November 29, 2026
Home » ଅଡିଟ୍ ଅଦାଲତ ଓ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକା ଉପରେ ଆଲୋଚନା ଚକ୍ର

ଅଡିଟ୍ ଅଦାଲତ ଓ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକା ଉପରେ ଆଲୋଚନା ଚକ୍ର

0
WhatsApp Image 2026-11-27 at 11.11.12 PM (1)

 

ଭୁବନେଶ୍ୱର,: ଅଡିଟ୍ ସପ୍ତାହ-୨୦୨୬ ପାଳନ ଅବସରରେ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ “ଅଡିଟ୍ ଅଦାଲତ ଏବଂ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକା” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ସେମିନାର ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର ଏହି ସେମିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ପ୍ରାୟ ୨୦ଟି ବିଭାଗର ଆର୍ଥିକ ପରାମର୍ଶଦାତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଭରତ ଚନ୍ଦ୍ର ବେହେରା ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ସରକାରୀ ବିଭାଗର ବଜେଟ୍ ଅନୁଧ୍ୟାନ, ବ୍ୟୟ ନିୟନ୍ତ୍ରଣ ଏବଂ ଆର୍ଥିକ ପରିଚାଳନାରେ ଆର୍ଥିକ ପରାମର୍ଶଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ସଞ୍ଜୀବ କୁମାର ମିଶ୍ର ତାଙ୍କ ଅଭିଭାଷଣରେ ସରକାରୀ ସମ୍ବଳର ସୁରକ୍ଷା ଓ ଏହାର ସୁବିନିଯୋଗ କ୍ଷେତ୍ରରେ ଆର୍ଥିକ ପରାମର୍ଶଦାତାଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେ ସମସ୍ତ ଆର୍ଥିକ ପରାମର୍ଶଦାତାଙ୍କୁ ନିଜ ନିଜ ବିଭାଗର କାର୍ଯ୍ୟଧାରା ଓ ବିଷୟଭିତ୍ତିକ ଜ୍ଞାନ ହାସଲ କରିବା ସହ ଦକ୍ଷ ବଜେଟ୍ ନିରୀକ୍ଷଣ ଓ ଉନ୍ନତ ଆର୍ଥିକ ନିଷ୍ପତ୍ତି ଗ୍ରହଣରେ ସକ୍ରିୟ ଭୂମିକା ନେବାକୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଓଡ଼ିଶାକୁ ଏକ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ହାସଲ ଦିଗରେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ୍-I), ଓଡ଼ିଶା ଶ୍ରୀ ସୁବୁ ଆର୍ ଅଡିଟ୍ ଅଦାଲତର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ ଯେ, ସରକାରୀ ବିଭାଗଗୁଡ଼ିକରେ ଦୀର୍ଘଦିନ ଧରି ବିଚାରାଧୀନ ରହିଥିବା ଅଡିଟ୍ ଅନୁଚ୍ଛେଦଗୁଡ଼ିକର ସମାଧାନ ପାଇଁ ଅଡିଟ୍ ଅଦାଲତ ଏକ ଅଭିନବ ଓ ପ୍ରଭାବଶାଳୀ ପଦକ୍ଷେପ। ଏହି କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଅଡିଟ୍ ଅଦାଲତ ୨୫ ନଭେମ୍ବର ୨୦୨୫ରେ ଆୟୋଜିତ ହୋଇଥିବାରୁ ଆଜିର ଦିନଟି ଏହାର ପ୍ରଥମ ବାର୍ଷିକୀ ଭାବେ ପାଳିତ ହେଉଛି।
ସେ ଆହୁରି କହିଥିଲେ ଯେ, ପାରମ୍ପରିକ ତ୍ରିପାକ୍ଷିକ କମିଟି (ଟିସି) ବୈଠକ ସାଧାରଣତଃ କ୍ଷେତ୍ରୀୟ କାର୍ଯ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଅଡିଟ୍ ଅଦାଲତ ଏକ ଉଚ୍ଚସ୍ତରୀୟ ମଞ୍ଚ ଯୋଗାଇ ଦେଇଥାଏ, ଯାହା ଫଳରେ ବକେୟା ଅଡିଟ୍ ଅନୁଚ୍ଛେଦଗୁଡ଼ିକର ଶୀଘ୍ର ସମାଧାନ ସମ୍ଭବ ହୋଇପାରେ। ବିଳମ୍ବିତ ଉତ୍ତର, ଅସମ୍ପୂର୍ଣ୍ଣ ଅନୁପାଳନ ଏବଂ ଆବଶ୍ୟକୀୟ ପ୍ରମାଣପତ୍ରର ଅଭାବ ଯୋଗୁଁ ଅଡିଟ୍ ଅନୁଚ୍ଛେଦଗୁଡ଼ିକର ସମାଧାନରେ ବିଳମ୍ବ ହେଉଥିବା ସେ ଉଲ୍ଲେଖ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଆର୍ଥିକ ପରାମର୍ଶଦାତାମାନଙ୍କ ସହଯୋଗ ଓ ସମର୍ଥନ କାମନା କରିଥିଲେ।
ପୂର୍ବାଞ୍ଚଳର ମହାନିର୍ଦ୍ଦେଶକ ଶ୍ରୀ କେ.ପି. ଆନନ୍ଦ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆର୍ଥିକ ଦାୟିତ୍ୱ ତୁଲାଉଥିବା ଅଧିକାରୀମାନଙ୍କ ସମ୍ମୁଖୀନ ହେଉଥିବା ଆହ୍ୱାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଉନ୍ନତ ଆର୍ଥିକ ନିଷ୍ପତ୍ତି ଗ୍ରହଣ ପାଇଁ ଆର୍ଥିକ ପରାମର୍ଶଦାତାମାନେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଠିକ୍ ସମୟରେ ଉପଯୁକ୍ତ ପରାମର୍ଶ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହ ରାଜ୍ୟର ଆର୍ଥିକ ସ୍ଥିତି ଓ ଏହାର ପରିବର୍ତ୍ତନକୁ ବୁଝିବା ପାଇଁ ରାଜ୍ୟ ଆର୍ଥିକ ଅଡିଟ୍ ରିପୋର୍ଟ (SFAR) ନିୟମିତ ଅଧ୍ୟୟନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଶ୍ରୀ ସଞ୍ଜୟ କୁମାର , ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ୍-II) ଶ୍ରୀ ଅତୁଲ ପ୍ରକାଶଙ୍କ ବାର୍ତ୍ତା ପାଠ କରିବା ସହ ତାଙ୍କ କାର୍ଯ୍ୟାଳୟରେ ଅଡିଟ୍ ଅନୁଚ୍ଛେଦଗୁଡ଼ିକର ସମାଧାନର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।
ସେମିନାରରେ ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଶ୍ରୀ ଏନ ବାଲକ୍ରିଷ୍ଣା “ଅଡିଟ୍ ଅଦାଲତ ଏବଂ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକା” ଶୀର୍ଷକ ଏକ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିଭିନ୍ନ ବିଭାଗରେ ଅଡିଟ୍ ଅନୁଚ୍ଛେଦଗୁଡ଼ିକର ସମାଧାନର ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଅନ୍ୟ ଏକ ଉପସ୍ଥାପନାରେ ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଶ୍ରୀ ବାନୋଥ ରାକେଶ ନାୟକ “ସୁଶାସନକୁ ସୁଦୃଢ଼ କରିବାରେ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକା” ବିଷୟରେ ଆଲୋକପାତ କରିଥିଲେ। ସରକାରୀ ନିଷ୍ପତ୍ତି ଗ୍ରହଣ, ଆର୍ଥିକ ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବାରେ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି ସେ ମତ ଦେଇଥିଲେ।
ସେମିନାରରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ୍-I) ଶ୍ରୀ ସୁବୁ ଆର୍, ପୂର୍ବାଞ୍ଚଳର ମହାନିର୍ଦ୍ଦେଶକ ଶ୍ରୀ କେ.ପି. ଆନନ୍ଦ, ବିଭିନ୍ନ ଗ୍ରୁପ୍ ଅଫିସର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଶେଷରେ ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଶ୍ରୀ ସୁବ୍ରତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିବା ସହ ସେମିନାରର ପରିସମାପ୍ତି ଘୋଷଣା କରିଥିଲେ।
ସେମିନାରରେ ଅଡିଟ୍ ଅନୁଚ୍ଛେଦଗୁଡ଼ିକର ତ୍ୱରିତ ସମାଧାନ, ଆର୍ଥିକ ଶୃଙ୍ଖଳାର ସୁଦୃଢ଼ୀକରଣ ଏବଂ ସୁଶାସନ ପ୍ରତିଷ୍ଠା ଦିଗରେ ଅଡିଟ୍ ବିଭାଗ ଓ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *