August 21, 2026
Home » ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ମାଇକ୍ରୋ ଲେଭେଲ୍ ସୁରକ୍ଷା ସମୀକ୍ଷା ଓ ଭୂମିସ୍ତରୀୟ ଇନ୍ସପେକ୍ସନ୍

ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ମାଇକ୍ରୋ ଲେଭେଲ୍ ସୁରକ୍ଷା ସମୀକ୍ଷା ଓ ଭୂମିସ୍ତରୀୟ ଇନ୍ସପେକ୍ସନ୍

0
WhatsApp Image 2026-01-20 at 2.47.29 PM

ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ପୁରୀରେ ଆସନ୍ତା ରଥଯାତ୍ରା ୨୦୨୬ ଉପଲକ୍ଷେ ଦେଶ ଓ ବିଦେଶରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବାର ସମ୍ଭାବନା ରହିଥିବା ପରିପ୍ରେକ୍ଷିତରେ, ସାର୍ବଜନୀନ ସୁରକ୍ଷା, ଶାନ୍ତି ଶୃଙ୍ଖଳା, ଯାତାୟାତ ପରିଚାଳନା ଓ ସୁସଂଗଠିତ ଭିଡ଼ ପରିଚାଳନାକୁ ସୁନିଶ୍ଚିତ କରିବା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ତୀବ୍ର ଗତିରେ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷିତରେ ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ଗୁଣ୍ଡିଚା ମନ୍ଦିର ପରିସର ଓ ସଂଲଗ୍ନ ବିଭିନ୍ନ ସାହି, ଗଳି, ଲେନ୍ ଓ ବାଇ ଲେନ୍‌ର ମାଇକ୍ରୋ ଲେଭେଲ୍ ସମୀକ୍ଷା ସହ ଭୂମିସ୍ତରୀୟ ଇନ୍ସପେକ୍ସନ୍ କରାଯାଇଛି। ସକାଳ ପ୍ରାୟ ୭ଟାରୁ ଆରମ୍ଭ ହୋଇଥିବା ଏହି ଇନ୍ସପେକ୍ସନ୍ ସମୟରେ ଅବକାଶ ଗଳି, ଫ୍ରେଣ୍ଡ୍ସ କ୍ଲବ ଗଳି, ମୁଣ୍ଡିଆ ମରା, ମାଟିଆପଡା, ଲାବଣ୍ୟ ଗଳି, ହରିହର ଗଳି, ଗୁଣ୍ଡିଚା ବିହାର ଗଳି, ବସ୍ ଷ୍ଟାଣ୍ଡ ଅଞ୍ଚଳ ସହିତ ପୁରୀ ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଗ୍ରସ୍ତ କରାଯାଇଥିଲା।

ଏହି ସମସ୍ତ ଅଞ୍ଚଳ ମାଧ୍ୟମରେ ରଥଯାତ୍ରା ସମୟରେ ଓ ସାଧାରଣ ଦିନରେ ମଧ୍ୟ ବିଶାଳ ସଂଖ୍ୟାରେ ଭକ୍ତ ଓ ପର୍ଯ୍ୟଟକଙ୍କ ଯାତାୟାତ ହୋଇଥାଏ।ଇନ୍ସପେକ୍ସନ୍ ସମୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ ନିଜେ ଲେନ୍ ଓ ବାଇ-ଲେନ୍‌ଗୁଡ଼ିକର ଚଉଡ଼ା, ରାସ୍ତାର ଭୌତିକ ଅବସ୍ଥା, ସମ୍ଭାବ୍ୟ ଟ୍ରାଫିକ୍ ଅବରୋଧ ସ୍ଥାନ, ଅନାବଶ୍ୟକ ଓ ଅବୈଧ ପାର୍କିଂ, ଭିଡ଼ ପ୍ରବଣ ଅଞ୍ଚଳ, ଅନ୍ଧାର ସ୍ଥାନ, ଆଲୋକ ବ୍ୟବସ୍ଥା, ସିସିଟିଭି କଭରେଜ୍, ଫାୟାର୍ ସେଫ୍ଟି, ଏବଂ ଆପାତକାଳୀନ ସ୍ଥିତିରେ ରେସ୍କ୍ୟୁ ଓ ଏକ୍ସେସ୍ ରୁଟ୍ ସମ୍ପର୍କରେ ସବିସ୍ତାର ଭାବେ ଅନୁଧ୍ୟାନ କରିଥିଲେ।ସେଥିସହ ନିକଟସ୍ଥ ଥାନା ଅଧିକାରୀ, ସହର ଡିଭିଜନର ଅଧିକାରୀ ଓ ଫିଲ୍ଡ୍ ଅଫିସରମାନଙ୍କୁ ସମ୍ଭାବ୍ୟ ସମସ୍ୟା, ଚ୍ୟାଲେଞ୍ଜ ଓ ଦୁର୍ବଳତାଗୁଡ଼ିକୁ ପୂର୍ବରୁ ଚିହ୍ନଟ କରି ସମୟମତେ ପ୍ରତିକାରମୂଳକ ବ୍ୟବସ୍ଥା ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ଅବସରରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ କହିଥିଲେ“ପୁରୀ ହେଉଛି ଭଗବାନ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ଏବଂ ସାରା ବିଶ୍ୱର ଆସ୍ଥାର କେନ୍ଦ୍ର। ରଥଯାତ୍ରା ଓ ପର୍ଯ୍ୟଟକ ଋତୁରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସନ୍ତି। ସେମାନଙ୍କ ସୁରକ୍ଷା, ସୁବିଧା ଓ ସକାରାତ୍ମକ ଅନୁଭବ ନିଶ୍ଚିତ କରିବା ପୁରୀ ପୋଲିସର ପ୍ରଥମ ପ୍ରାଥମିକତା। ସେଥିପାଇଁ ସାହି, ଗଳି ଓ ବାଇ ଲେନ୍‌ଗୁଡ଼ିକୁ ଗୁରୁତ୍ୱ ଦେଇ ମାଇକ୍ରୋ ଲେଭେଲ୍ ସମୀକ୍ଷା କରାଯାଉଛି।” ମହିଳା ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ, ମହିଳାମାନେ ଯେକୌଣସି ସମସ୍ୟାରେ ନିର୍ଭୟ ଭାବେ ପୋଲିସ ସହ ଯୋଗାଯୋଗ କରିପାରିବେ। ପର୍ଯ୍ୟଟକ ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା ଓ ସୁସଂଗଠିତ ରଥଯାତ୍ରା ପରିଚାଳନା ଦୃଷ୍ଟିରେ ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟାୟକ୍ରମେ ମାଇକ୍ରୋ ଲେଭେଲ୍ ସମୀକ୍ଷା, ରୁଟ୍ ମ୍ୟାନେଜମେଣ୍ଟ, ପଦଚାରୀ ପେଟ୍ରୋଲିଂ, ନାକାବନ୍ଦୀ, ସିସିଟିଭି ନିରୀକ୍ଷଣ ଓ ଆଧୁନିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ପୁରୀ ପୋଲିସ ପକ୍ଷରୁ ସହରବାସୀ, ବ୍ୟବସାୟୀ, ହୋଟେଲ ମାଲିକ, ସେବାୟତ, ସ୍ୱଇଛାସେବକ ଓ ପର୍ଯ୍ୟଟକମାନଙ୍କୁ ପୋଲିସ ପ୍ରଶାସନ ସହ ସହଯୋଗ କରିବା ପାଇଁ ଆହ୍ବାନ କରାଯାଇଛି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ, ଅସାମାଜିକ ତତ୍ତ୍ୱ କିମ୍ବା ଆପାତକାଳୀନ ସ୍ଥିତି ଦେଖିଲେ ସଙ୍ଗେ ସଙ୍ଗେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଏସଏସଏମଏସଭିର କମାଣ୍ଡାଣ୍ଟ ଶ୍ରୀ ତାପସ ଦାସ, ଡେପୁଟି କମାଣ୍ଡାଣ୍ଟ ଶ୍ରୀ କୌଶିକ ନାୟକ, ସିଟି ଡିଏସପି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ସହ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।