November 11, 2026
Home » ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା

ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା

0
WhatsApp Image 2026-11-09 at 3.43.22 PM

 

ସୁବର୍ଣ୍ଣପୁର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଏବଂ ବୀରମହାରାଜପୁର ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶର କିଛି ମୂଲ୍ୟ ଅଛି କି ନାହିଁ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନର ଉପର ମହଲରୁ ବାରମ୍ବାର ନିର୍ଦ୍ଦେଶ ଆସୁଥିଲେ ମଧ୍ୟ ତଳ ସ୍ତରରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ତାହାକୁ ବେଖାତିର କରି ନିଜର ଏକଚ୍ଛତ୍ରବାଦୀ ମନୋଭାବ ପୋଷଣ କରିଛନ୍ତି। ଯାହାର ସିଧାସଳଖ ପ୍ରଭାବ ବୀରମହାରାଜପୁର ଉପଖଣ୍ଡର ସର୍ବବୃହତ୍ ତଥା ସର୍ବପୁରାତନ ‘ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ’ର ୨୫୦ ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡ଼ିଛି। ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା ଥିବା ବେଳେ ଶିକ୍ଷକ ଅଭାବରୁ ସ୍କୁଲରେ ଜୀବ ବିଜ୍ଞାନ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସମସ୍ୟାର ସୂତ୍ରପାତ ଓ ପ୍ରଶାସନିକ ପଙ୍ଗୁତା ନୁହେଁ ତ ଆଉ କଣ? ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ଜୀବ ବିଜ୍ଞାନ ଶିକ୍ଷକ ନଥିବାରୁ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ନୈରାଶ୍ୟ ଖେଳିଯାଇଥିଲା। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ (DEO) ଗତ ୦୫.୦୯.୨୦୨୬ ରିଖରେ ପତ୍ର ସଂଖ୍ୟା ୪୬୧୧ ଅନୁଯାୟୀ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶ ବଳରେ ସଂଗ୍ରାମପୁର ୟୁ.ଜି.ଏଚ୍.ଏସ୍ ର ଜୀବ ବିଜ୍ଞାନ ଶିକ୍ଷୟିତ୍ରୀ ଯସ୍ମିନ ଯଶସ୍ୱିନୀ ବିଶିଙ୍କୁ ବାଳିକା ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଥିଲା। ମାତ୍ର ଆଶ୍ଚର୍ଯ୍ୟର ବିଷୟ, ସଂଗ୍ରାମପୁରର କିଛି ଅଧିବାସୀ ଶ୍ରୀମତୀ ବିଶିଙ୍କୁ ସ୍କୁଲରୁ ରିଲିଭ୍ (ଅବ୍ୟାହତି) କରାଇଦେଲେ ନାହିଁ। ନିର୍ଦ୍ଦେଶ ଉପରେ ନିର୍ଦ୍ଦେଶ, ତଥାପି ଫଳ ଶୂନ: ପ୍ରଥମ ନିର୍ଦ୍ଦେଶ ଫେଲ୍ ମାରିବା ପରେ, DEO ପୁଣିଥରେ ଗତ ୧୪.୧୦.୨୦୨୬ ରିଖରେ ପତ୍ର ସଂଖ୍ୟା ୫୫୭୯ ଅନୁଯାୟୀ ଏକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କଲେ। ଶ୍ରୀମତୀ ବିଶିଙ୍କ ସ୍ଥାନରେ ମିତାରାଣୀ ସେଠ୍‌ଙ୍କୁ ସଂଗ୍ରାମପୁର ସ୍କୁଲକୁ ଡେପୁଟେସନରେ ପଠାଇଲେ, ଯାହାଫଳରେ ଶ୍ରୀମତୀ ବିଶି ରିଲିଭ୍ ହୋଇ ବାଳିକା ଉଚ୍ଚ ବିଦ୍ୟାଳୟକୁ ଆସିପାରିବେ। ହେଲେ ଗ୍ରାମବାସୀ ମିତାରାଣୀ ସେଠ୍‌ଙ୍କୁ ସ୍କୁଲରୁ ତଡ଼ି ଦେଇଥିଲେ । ଗାଁ ଲୋକଙ୍କ ଜିଦ୍ ଥିଲା ଯେ, ସେମାନଙ୍କ ସ୍କୁଲରେ ପ୍ରାଥମିକ ଶିକ୍ଷକଙ୍କ ଅଭାବ ଅଛି, ତେଣୁ ପ୍ରଥମେ ପ୍ରାଥମିକ ଶିକ୍ଷକ ନଦେଲେ ଶ୍ରୀମତୀ ବିଶିଙ୍କୁ ଛଡ଼ାଯିବ ନାହିଁ। ଏହି ଘଟଣାକୁ ଗୁରୁତର ସହ ନେଇ ବୀରମହାରାଜପୁର ଗୋଷ୍ଟୀ ଶିକ୍ଷା ଅଧିକାରୀ ଗତ ୨୮.୧୦.୨୦୨୬ ରିଖରେ ପତ୍ର ସଂଖ୍ୟା ୧୯୯୩ ମାଧ୍ୟମରେ ଆଲୋକ କୁମାର ପଧାନଙ୍କୁ ସଂଗ୍ରାମପୁର ସ୍କୁଲକୁ ଡେପୁଟେସନରେ ପଠାଇଥିଲେ। ସେ ସେଠାରେ ଯୋଗଦାନ ମଧ୍ୟ କଲେ ଏବଂ ଗ୍ରାମବାସୀଙ୍କ ଦାବି ପୂରଣ ହେଲା। ବଡ଼ବାବୁଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି କିଏ? ଗ୍ରାମବାସୀଙ୍କ ସମସ୍ତ ଦାବି ପୂରଣ ହେବା ଏବଂ ବିକଳ୍ପ ଶିକ୍ଷକଙ୍କ ଯୋଗଦାନ ପରେ ମଧ୍ୟ ସଂଗ୍ରାମପୁର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଶିଙ୍କୁ ଆଜି ପର୍ଯ୍ୟନ୍ତ କାହିଁକି ରିଲିଭ୍ କରୁନାହାନ୍ତି, ତାହା ସମଗ୍ର ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଛି। ଜିଲ୍ଲାପାଳ ଓ ଶିକ୍ଷାଧିକାରୀଙ୍କ ସିଧାସଳଖ ନିର୍ଦ୍ଦେଶକୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ କିପରି ଏତେ ସାହସର ସହ ଉଲ୍ଲଂଘନ କରିପାରୁଛନ୍ତି? ଏହା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏକଚ୍ଛତ୍ରବାଦୀ ମନୋଭାବ ନୁହେଁ ତ ଆଉ କ’ଣ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଅନ୍ୟପଟେ ଏହି ଛକାପଞ୍ଝା ଏବଂ ପ୍ରଶାସନିକ ଟାଳଟୁଳ ନୀତି ଯୋଗୁଁ ଶିକ୍ଷୟିତ୍ରୀ ଯସ୍ମିନ ଯଶସ୍ୱିନୀ ବିଶି ଘୋର ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ସ୍ୱାସ୍ଥ୍ୟଗତ ଦୁର୍ବଳତା ଥିବା ସତ୍ତ୍ୱେ ତାଙ୍କୁ ଏଭଳି ଏକ ଅସହଜ ପରିସ୍ଥିତିରେ ଛନ୍ଦି ଦିଆଯାଇଥିବାରୁ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି। ପ୍ରଶାସନର ନିର୍ଦ୍ଦେଶ ଯଦି କାଗଜପତ୍ରରେ ସୀମିତ ରହିବ ଏବଂ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ନିଜର ଜିଦ୍‌ରେ ଅଟଳ ରହିବେ, ତେବେ ବାଳିକା ଉଚ୍ଚ ବିଦ୍ୟାଳୟର ୨୫୦ ଛାତ୍ରୀଙ୍କ ଭବିଷ୍ୟତ ପାଇଁ ଦାୟୀ ରହିବ କିଏ? ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସଂପୃକ୍ତ ଖାମଖିଆଲି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *