ମହାବାତ୍ୟା କୁ ପୁରିଲା 25 ବର୍ଷ : ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ l
ସୁବର୍ଣ୍ଣପୁର– ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ଆଜି ସକାଳ ୭ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏକ ମିନି ମାରାଥନ କୁ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ। ଆୟୋଜିତ ମିନି ମାରାଥନ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ସ୍ଥାନୀୟ ରୋୟାଲ ପଡିଆ ଠାରୁ ବାହାରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ । ପରେ ପରେ ଏନଏସଏସ, ରେଡକ୍ରସ, ଗାଇଡ଼ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ମହିଳା ସ୍ଵଂୟ ସହାୟକ ଦଳ କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଶତାଧିକ ସଂଖ୍ୟା ରେ ଏକ ସଚେତନତା ଶୋଭାଯାତ୍ରାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଜନସଚେତନତା ସ୍ଲୋଗାନସହ ଶୋଭାଯାତ୍ରାରେ ଅନୁଷ୍ଠିତ ସଭାସ୍ଥଳ କୁ ପହଞ୍ଚିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ଓ ପ୍ରଶମନ ଦିବସ ପାଳନ ନିମନ୍ତେ ଅନୁଷ୍ଠିତ ସଚେତନତା ସଭା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଡେପୁଟି କଲେକ୍ଟର ଜରୁରୀ ଶାଖା ଶୁଭଶ୍ରୀ ରଥ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଜରୁରୀ ଶାଖା ଓସଡାମା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ ସଭାର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ l ୧୯୯୯ ମହାବାତ୍ୟା ରେ ଏବଂ ବିଭିନ୍ନ ପ୍ରାକୃତିକ ବିପଦରେ ସହସ୍ର ସଂଖ୍ୟା ରେ ମୃତାହତ ହୋଇଥିବା ଜନସାଧାରଣ ଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା I ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ, ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ସମୟରେ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରମେଶ ଚନ୍ଦ୍ର ସ୍ୱାଇଁ, ଆର ଟି ଓ ଅକ୍ଷୟ କୁମାର ଜେନା, ଏସ ଡି ପି ଓ ସୋନପୁର ପ୍ରମୁଖ ୧୯୯୯ ମହାବାତ୍ୟା, ଫାଇଲିନ, ହୁଡହୁଡ, ଦାନା ସହ ବିଭିନ୍ନ ପ୍ରାକୃତିକ ବିପତ୍ତିର ସ୍ମୃତି ଚାରଣ କରିଥିଲେ l ସମସ୍ତ ପ୍ରକାର ପ୍ରାକୃତିକ ବିପଦକୁ କିଭଳି ଭାବରେ ମୁକାବିଲା କରାଯାଇପାରିବ ଏବଂ ଏହି କାର୍ଯ୍ୟରେ ଯୁବ ସମାଜର ତଥା ସ୍ଥାନୀୟ ସ୍ବେଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସଦସ୍ୟା ଙ୍କ ଗୁରୁତ୍ୱପୂର୍ଣ ଭୂମିକା ଉପରେ ବିଶଦ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ମାଝୀ ଉପଯୁକ୍ତ ପ୍ରାକ ପ୍ରସ୍ତୁତି ଏବଂ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ର ସହଯୋଗରେ ଓଡିଶା କିଭଳି ବିଭିନ୍ନ ମହାବାତ୍ୟା କୁ ସଫଳତା ର ସହିତ ମୁକାବିଲା କରି ପ୍ରଶଂସିତ ହୋଇଛି ତାହାର ଉଦାହରଣ ଦେଇଥିଲେ l ଏହା ସହିତ ଜିଲ୍ଲା ପ୍ରଶାସନ ବନ୍ୟା, ମରୁଡି ର ମୁକାବିଲା କରିବା ପାଇଁ କିଭଳି ପ୍ରସ୍ତୁତ ସେ ସମ୍ବନ୍ଧରେ ସୂଚନା ଦେଇଥିଲେ I କାର୍ଯ୍ୟକ୍ରମ ଅବସରରେ ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ଚିତ୍ରାଙ୍କନ, ରଚନା, ତର୍କ ପ୍ରତିଯୋଗିତା ର ସଫଳ ଛାତ୍ର ଛାତ୍ରୀ ତଥା ମିନିମାରାଥନରେ ଉଭୟ ପୁରୁଷ ଓ ମହିଳା ବର୍ଗରେ କୃତିତ୍ୱ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସଭାଶେଷରେ ଅଗ୍ନିଶମ ବିଭାଗ ଅଧିକାରୀ ଓ ଆଗ୍ନିକ ମାନେ ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତି ଙ୍କୁ କିଭଳି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ଜନସାଧାରଣ ଙ୍କୁ ଉଦ୍ଧାର କରିହେବ ତାର ନମୁନା ପ୍ରଦର୍ଶନ କରିଥିଲେ। ଆୟୋଜିତ ସଭାରେ ତଥା କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ମହିଳା ସ୍ୱୟଂ ସହାୟକ ସଦସ୍ୟା ଓ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )