November 16, 2026
Home » ବିଶିଷ୍ଟ ସମାଜସେବୀ ମୃଦଙ୍ଗ ବାଦକ ଫକୀର ମୋହନ ନାଏକଙ୍କ ପରଲୋକ;

ବିଶିଷ୍ଟ ସମାଜସେବୀ ମୃଦଙ୍ଗ ବାଦକ ଫକୀର ମୋହନ ନାଏକଙ୍କ ପରଲୋକ;

0
WhatsApp Image 2026-11-16 at 4.38.02 PM

ଧର୍ମଗଡ଼ ଅଞ୍ଚଳରେ ଶୋକର ଛାୟା।

ଧର୍ମଗଡ଼: ଧର୍ମଗଡ଼ ସହର ବସ୍ତିପଡ଼ା ନିବାସୀ ତଥା ଅଞ୍ଚଳର ଜଣେ ଜଣାଶୁଣା ପରୋପକାରୀ ବ୍ୟକ୍ତିତ୍ୱ ଓ ବିଶିଷ୍ଟ ସମାଜସେବୀ ତଥା ମୁଦଙ୍ଗ ବାଦକ ଭାବରେ ଅଞ୍ଚଳରେ ପରିଚିତ ବ୍ୟକ୍ତିତ୍ୱ ଫକୀର ମୋହନ ନାଏକ (୬୯) ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଗତ କିଛି ଦିନ ହେବ ସେ ହୃଦ୍‌ରୋଗରେ ପୀଡ଼ିତ ହୋଇ ରାୟପୁର ଓ ବିଶାଖାପାଟଣାରେ ଚିକିତ୍ସିତ ହେଉଥିଲେ। ତାଙ୍କର ଦେହାନ୍ତ ହୋଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଧର୍ମଗଡ଼ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ନାଏକ ଦୀର୍ଘ ୩୦ ବର୍ଷ ଧରି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ। ସେ ୧୯୯୫ ମସିହାରୁ ‘ରୁରାଲ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ୍ ସମିତି’ର ପ୍ରତିଷ୍ଠାତା ଭାବେ କାର୍ଯ୍ୟ କରି ଆସୁଥିଲେ। ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ସେ ଗ୍ରାମାଞ୍ଚଳର କାଠ କାରିଗରମାନଙ୍କୁ ବିଭିନ୍ନ ଜୀବିକା ଯୋଜନାରେ ସାମିଲ କରି ସେମାନଙ୍କ କୌଶଳ ବିକାଶ ଦିଗରେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ଗାଁ ଗାଁ ବୁଲି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିବା ସହ ସେମାନଙ୍କୁ ସରକାରୀ ଯୋଜନା ଓ ଅଧିକାର ବିଷୟରେ ସଚେତନ କରାଉଥିଲେ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନ ତାଲିମ ଦେଇ ବହୁ ପରିବାରକୁ ଆତ୍ମନିର୍ଭରଶୀଳ କରିବାରେ ସେ ଅନେକ ସୁନାମ ଅର୍ଜନ କରିଥିଲେ। ତାଙ୍କର ଏହି ଉଲ୍ଲେଖନୀୟ ସମାଜସେବା ପାଇଁ ସେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବାର ସମ୍ମାନିତ ହୋଇଥିଲେ। ତାଙ୍କର ଯୁବାବସ୍ଥା ରେ ସମଗ୍ର ଜିଲ୍ଲାରେ ଜଣେ ଉଚ୍ଚକୋଟୀର ମୃଦଙ୍ଗ ବାଦକ ଭାବେ ସେ ବେଶ ପରିଚିତ ଥିଲେ।ତାଙ୍କ ବିୟୋଗରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ନଗରପାଳ ଅଶୋକ ମହାନ୍ତି, ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ନାଏକ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମେତ ପଣ୍ଡରାମାଳି ସମାଜର ବହୁ କାର୍ଯ୍ୟକର୍ତ୍ତା ଓ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଆଜି ସକାଳେ ଧର୍ମଗଡ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *