ଅନ୍ଲାଇନ୍ ଔଷଧ ବିକ୍ରିକୁ ବିରୋଧ: ୨୦ରେ ରାଜ୍ୟବ୍ୟାପୀ ଦୋକାନ ବନ୍ଦ
ଅନ୍ଲାଇନ୍ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତା ୨୦ ତାରିଖରେ ଓଡିଶାର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ (ୟୁସିଡିଏ) ପକ୍ଷରୁ ସୂଚନା ଦିଆଯାଇଛି।ୟୁସିଡିଏ ପକ୍ଷରୁ କୁହାଯାଇଛି ଯେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ନିୟମାନୁଯାୟୀ ଅନ୍ଲାଇନରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନାହିଁ। କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍ଲାଇନ୍ରେ ଦେବାପାଇଁ ଅନୁମତି ପ୍ରଦାନ କରିଥିଲେ। ହେଲେ ଆଜି ସ୍ଥିତି ସୁଧୁରିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରିନାହାଁନ୍ତି। ଯାହାକି ଆମର ୩୦୦୦୦ ସଭ୍ୟଙ୍କ ବ୍ୟାପାରରେ ବ୍ୟାଘାତ ହେବା ସହିତ ୨୫ ଲକ୍ଷ ପରିବାରଙ୍କ ଚିନ୍ତାର କାରଣ ପାଲଟିଛି।

ଅନେକ ଆପତ୍ତି ଜନକ ଔଷଧ ଯାହା ଡାକ୍ତରୀ ଚିଠାରେ ବିକ୍ରି ହେବା କଥା ନୁହେଁ, ତାହା ଆଜି ସହଜ ଭାବରେ ଉପଲବ୍ଧ ହେଉଛି। ଔଷଧ ବ୍ୟବସାୟର ଲାଭାଂଶ ଓ ଏମ୍ଆରପି ଯାହା ସରକାରଙ୍କ ଦ୍ୱାରା ସ୍ଥିରିକୃତ (ଏନ୍ପିସିଏ/ଡିପିସିଓ) ହୋଇଥାଏ। ତା’ ଠାରୁ ଅତି ଅଧିକ ମାତ୍ରାରେ ରିହାତିରେ ଔଷଧ ଅନ୍ଲାଇନ୍ରେ ମିଳୁଛି। ଯାହା ସାଧାରଣ ବ୍ୟବସାୟୀଙ୍କୁ ଅନେକ କ୍ଷତି ପହଞ୍ଚାଇଛି। ସେହିପରି ବିନା ଫାର୍ମାସିଷ୍ଟଙ୍କ ତତ୍ତ୍ୱାବଧାନରେ ଔଷଧ, ଗ୍ରାହକ ଗ୍ରହଣ କରି ସେବନ କରୁଥିବାରୁ ଆଣ୍ଟିବାଓଟିକ୍ ରେଜିଷ୍ଟାନ୍ସ ମାତ୍ରା ବଢି ବଢି ଯାଉଛି। ତେଣୁ କୋଭିଡ୍ ସମୟ ଜରୁରୀ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରାଯାଉ। ଅତ୍ୟଧିକ ରିହାତି ପ୍ରଦାନକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ୟୁସିଡିଏର ସଭାପତି ପି ସତ୍ୟନାରାୟଣ ଏବଂ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ଦାବୀ କରିଛନ୍ତି।
