November 19, 2026
Home » ସମ୍ଭାବ୍ୟ ବାତ୍ୟା ‘ଆକ୍‌ଭାନ୍‌’କୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର ରାତ୍ରିକାଳୀନ ପାଟ୍ରୋଲିଂ ଜୋରଦାର

ସମ୍ଭାବ୍ୟ ବାତ୍ୟା ‘ଆକ୍‌ଭାନ୍‌’କୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର ରାତ୍ରିକାଳୀନ ପାଟ୍ରୋଲିଂ ଜୋରଦାର

0
WhatsApp Image 2026-11-19 at 1.13.51 PM

 

ଭୁବନେଶ୍ୱର,: ସମ୍ଭାବ୍ୟ ବାତ୍ୟା ‘ଆକ୍‌ଭାନ୍‌’ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗ ପକ୍ଷରୁ ସମ୍ବେଦନଶୀଳ ନଦୀ ଅଞ୍ଚଳ, ଜଳଭଣ୍ଡାର ଓ ନଦୀବନ୍ଧଗୁଡ଼ିକରେ ୨୪ ଘଣ୍ଟିଆ ନିରୀକ୍ଷଣ ଓ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। କ୍ଷେତ୍ରସ୍ତରୀୟ ତଦାରଖ ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଯନ୍ତ୍ରୀମାନଙ୍କୁ ମୁତୟନ କରାଯାଇଛି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳଭଣ୍ଡାର ଓ ଧନେଇ ଡ୍ୟାମ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଜଳଭିତ୍ତିଭୂମି ସ୍ଥଳଗୁଡ଼ିକରେ ଜଳସ୍ତର, ଜଳଭଣ୍ଡାରର ସ୍ଥିତି ଓ ବନ୍ଧର ସୁରକ୍ଷା ଉପରେ ନଜର ରଖିବା ପାଇଁ କର୍ମଚାରୀମାନଙ୍କୁ ଦିନରାତି ମୁତୟନ କରାଯାଇଛି। ଏଥିସହ ଭଞ୍ଜନଗରର ହାଡ଼ିସାହି ନିକଟସ୍ଥ ଲୋହରାଖଣ୍ଡି ନଦୀର ସମ୍ବେଦନଶୀଳ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ ଜୋରଦାର କରାଯାଇଛି। ନଦୀର ସ୍ଥିତି ଓ ଜଳପ୍ରବାହ ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ କ୍ଷେତ୍ର କର୍ମଚାରୀମାନେ ସଜାଗ ରହିଛନ୍ତି।

ଏଥିସହ ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ନଦୀବନ୍ଧ, ଜଳସେଚନ ଭିତ୍ତିଭୂମି ଓ ବନ୍ୟା ନିୟନ୍ତ୍ରଣ ସଂରଚନାର ସୁରକ୍ଷା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ଓ ନିରୀକ୍ଷଣକୁ ଜୋରଦାର କରାଯାଇଛି। ପୁରୁଷୋତ୍ତମପୁର ବ୍ରିଜ୍‌ ନିକଟସ୍ଥ ଋଷିକୁଲ୍ୟା ନଦୀର ଜଳସ୍ତର ନିରୀକ୍ଷଣ, ପୁରୁଷୋତ୍ତମପୁର ଏନ୍‌ଏସି ଓ ଭୀମପୁର ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀର ବାମପାର୍ଶ୍ୱ ବନ୍ୟାବନ୍ଧ (ଏଲ୍‌ଏଫ୍‌ବି)ର ସୁରକ୍ଷା ନିମନ୍ତେ ପାଟ୍ରୋଲିଂ କରାଯାଉଛି। ସେହିପରି ଗୋଲନ୍ଥରା ଆନିକଟ ନିକଟସ୍ଥ ଘଡ଼କା ନାଳ, ବ୍ରହ୍ମପୁରସ୍ଥିତ ଏ-ବ୍ରାଞ୍ଚ କେନାଲର ୧୦ମ ଡିଷ୍ଟ୍ରିବ୍ୟୁଟାରୀ, ଜୟମଙ୍ଗଳ ଆନିକଟ ଓ ଘୋଡ଼ାହାଡ଼ ନଦୀର ବନ୍ଧଭଙ୍ଗା ସ୍ଥଳ ସମେତ ହିଞ୍ଜିଳି ଜଳସେଚନ ଉପଖଣ୍ଡ ଅଧୀନସ୍ଥ ଘୋଡ଼ାହାଡ଼ ନଦୀରେ ମଧ୍ୟ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଛି। ଏହି ସମସ୍ତ ସ୍ଥାନରେ କ୍ଷେତ୍ର କର୍ମଚାରୀମାନେ ନିରନ୍ତର ନଜର ରଖିବା ସହ ସ୍ଥିତିରେ ପରିବର୍ତ୍ତନ ହେଲେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସଜାଗ ରହିଛନ୍ତି।

ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତ ବରିଷ୍ଠ ଯନ୍ତ୍ରୀମାନଙ୍କୁ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଜିଲ୍ଲାଗୁଡ଼ିକରେ ଅବସ୍ଥାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧିକାରୀମାନଙ୍କୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରାଯାଇଛି। ଏହାଦ୍ୱାରା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ନଦୀ ପ୍ରଣାଳୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ତଦାରଖ କରାଯିବ।

ମୁତୟନ ହୋଇଥିବା ଅଧିକାରୀମାନଙ୍କୁ ସମ୍ବେଦନଶୀଳ ନଦୀବନ୍ଧ, ବନ୍ୟା ନିୟନ୍ତ୍ରଣ ସଂରଚନା ଓ ନଦୀତଟ ସୁରକ୍ଷା କାର୍ଯ୍ୟର ସ୍ଥିତି ଯାଞ୍ଚ କରିବା, ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିବା, ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ଏବଂ ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସହ ନିରନ୍ତର ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ସର୍ବୋଚ୍ଚ ଯନ୍ତ୍ରୀ ସମଗ୍ର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। ରାଜ୍ୟରେ ସମନ୍ୱିତ ଭାବେ ମୁକାବିଲା କାର୍ଯ୍ୟ ଜାରି ରଖିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଏହି ସମୟରେ ନାଗରିକମାନଙ୍କୁ ନଦୀତଟ, ଜଳଭଣ୍ଡାର ଓ ଜଳ ନିଷ୍କାସନ ସ୍ଥାନଠାରୁ ଦୂରରେ ରହିବା ସହ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସତର୍କ ସୂଚନା ଓ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *