ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ଓମ୍ଫେଡ୍ ଷ୍ଟଲ୍ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଚା ଓମ୍ଫେଡ୍ ଉତ୍ପାଦ ପ୍ରତି ଗ୍ରାହକଙ୍କ ବଢୁଛି ଆଗ୍ରହ; ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବାକୁ ପ୍ରୟାସ
ଭୁବନେଶ୍ୱର:ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ୪୫ତମ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ଓଡିଶା ପାଭଲିୟନକୁ ଉଦ୍ଘାଟନ କରିବା ସହ ଓମ୍ଫେଡ୍ର ଆକର୍ଷଣୀୟ ଷ୍ଟଲ୍ ପରିଦର୍ଶନ କରିଛନ୍ତି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ନଭେମ୍ବର ୧୪ ରୁ ୨୭ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ରାଜ୍ୟର ବାଣିଜ୍ୟିକ ସଂସ୍ଥା ସେମାନଙ୍କ ଉତ୍ପାଦ ଓ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି।

ଏହି ମେଳାରେ ଓମ୍ଫେଡ୍ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍ ଖୋଲାଯାଇଛି। ଏଠାରେ ଓମ୍ଫେଡ୍ର ବିଭିନ୍ନ ଉଚ୍ଚମାନର ଦୁଗ୍ଧଜାତ ଉତ୍ପାଦ ଯଥା ଏ-୨ ଘିଅ, ଫ୍ଲେଭର୍ଡ ମିଲ୍କ ଓ ବିଭିନ୍ନ ସ୍ୱାଦର ଲସି ଆଦି ପ୍ରଦର୍ଶନ ସହ ବିକ୍ରି କରାଯାଉଛି। ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ ଏ-୨ ଘିଅ ଓ ଫ୍ଲେଭର୍ଡ ମିଲ୍କର ଚାହିଦା ସର୍ବାଧିକ ରହିଛି। ଓଡ଼ିଆ ଗ୍ରାହକଙ୍କ ସମେତ ଅନ୍ୟ ରାଜ୍ୟର ଗ୍ରାହକମାନେ ମଧ୍ୟ ଓମ୍ଫେଡ୍ ଉତ୍ପାଦ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି।
ଏହି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓମ୍ଫେଡ୍ର ଅଂଶଗ୍ରହଣ କେବଳ ବ୍ୟବସାୟିକ କାରବାର ମଧ୍ୟରେ ସୀମିତ ନୁହେଁ। ଓମ୍ଫେଡ୍ ଦ୍ୱାରା ପ୍ରସ୍ତୁତ ଗୁଣାତ୍ମକ ଦୁଗ୍ଧଜାତ ଉତ୍ପାଦଗୁଡ଼ିକୁ ଦେଶର ବିଭିନ୍ନ ଅଞ୍ଚଳ ସମେତ ଅନ୍ତର୍ଜାତୀୟ ବଜାରରେ ପରିଚିତ କରାଇବା ସହ ଏହାର ବଜାର ସମ୍ପ୍ରସାରଣ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟବୋଲି କହିଛନ୍ତି ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ଭା.ପ୍ର.ସେ. ।
