ତିମାନଙ୍କୁ ବୁଝାଇଥିଲେ । ଏଥି ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ବିଭିନ୍ନ ବିଭାଗର ଅଧିକାରୀ, ଏବଂ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ l ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କାମଦେବ ନାୟକ ସଭା ସଂଚାଳନର ଦାୟିତ୍ଵ ତୁଲାଇ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଓ ପଂଚାୟତ ସମିତିର କର୍ମଚାରୀମାନଙ୍କ ସହଯୋଗରେ ଉକ୍ତ ଦିବସ ସଫଳ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *