ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ
ତିନି ଗୋଟି କେନ୍ଦ୍ର ରେ ରହିବେ ହବିଷ୍ୟାଳୀ ମା ମାନେ।
ପୁରୀ : ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।ଚଳିତ ବର୍ଷ କେବଳ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯିବ।ଏହି ଆବେଦନ ପାଇଁ ପଞ୍ଜିକରଣ ଚଳିତ ମାସ ୬ ତାରିଖ ଦିବା ୧୦ ଘଟିକା ଠାରୁ ଅନଲାଇନ https://edistrict.odisha.gov.in ମାଧ୍ୟମରେ ଆରମ୍ଭ ହେବ।ଏହି ପଞ୍ଜିକରଣ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଅକ୍ଟୋବର ୨୬ ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେଉଥିବାରୁ ସମସ୍ତ ପ୍ରସ୍ତୁତି କୁ ଚୁଡାନ୍ତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।ଚଳିତ ବର୍ଷ ବୃନ୍ଦାବତୀ ନିବାସ, ମୋଚି ସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷ୍ୟାଳୀ ମା ମାନ ଙ୍କୁ ରଖାଯିବ।ସେମାନଙ୍କ ରହଣି ସହ ପ୍ରାତଃ ରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ ,ଭଜନ କୀର୍ତ୍ତନ ଇତ୍ୟାଦି ର ବ୍ୟବସ୍ଥା କରାଯାଇଛି।ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇ ଥିବେ।୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ଓ ୫୦ ରୁ ୭୦ ବର୍ଷ ବୟସ ର ବିବାହିତ ମହିଳା କେବଳ ଆବେଦନ କରିପାରିବେ।ନୂତନ ଆବେଦନକାରୀ ଙ୍କୁ ପ୍ରାଧାନ୍ୟ ଦିଆଯିବ।ଅନଲାଇନ ରେ ପଞ୍ଜିକରଣ କରି ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହବିଷ୍ୟାଳୀ ମା ମାନଙ୍କୁ ସେମାନଙ୍କ ରହଣି ସ୍ଥାନ ଓ କେତେ ତାରିଖରେ ପହଞ୍ଚିବେ ସେମାନ ଙ୍କୁ ସେମାନେ ପଞ୍ଜିକୃତ କରିଥିବା ମୋବାଇଲ ନମ୍ବର ମାଧ୍ୟମରେ ସୂଚନା ଦିଆଯିବ। ଏହି ସୂଚନା ଥିବା ରସିଦ ର କପି ସହ ସଂପୃକ୍ତ ଯୋଗ୍ଯ ହବିଷ୍ୟାଳୀ ମା ଧାର୍ଯ୍ୟ ହବିଷ୍ୟାଳୀ କେନ୍ଦ୍ର ରେ ପହଞ୍ଚିଲେ ରହଣୀ ବ୍ୟବସ୍ଥା କରାଯିବ।
ବିନା ପଞ୍ଜିକରଣ ରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତି ଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ।ଶିବିରରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
