July 13, 2026
Home » ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ

ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ

0
WhatsApp Image 2026-01-07 at 10.12.31 PM

ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ୪୦ତମ ପ୍ରତିଷ୍ଠା ଦିବସ ଆଜି ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ, ଉପ ନିର୍ଦ୍ଦେଶକ ଡ଼. ସ୍ମିତା ମହାନ୍ତି, ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀମତୀ ଅନନ୍ୟା ତ୍ରିପାଠୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପ ସଭାପତି ଜନାବ୍ ସୟଦ୍ ନଫିସ୍‌ ମଞ୍ଜର ହସନ୍‌, ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଆଜିର କାର୍ଯ୍ୟକ୍ରମରେ ଅତିଥିମାନେ ଓଡ଼ିଶାରେ ଉର୍ଦ୍ଦୁ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ଏକାଡେମୀ ପକ୍ଷରୁ ଉର୍ଦ୍ଦୁ ଭାଷାରେ ଆୟୋଜନ କରାଯାଉଥିବା ବିଭିନ୍ନ ସାହିତ୍ୟ ଆଲୋଚନା ଚକ୍ର, କବି ସମ୍ମିଳନୀ, ମୁଶାଏରା, ପୁସ୍ତକ ଏବଂ ପତ୍ରିକା ପ୍ରକାଶନ, ଓଡ଼ିଆ ସାହିତ୍ୟ କୃତିକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରାଯିବା ଆଦି କାର୍ଯ୍ୟ ସମ୍ବନ୍ଧରେ ଅତିଥିମାନେ ଆଲୋଚନା କରିଥିଲେ।ଆଜିର କାର୍ଯ୍ୟକ୍ରମରେ +୨, +୩ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଯେଉଁମାନେ ମାତୃଭାଷା ଉର୍ଦ୍ଦୁ ସାହିତ୍ୟ ରଖି ପାଠ ପଢୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୫ ହଜାର, ୬ ହଜାର ଏବଂ ୮ ହଜାର ଟଙ୍କାର ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯାଇଥିଲା। ୪୦ ଜଣ +୨, ୩୦ ଜଣ +୩ ଏବଂ ୧୬ ଜଣ ସ୍ନାତକୋତ୍ତର ସର୍ବମୋଟ ୮୬ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏଥିସହ ଉର୍ଦ୍ଦୁ, ହିନ୍ଦୀ ଏବଂ ଓଡ଼ିଆ ଭାଷାର କବି ମାନଙ୍କୁ ନେଇ ଏକ ତ୍ରିଭାଷୀ କବି ସମ୍ମିଳନୀର ଆୟୋଜନ ମଧ୍ୟ କରାଯାଇଥିଲା। ଉର୍ଦ୍ଦୁ ଭାଷା, ସାହିତ୍ୟକୁ ଆଦୃତ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀର ନିରନ୍ତର ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ଓ ପ୍ରସାର, ପୁସ୍ତକ ପ୍ରକାଶନ, ଅନୁବାଦ ସାହିତ୍ୟ ପ୍ରକାଶନ, ଆଲୋଚନା ଚକ୍ର ଆଦିର ଆୟୋଜନ କରିବା ସହିତ ଉର୍ଦ୍ଦୁ ସାହିତ୍ୟର ପ୍ରତିଷ୍ଠିତ ସାହିତ୍ୟିକ, କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା, ଉର୍ଦ୍ଦୁ ସାହିତ୍ୟରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକୁ ଜନସାଧାରଣଙ୍କୁ ଅବଗତ କରାଇବା ଆଦି କାର୍ଯ୍ୟ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ କରାଯାଉଛି।

Leave a Reply

Your email address will not be published. Required fields are marked *

You may have missed