ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା
କଟକ ତା ୨୬.୦୮.୨୦୨୬ରିଖ – କଟକ ଜିଲ୍ଲା ତଥା ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ଐତିହାସିକ ବାଲିଯାତ୍ରା କଟକ -୨୦୨୬ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ବୋଲି ବିଭାଗୀୟ ସମନ୍ଵୟ ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହିତ ଆଲୋଚନା ମାଧ୍ୟମରେ କହିଛନ୍ତି । ତେବେ ଚଳିତ ବର୍ଷ ବାଲିଯାତ୍ରା ଉପର ପଡିଆ ଓ ତଳ ପଡିଆରେ କରାଯିବାକୁ ସ୍ଥିର କରାଯାଇଛି ।
ବୈଦ୍ୟୁତିକ ସୁରକ୍ଷା, ମଞ୍ଚ ଓ ଭିତ୍ତିଭୂମି ସୁରକ୍ଷା, ଅଗ୍ନିଶମ ସୁରକ୍ଷାକୁ ସୁନିଶ୍ଚିତ କରାଇବା, ଦୋଳି ଓ ଅନ୍ୟାନ୍ୟ ମନୋରଞ୍ଜନ ଭିତ୍ତିକ ସରଞ୍ଜାମର ସୁରକ୍ଷା ପ୍ରମାଣପତ୍ର ସହ ମାନକ ନିର୍ଦ୍ଦେଶାବଳୀ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ କହିଛନ୍ତି । ଆଇନ ଶୃଙ୍ଖଳା, ଗମନାଗମନ, ଯାତାୟତ, ଗାଡି ରହଣୀ ସ୍ଥଳ, ସ୍ୱଚ୍ଛତା, ବିଦ୍ୟୁତ୍ ଯୋଗାଣ, ପଡିଆ ସମତୁଲ କରିବା, ଖାଦ୍ୟ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ଶୌଚାଳୟ ନିର୍ମାଣ,ବିଶେଷକରି ଅଧିକ ସଂଖ୍ୟକ ସିସିଟିଭି ସ୍ଥାପନ ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହିପରିପ୍ରେକ୍ଷୀରେ ଯାନବାହନ ଓ ଭିଡ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ଯାତାୟାତ ମାର୍ଗ ସୂଚୀ(ROUTE MAP) ପ୍ରସ୍ତୁତ କରାଯିବ। ପରିବେଶ ସୁରକ୍ଷାକୁ ଗୁରୁତ୍ଵ ଦେଇ ବାଲିଯାତ୍ରା ପରିସରରେ ପ୍ଲାଷ୍ଟିକ ଓ ଫୋମ ନିର୍ମିତ ଖାଦ୍ୟ ପାତ୍ର ଓ ବ୍ୟାଗ ବ୍ୟବହାର ନିଷିଦ୍ଧ କରାଯିବ, ଏହା ପରିବର୍ତ୍ତେ ଖାଦ୍ୟ ପରଶିବା ପାଇଁ ବ୍ୟବସାୟୀମାନେ ଶାଳପତ୍ରର ବ୍ୟବହାର ଏବଂ ଅନ୍ୟାନ୍ୟ ସାମଗ୍ରୀ ନିମନ୍ତେ କପଡା ବ୍ୟାଗ ବ୍ୟବହାର କରାଯିବା ପାଇଁ ଜିଲ୍ଲାପାଳ କହିଛନ୍ତି। ପାର୍କିଂ ବ୍ୟବସ୍ଥା, ଖାଦ୍ୟ ପଦାର୍ଥର ମାନ ଯାଞ୍ଚ , ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଉପଲବଧ କରାଇବା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି । କଳାକାରଙ୍କ ଲୋକପ୍ରିୟତା ଦୃଷ୍ଟିରୁ ସମାନ୍ତରାଳ ଭାବେ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ l ବାଲିଯାତ୍ରା ଆହୁରି ରଙ୍ଗୀନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ ।
ଅନୈତିକ ପାର୍କିଂକୁ ଏଡାଇବା ପାଇଁ ବ୍ୟବସ୍ଥା କରାଯିବା ସହ, ପୂର୍ବରୁ ବ୍ୟବହୃତ ହେଉଥିବା ପାର୍କିଂ ସହିତ ପାର୍କିଂ ସ୍ଥାନରୁ ଯାତ୍ରୀମାନଙ୍କୁ ଯାତ୍ରା ପଡିଆ ପର୍ଯ୍ୟନ୍ତ ଯାତାୟତକୁ ସୁଗମ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ପାର୍କିଂ ସ୍ଥାନ ବୃଦ୍ଧି, ପଡିଆ ଓ ଏହାର ଆଖପାଖ ଅଂଚଳର ଉପଯୁକ୍ତ ଆଲୋକିକରଣ ଉପରେ ଗୁରୁତ୍ୱ ଦେଇଥିଲେ ।
ଆଜିର ପ୍ରସ୍ତୁତି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଟକ, ଶ୍ରୀ ପ୍ରଶାନ୍ତ କୁମାର ନାୟକ, , ଅତିରିକ୍ତ ଜିଲ୍ଳାପାଳ ଡ. ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ, ଅତିରିକ୍ତ ଜିଲ୍ଳାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା, ଉପଜିଲ୍ଲାପାଳ ବାଙ୍କୀ ଶ୍ରୀମତୀ ମନସ୍ଵିନୀ ଦାସ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
cuttack ru lalita dash nka report
