ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ବିଧାନସଭା ସମ୍ମୁଖରେ ଧାରଣା
ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସ୍କୁଲ ଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି ନେଇ ଆଶାୟୀ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସରେ ବିଧାନସଭା ସମ୍ମୁଖରେ ଶତାଧିକ ଓଡ଼ିଆରେ ସ୍ନାତକ ଓ ସ୍ନାତ୍ତକୋତ୍ତର ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀ ଏକତ୍ରିତ ହୋଇ ସରକାରଙ୍କର ଓଡ଼ିଆ ଭାଷାର ଶିକ୍ଷାର୍ଥୀ ମାନଙ୍କୁ ଅବହେଳା ପ୍ରଦର୍ଶନ କରୁଥିବାର ଅଭିଯୋଗ କରିଛନ୍ତି | ଓଡ଼ିଶାରେ ଓଡ଼ିଆ ଭାଷାକୁ କାହିଁକି ଉପେକ୍ଷା କରାଯାଉଛି ବୋଲି ପ୍ରଶ୍ନ କରିବା ସହ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ହାଇସ୍କୁଲ୍ରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବାପାଇଁ ଦାବି କରିଛନ୍ତି। ଆନ୍ଦୋଳନକାରୀଙ୍କ କହିବା କଥା, ସମସ୍ତ ରାଜ୍ୟରେ ସେମାନଙ୍କ ମାତୃଭାଷା ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ପ୍ରତି ସ୍କୁଲ ରେ ବିଭିନ୍ନ ଭାଷାର ଯେମିତି ହିନ୍ଦୀ,ସଂସ୍କୃତ, ତେଲଗୁ ଏବଂ ଉର୍ଦ୍ଦୁ ଭଳି ଭାଷା ଶିକ୍ଷକ ନିଯୁକ୍ତି ପାଉଛନ୍ତି କିନ୍ତୁ ଓଡ଼ିଆ ଭାଷା ଶିକ୍ଷକ କାହିଁକି ନିଯୁକ୍ତି ହେବେନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ସରକାରଙ୍କୁ | ମାତ୍ର ୨୦୧୪ ମସିହାରୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶାର ବିଦ୍ୟାଳୟରେ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ ନିଯୁକ୍ତ କରିବାକୁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସ୍ୱତନ୍ତ୍ର କ୍ୟାଡର ଭିତ୍ତିସୃଷ୍ଟି କରି ଓଡ଼ିଆ ଭାଷାକୁ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ନିର୍ଭୁଲ ଭାବେ ପହଞ୍ଚାଇବାରେ ସରକାର ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ଦାବି କରିଛନ୍ତି।

ସମସ୍ତ ବିଦ୍ୟାଳୟରେ ସ୍ୱତନ୍ତ୍ର ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦେବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ। ମାତ୍ର ଓଡ଼ିଆ ଅସ୍ମିତା କଥା କହି ରାଜ୍ୟରେ ଶାସନକୁ ଆସିବା ପରେ ଓଡ଼ିଆ ଭାଷା ପ୍ରତି କର୍ତ୍ତବ୍ୟକୁ ସରକାର ଭୁଲି ଯାଉଛନ୍ତି। ଏଣୁ ପ୍ରତି ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଆଶାୟୀ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଆଗକୁ ଆସିବାକୁ ଥିବା ଶିକ୍ଷକ ନିଯୁକ୍ତି ସମୟରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା ଦେବାପାଇଁ ଦାବି ଉପସ୍ଥାପନା କରିଥିଲେ | ସରକାରଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସ୍ୱତନ୍ତ୍ର ଶାସନ ସଚିବଙ୍କ ସହ ଆଲୋଚନା ବେଶ ଉତ୍ସାହପ୍ରଦ ଥିଲା | ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଭାଗ ସହିତ ଆଲୋଚନା କରି ସଫଳ କରିବା ପାଇଁ ଆଶ୍ୱାସନା ଦେଇଥିଲେ ବୋଲି ଅନ୍ଦୋଳନକାରି ଶିକ୍ଷାର୍ଥୀ ମତବ୍ୟକ୍ତ କରିଛନ୍ତି ଅନ୍ୟମାନଙ୍କ ମଧ୍ୟରେ ମନୀଷା ସାମଲ, ଜନାର୍ଦ୍ଦନ ସେଠୀ, ଅସିତ କୁମାର ସାହୁ, ପ୍ରଭାସ ଚନ୍ଦ୍ର ଟୋଲଟିଆ, ବିଭୂତି ମଲ୍ଲିକ, ଠାକୁର ବିଶି, ନିଳାଞ୍ଚଳ ନାଗ, ଅଭିଜିତ ପ୍ରଧାନ, ମାନସ ରଞ୍ଜନ ସାହୁ, କବିତା କର, ପ୍ରିତିଶ୍ରୀ ଖଟୁଆ, ସ୍ୱାଗତିକା ସ୍ୱାଇଁ, ଉର୍ମିଳା ପାତ୍ର, ଠାକୁର ବିଶି, ନିଳାଞ୍ଚଳ ନାଗ ପ୍ରମୁଖ ଉପସ୍ଥିତ ଥିଲେ।
