September 22, 2026
Home » ଏହି ସରକାରରେ କିଏ କାହା କଥା ଶୁଣୁ ନାହାନ୍ତି, ଯିଏ ଯେତେ ପାରିଲା ଲୁଟକରି ଚାଲିଛି

ଏହି ସରକାରରେ କିଏ କାହା କଥା ଶୁଣୁ ନାହାନ୍ତି, ଯିଏ ଯେତେ ପାରିଲା ଲୁଟକରି ଚାଲିଛି

0
WhatsApp Image 2026-09-22 at 2.05.59 PM (2)

 

କଂଗ୍ରେସ ସରକାର ଆସିଲେ, ଜନତାଙ୍କ ପାଇଁ ନୀତି ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ ସମସ୍ତ ଖଣି ଅନିର୍ଦିଷ୍ଟ କାଳପାଇଁ ବନ୍ଦକରି ଦିଆଯିବ : ଭକ୍ତ

ଭୁବନେଶ୍ୱର: ଏମଏମଡିଆର କଳା ଆଇନ ଉଚ୍ଛେଦକୁ ନେଇ ସୁନ୍ଦରଗଡ଼ ପରେ ରାୟଗଡାଠାରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା l
ଏହି ସଭାରେ ଉପସ୍ଥିତ ବିସ୍ଥାପିତ, ଆଦିବାସୀ ଜନସମୂହ ତଥା କଂଗ୍ରେସ କର୍ମୀଙ୍କୁ ଉଦବୋଧନ ଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ,
ରାଜ୍ୟର ସମସ୍ତ ଖଣିଜ ସମ୍ପଦ ଥିବା ଜିଲ୍ଲା ଏବଂ ଏହି ଅଭିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଖଣିଜ ସମ୍ପଦ ଉତ୍ତୋଳନ କରି ଅଦାନୀ, ଅମ୍ବାନୀ, ଟାଟା, ବିରଲା, ବେଦାନ୍ତ, ଆଦି ଲକ୍ଷ ଲକ୍ଷ କୋଟି ଟଙ୍କା ଉପାର୍ଜନ କରିଛନ୍ତି, ଦେଶ ଓ ବିଦେଶରେ ବୃହତ କମ୍ପାନି ରୂପେ ପରିଚୟ ପାଇଛନ୍ତି । ଓଡ଼ିଶାରୁ ଖଣିଜ ଉତ୍ତୋଳନ କରି ଧନଶାଳୀ ହୋଇଥିବା ବେଳେ ଓଡ଼ିଶା ପାଇଲା କଣ ବୋଲି ପ୍ରଶ୍ନ କରିଛନ୍ତି ? ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଗାଁମାନଙ୍କୁ ରାସ୍ତା ନାହିଁ, ଆଦିବାସୀ ବିସ୍ଥାପିତ ହୋଇ ଦାଦନ ଯାଇ ଶବ ହୋଇ ଫେରୁଛନ୍ତି । କିଛିଦିନ ତଳେ ତାମିଲନାଡୁରୁ ଅନେକ ଶବ ହୋଇ ଫେରିଥିଲେ, ଆମେ ଶୋକ ସନ୍ତପ୍ତ 14 ପରିବାରଙ୍କୁ ସାକ୍ଷାତ ପାଇଁ ଯାଇଥିଲୁ, ସେମାନେ ଦୁଇଗୋଟି ନଦୀ ପାରି ହୋଇ ଆସିଥିଲେ l ରାଉରକେଲା ସରକାରୀ ଲୁହା କାରଖାନା ଯାଆନ୍ତୁ ବୁଲି ଆସିବେ । କାରଖାନା ଚାରିଆଡ଼େ ଗ୍ରାମାଞ୍ଚଳର ଅବସ୍ଥା କଣ ଥରେ ଦେଖି ଆସନ୍ତୁ ।

ଅତି ଦୟନୀୟ, ଲୋକେ କାମପାଇଁ ଗ୍ରାମ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । କେନ୍ଦୁଝରରେ ଦେଶର ସମସ୍ତ ଧନାଢ୍ୟ ଲୋକଙ୍କ ସମାବେଶ, କିନ୍ତୁ କେନ୍ଦୁଝର ଲୋକ ସବୁଠୁ ଦରିଦ୍ର l ପୁଞ୍ଜିପତିଙ୍କୁ ଆମର ବିରୋଧ ନାହିଁ, କିନ୍ତୁ ଆମ ଜଳ, ଜଙ୍ଗଲ, ଜମିର ସୁରକ୍ଷା ପାଇଁ 24 ବର୍ଷର ବିଜେଡି ସରକାର ଓ ଅଢେଇ ବର୍ଷର ବିଜେପି ସରକାର ଆଇନ କରିପାରିଲେ ନାହିଁ । ଆଜି ପର୍ଯ୍ୟନ୍ତ କରିପାରିଲେ ନାହିଁ । ଲକ୍ଷ ଲକ୍ଷ କୋଟି ଟଙ୍କା ଲାଭ ମିଳୁଛି, କିନ୍ତୁ ଖଣି ପ୍ରଭାବିତ ଅଞ୍ଚଳରୁ ବିସ୍ଥାପିତ ହେଉଥିବା ନିରୀହ ଆଦିବାସୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହେଉ ନାହିଁ । ଗ୍ରାମମାନଙ୍କୁ ପକ୍କା ଘର ଦୂର କଥା, ଡ୍ରେନ ଟିଏ କିମ୍ବା କଂକ୍ରିଟ ରାସ୍ତା ଟିଏ ମଧ୍ୟ ନାହିଁ । ଦୁଇ ଓଳି ଖାଇବାକୁ ନାହିଁ । ଏମାନଙ୍କ ସନ୍ତାନ ସ୍କୁଲ କଲେଜ ଯିବେ କିପରି ? ସମସ୍ତ ଖଣି ଜିଲ୍ଲାମାନଙ୍କୁ ଡିଏମଏଫ୍ ଫଣ୍ଡ ହଜାର ହଜାର କୋଟି ଟଙ୍କା ପଡ଼ି ରହିଛି । କେନ୍ଦୁଝର ଜିଲ୍ଲାରେ କେବଳ 14 ହଜାର କୋଟି ଟଙ୍କା ଡିଏମଏଫ୍ ଫଣ୍ଡରେ ପଡ଼ି ରହିଛି । ସରକାର ଖର୍ଚ୍ଚ କରି ପାରୁ ନାହାନ୍ତି । 2024 ରେ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ 1 ଲକ୍ଷ 10 ହଜାର କୋଟି ଟଙ୍କା ରାଜ୍ୟର ରାଜସ୍ୱ କମ୍ପାନୀଙ୍କ ଉପରେ ରହିଛି, ଯାହା ଆଦୟ ହେବା କଥା କିନ୍ତୁ ଏହି ଏମଏମଡିଆର ଜାରିକରି କେନ୍ଦ୍ର ଆମ ଟଙ୍କାକୁ ରୋକିବାର ପ୍ରୟାସ କରୁଛି l
ସେତେବେଳେ କଂଗ୍ରେସ ସରକାର ଥିଲା, ମୁଁ ସାଂସଦ ଥିଲି। ନିୟମଗିରିକୁ ଖଣି ଉତ୍ତୋଳନ ପାଇଁ ବିକ୍ରି କରିବାର ଯୋଜନା ହେଲା। ଆମେ ସଂଗ୍ରାମ କଲୁ। ଆମ ଲଢୁଆ ଜନନାୟକ ରାହୁଲ ଗାନ୍ଧୀ ନିଜେ ନିୟମଗିରି ଆସି ଏହାର ପ୍ରାକୃତିକ ଶୋଭା ଦେଖିଲେ, ନିରୀହ ନିର୍ଦ୍ଦୋଷ ଓ ବିରଳ ଆଦିବାସୀଙ୍କ ସହ ଖାଇଲେ, ବୁଲିଲେ।
ପାଞ୍ଚ ବର୍ଷର ଲଢେଇ ହୋଇଛି। ମୁଁ ସାଂସଦ ହୋଇ ରାସ୍ତାରେ ଶୋଇଛି। ଖଣି ବିଭାଗ, ଅର୍ଥ ବିଭାଗ ଓ ପ୍ରଧାନମନ୍ତ୍ରୀଙ୍କ ବହୁ ଚାପ ସତ୍ୱେ ରାହୁଳ ଗାନ୍ଧୀ ନିୟମଗିରିରେ ଖଣି ନହେବା ପାଇଁ ନିଜ ଜିଦରେ ଅଟଳ ରହିଲେ ଫଳରେ ଆମେ ନିୟମଗିରିକୁ ବଞ୍ଚାଇ ଦେଲୁ।
ଆଜି କ’ଣ ସେହି ଶକ୍ତି ଅଛି ? ଲୋକେ ଅନେକ ପ୍ରଶ୍ନ କରନ୍ତି—ଭକ୍ତ ଦାସ ସିଜିମାଳି ଗଲେ ନାହିଁ କାହିଁକି ? ଜାଣିବା ଦରକାର ଯେ ବର୍ତ୍ତମାନ କଂଗ୍ରେସ ନୁହେଁ ବିଜେପି ସରକାର ଅଛି। ମୁଁ ଦଶ, କୋଡ଼ିଏ ଦିନ କିମ୍ବା ମାସେ ଯିବି, କିନ୍ତୁ ମୋ ଯିବା ଦ୍ୱାରା କ’ଣ ଖଣି ଖନନ ବନ୍ଦ ହୋଇଯିବ କି ? ହେବ ନାହିଁ l
କିନ୍ତୁ ଏହା ଦୃଢ଼ତାର ସହିତ କହିପାରେ—ଆମ କଂଗ୍ରେସ ସରକାର ଆସୁ। ତେବେ ନିଶ୍ଚୟ ଆପଣମାନେ ଦେଖିବେ, ଯେତେଦିନ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ନୀତି ନିର୍ଦ୍ଧାରଣ ହେବନାହିଁ, ସେତେଦିନ ପର୍ଯ୍ୟନ୍ତ ସମସ୍ତ ଖଣିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯିବ।
ବିଜେଡ଼ି ସରକାର ସମୟରେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ବିଧାୟକ, ସାଂସଦ ମୁଣ୍ଡ ନୁଆଇ ଛିଡା ହେଉଥିଲେ। ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଏଥିରେ ଜନପ୍ରତିନିଧିଙ୍କ ସମ୍ମାନ କ’ଣ ରହିବ?
କିନ୍ତୁ ଏସବୁ ଆଉ ଚଳିବ ନାହିଁ। ଜନପ୍ରତିନିଧିଙ୍କ ଅନୁସାରେ ଶାସନ ହେବ। ଅଫିସର ଅଣଦେଖା କଲେ, ହଜାର ହଜାର ଜନତାଙ୍କ ସହ ତାଙ୍କୁ ଘେରାଉ କରାଯିବ। କିଛି ଭୟ କରିବାର ଆବଶ୍ୟକତା ନାହିଁ କାରଣ,
ସାଧାରଣ ଜନତା ଆମ ସାଥିରେ ଅଛନ୍ତି। ନବରଙ୍ଗପୁରରୁ ରାୟଗଡ଼ା ପଦଯାତ୍ରା ହେବ। ପ୍ରତି ବ୍ଲକରେ ମୁଁ ଦଶ କିଲୋମିଟର ଚାଲିବି। ପ୍ରବଳ ଜନଆନ୍ଦୋଳନ ହେବ।
ମୁଖ୍ୟମନ୍ତ୍ରୀ ବଂଶଧାରା, ପୋଲାଭରମ ଆନ୍ଧ୍ରକୁ ଦେଇଦେଲେ। ରେଳ ଡିଭିଜନ୍ ମଧ୍ୟ ଆମ ହାତରୁ ଗଲା। ମହାନଦୀ ଜଳ ବିବାଦ ସମାଧାନ ହୋଇପାରୁ ନାହିଁ। ଏହି ସରକାରରେ କିଏ କାହା କଥା ଶୁଣୁନାହାନ୍ତି। ଯିଏ ଯେତେ ପାରିଲା ଲୁଟି ଚାଲିଛି। ସାରା ରାଜ୍ୟକୁ ଲୁଟି ଲୁଟି ଖାଇଗଲେଣି। ବିଦେଶୀ ଆସି ଲୁଟୁଛନ୍ତି, ଏମାନେ ବା କାହିଁକି ବାଦ ଯିବେ l
ଆମ ମହାନ ନେତା ରକ୍ତାକ୍ତ ହୋଇ ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ଆନ୍ଦୋଳନ କରୁଛନ୍ତି, ଆମ ପାଇଁ ଲଢ଼ୁଛନ୍ତି। ଆଉ ଆମେ କଂଗ୍ରେସ କର୍ମୀ ଚୁପ୍ ହୋଇ ବସି ରହିଲେ ହେବ ନାହିଁ ।
ଏହି ସରକାରକୁ ବଦଳାଇବାକୁ ପଡ଼ିବ ଏବଂ ଏଥିପାଇଁ ଏକ ମହାଆନ୍ଦୋଳନ କରି ବଳିଦାନ ଦେବାକୁ ପଡ଼ିବ ବୋଲି ଶ୍ରୀ ଦାସ ନିଜ ଅଭିଭାଷଣରେ କହିଛନ୍ତି l
ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ ନିଜ ବକ୍ତବ୍ୟରେ କହିଲେ,
ଏହି ଆଇନ ରାଜ୍ୟର ଖଣିଜ ସମ୍ପଦ ଉପରେ ଅଧିକାର, ରାଜ୍ୟର ରାଜସ୍ୱ ଅଧିକାର ଏବଂ ଆଦିବାସୀମାନଙ୍କର ସ୍ୱାର୍ଥକୁ ପ୍ରଭାବିତ କରିବ। ଓଡ଼ିଶାର ଜଳ, ଜଙ୍ଗଲ, ଜମି ଏବଂ ଖଣିଜ ସମ୍ପଦକୁ ଲୁଟିବା ପାଇଁ କରାଯାଉଥିବା କୌଣସି ବି ପ୍ରୟାସକୁ ଗ୍ରହଣ କରାଯିବ ନାହିଁ।କେନ୍ଦ୍ର ସରକାର ଏହି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ଏବଂ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରିବା ବଦଳରେ ଏକ ସର୍ବଦଳୀୟ ବୈଠକ ଏବଂ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ରାଜ୍ୟର ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଓଡ଼ିଶାର ଜନସାଧାରଣଙ୍କ ହିତରେ କାର୍ଯ୍ୟ କରନ୍ତୁ।ଯଦି ଏହି ଦାବିଗୁଡ଼ିକୁ ଶୀଘ୍ର ଲାଗୁ କରାନଯାଏ, ତେବେ ଓଡ଼ିଶାର ଲୋକଙ୍କ ସ୍ୱାର୍ଥ ତଥା ରାଜ୍ୟର ସମ୍ପଦ ଏବଂ ଅଧିକାରର ସୁରକ୍ଷା ପାଇଁ ଏହି ସଂଗ୍ରାମକୁ ଆହୁରି ଜୋରଦାର କରାଯିବ ବୋଲି ଶ୍ରୀ ଦେଶାଇ ସରକାରକୁ ଚେତାଇ ଦେଇଛନ୍ତି l
ଆଜିର ଏହି ମହା ପ୍ରତିବାଦ ସମାବେଶରେ ପୂର୍ବତନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରାପ୍ରସାଦ ବାହିନୀପତି, ଅପାଲା ସ୍ୱାମୀ କାର୍ଡରାକା, ସତ୍ୟଜିତ ଗମାଙ୍ଗୋ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର, ସିପିଏମର ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇଏମ ଲିବରେସନର ରାଧାକାନ୍ତ ସେଠୀ, ଫରୱାର୍ଡ଼ ବ୍ଲକର ଜ୍ୟୋତି ମହାପାତ୍ର, ଏନସିପି ସଭାପତି ବିକ୍ରମ ସ୍ୱାଇଁ, ଏସପି ସାଧାରଣ ସମ୍ପାଦକ ପ୍ରତାପ ବାରିକ ପ୍ରମୁଖ ଏବଂ ହଜାର ହଜାର ସଂଖ୍ୟାରେ ଇଣ୍ଡିଆ ମେଣ୍ଟର କର୍ମକର୍ତ୍ତା ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *