July 4, 2025
Home » ଗ୍ରୀଷ୍ମ ଦିନ ପ୍ରଚଣ୍ଡ ଖରାକୁ ନେଇ ପ୍ରସ୍ତୁତି ଆରମ୍ଭ

ଗ୍ରୀଷ୍ମ ଦିନ ପ୍ରଚଣ୍ଡ ଖରାକୁ ନେଇ ପ୍ରସ୍ତୁତି ଆରମ୍ଭ

0
puri-summer

ଆଗକୁ ଆସୁଛି ଗ୍ରୀଷ୍ମ ଦିନ। ପ୍ରଚଣ୍ଡ ଖରାକୁ ନେଇ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖିନ ନ ହୁଅନ୍ତି ସେ ଦିଗରେ ପୁରୀ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗକୁ ଗ୍ରୀଷ୍ମ ରୁତୁ ଆସୁଥିବା ବେଳେ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇଦେବା ପାଇଁ ବୈଠକରେ ଆଲୋଚନା ହୋଇଛି। ପ୍ରବଳ ଖରାରେ ଭକ୍ତଙ୍କ ଗୋଡ଼ ଯେଭଳି ତାତି ନଯାଏ ସେନେଇ ବଡ଼ଦାଣ୍ଡ ରୁ ଶ୍ରୀମନ୍ଦିର ଯାଏଁ କାର୍ପେଟର ବ୍ୟବସ୍ଥା ହେବ। ସେହିପରି ଭକ୍ତଙ୍କୁ ଛାୟା ପ୍ରଦାନ କରିବା ପାଇଁ ସେଡ୍ ବ୍ୟବସ୍ଥା ସହିତ, ପାନୀୟ ଜଳ ଏବଂ ପଙ୍ଖା ର ବ୍ୟବସ୍ଥା ମଧ୍ୟ ହେବ। ଏଥିସହିତ ଭକ୍ତମାନଙ୍କ ଉପରେ ଜଳ ସିଞ୍ଚନ ପାଇଁ ମଧ୍ୟ ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ଚାରି ଦ୍ଵାରରେ ଭକ୍ତମାନଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର ନିର୍ମାଣ କରାଯିବ। ଶ୍ରୀମନ୍ଦିର ସିଂହଦ୍ଵାରରେ ଗୋଟିଏ ସୂଚନା କେନ୍ଦ୍ର ଥିବା ଯୋଗୁ ଭକ୍ତମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏଣୁ ଭକ୍ତମାନଙ୍କୁ ସୂଚନା ପ୍ରଦାନ ନିମନ୍ତେ ଅନ୍ୟ ତିନି ଦ୍ବାରରେ ତିନୋଟି ସୂଚନା କେନ୍ଦ୍ର କରାଯିବ। ସେହିପରି ଶ୍ରୀମନ୍ଦିର ଭିତରେ ଭିଡିଓ ଭାଇରାଲ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ। ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ସମ୍ପୂର୍ଣ୍ଣ ନିଷେଧ। ଯେଉଁ ବ୍ୟକ୍ତି ନିୟମ ଉଲ୍ଲଘଂନ କରିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ଗର୍ଭଗୃହ ର ଭିଡିଓ ଭାଇରାଲ୍ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଯିଏ ବି ଏଥିରେ ସମ୍ପୃକ୍ତ ଥିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିରକୁ ମୋବାଇଲ୍ ନ ନେବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇ ଭକ୍ତଙ୍କୁ ସଚେତନ କରାଯାଉଥିବା ପୁରୀ ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଏସପିଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *