ଓଡିଶାର ଜନଗଣଙ୍କୁ ଇଣ୍ଡିଆ ମେଣ୍ଟର ନିବେଦନ
ଆମର ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହୁଅନ୍ତୁ
୮ ଅକ୍ଟୋବର ଓଡିଶା ବନ୍ଦକୁ ସମ୍ପୂର୍ଣ୍ଣ ସଫଳ କରନ୍ତୁ
ଭୁବନେଶ୍ୱର 1.10.26 ଆଜି କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆଗାମୀ 8 ତାରିଖ ବନ୍ଦକୁ ନେଇ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l
ଏହି ବୈଠକରେ ଇଣ୍ଡିଆ ମେଣ୍ଟ (INDIA Bloc) ଅନ୍ତର୍ଭୁକ୍ତ ଦଳ ସମୂହ, ଓଡିଶାର ସମସ୍ତ ଜନସାଧାରଣଙ୍କୁ ଆସନ୍ତା ୮ ଅକ୍ଟୋବର 2026 ରେ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇବା ପାଇଁ ଆନ୍ତରିକ ନିବେଦନ କରିଛନ୍ତି ।
ରାଜ୍ୟର ଆର୍ଥିକ ଅଧିକାର, ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ଆମ ପିଲାମାନଙ୍କ ଭବିଷ୍ୟତ ଉପରେ ହେଉଥିବା ନିରନ୍ତର ଆକ୍ରମଣ ବିରୋଧରେ ଏହି ସାମୁହିକ ପ୍ରତିବାଦ ଅପରିହାର୍ଯ୍ୟ। ଜନସାଧାରଣଙ୍କ ଉତ୍ତରଦାୟିତ୍ଵକୁ ଭୟ କରି ରାଜ୍ୟ ସରକାର ବିଧାନସଭା ଅଧିବେଶନକୁ ଆକସ୍ମିକ ଭାବେ ଆଗୁଆ ମୁଲତବୀ କରିଦେବା ସେମାନଙ୍କର ଦୁର୍ବଳତାକୁ ପ୍ରମାଣିତ କରୁଛି। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ସୁଦୂର ଗାଁ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ରାଜପଥକୁ ଓହ୍ଲାଇ ନିଜର ସ୍ଵର ଉତ୍ତୋଳନ କରିବା ଏବେ ନିହାତି ଆବଶ୍ୟକ।
ଏମଏମଡିଆର ସଂଶୋଧନ ଅଧିନିୟମ ତୁରନ୍ତ ପ୍ରତ୍ୟାହାର
ସର୍ବପ୍ରଥମେ, ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) (MMDR) ସଂଶୋଧନ ଆଇନ, ୨୦୨୩ର ତୁରନ୍ତ ପ୍ରତ୍ୟାହାର ଦାବି କରିଛନ୍ତି । ଏହି ଆଇନ ଓଡିଶାର ଆର୍ଥିକ ସ୍ଵାୟତ୍ତତା ଏବଂ ପ୍ରାକୃତିକ ସମ୍ପଦର ସ୍ଵାଧୀନତା ଉପରେ ଏକ ପ୍ରଚଣ୍ଡ ଆଘାତ। ଆଦିବାସୀ ଭାଇ ଭଉଣୀମାନେ ବାସ କରୁଥିବା ଖଣିଜ ସମୃଦ୍ଧ ଅଞ୍ଚଳ ଉପରେ କେନ୍ଦ୍ର ସରକାର ନିଜର ନିୟନ୍ତ୍ରଣ ଜାହିର କରି ବଡ ବଡ ଶିଳ୍ପପତି ଓ ଖଣି ମାଫିଆମାନଙ୍କୁ କୋଟି କୋଟି ଟଙ୍କାର ଲୁଟର ସୁଯୋଗ ଦେବାକୁ ଚେଷ୍ଟା କରୁଛନ୍ତି। ଓଡିଶାର ଖଣିଜ ସମ୍ପଦ ଏହି ମାଟିର ଜନସାଧାରଣଙ୍କର, ଏବଂ ଆମ ରାଜ୍ୟକୁ ତାର ନ୍ୟାଯ୍ୟ ମାଲିକାନା ଓ ରାଜସ୍ୱ ଅଧିକାରରୁ ବଞ୍ଚିତ କରାଯାଇଥିବା ବେଳେ ଆମେ କଦାପି ତୃପ୍ତ ରହିପାରିବା ନାହିଁ। ଓଡିଶା ସବୁଦିନ ପାଇଁ ହରାଇବାକୁ ଥିବା ବକେୟା ୧.୧୦ ଲକ୍ଷ କୋଟି ଟଙ୍କା ତଥା ବର୍ଷକୁ କ୍ଷତି ସହିବାକୁ ଥିବା ୧୨ରୁ ୧୭ ହଜାର କୋଟିର ଖଣି ରାଜସ୍ୱ, ଆର୍ଥିକ ସ୍ଵାୟତ୍ତତା ଓ ଦେଶର ସଂଘୀୟ ବ୍ୟବସ୍ଥା ବିପନ୍ନପନ୍ନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ଓଡିଶାରୁ ନିର୍ବାଚିତ ୨୫ ବିଜେପି ସାଂସଦଙ୍କ ନିରବତାକୁ ବରଦାସ୍ତ କରାଯିବ ନାହିଁ।
ସିଇଓ ପଦରୁ ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ; ଏସଆଇଆର ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ଗୁପ୍ତ ଏଜେଣ୍ଡା ପ୍ରତ୍ୟାହାର
ନିର୍ବାଚନ ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅନିୟମିତତାର ଗୁରୁତର ଅଭିଯୋଗ ଆଧାରରେ ଆମେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତୁରନ୍ତ ବହିଷ୍କାର, ଅପସାରଣ ଏବଂ ଗିରଫଦାରୀ ଦାବି କରୁଛୁ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ଵଚ୍ଛତା ସମ୍ପୂର୍ଣ୍ଣ ଭାବେ ଏକ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ଭର କରେ। ସାମ୍ପ୍ରତିକ ସ୍ପେଶାଲ ସମରୀ ରୋଲ ରିଭିଜନ (SIR) ବା ସ୍ଵତନ୍ତ୍ର ସମ୍ପତ୍ତି ସଂଶୋଧନ କାର୍ଯ୍ୟକ୍ରମ ସମୟରେ ଯେଉଁଭଳି ଭାବେ ଭୋଟର ତାଲିକାରେ ହେରଫେର ଓ ମନମୁଖୀ ପରିବର୍ତ୍ତନ କରାଯାଇଛି, ତାହା ନିର୍ବାଚନ ପ୍ରଣାଳୀ ଉପରୁ ଜନସାଧାରଣଙ୍କ ଆସ୍ଥା ସମ୍ପୂର୍ଣ୍ଣ ତୁଟାଇ ଦେଇଛି lଏପରି ଚକ୍ରାନ୍ତ କରି ‘ଭୋଟ ଚୋରି’ ଦ୍ୱାରା ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପି ଶାସନ କ୍ଷମତା ହାତେଇବା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଆମ ଭୋଟର ନିରପେକ୍ଷତାକୁ ରକ୍ଷା କରିବା ଏବଂ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ରଖିବା ପାଇଁ ଅଗଣତାନ୍ତ୍ରିକ ଏସଆଇଆର ପ୍ରତ୍ୟାହାର କରାଯିବା ଜରୁରୀ ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା/ବହିଷ୍କାର
ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଛି । ବର୍ତ୍ତମାନର ପ୍ରଶାସନ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଅବ୍ୟବସ୍ଥା ମଧ୍ୟକୁ ଠେଲି ଦେଇଛି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ୧,୨୪୧ଟି ଗୁରୁତର ଏବଂ ଲଜ୍ଜାଜନକ ଭୁଲ୍ ଛପାଯିବା ଫଳରେ ଲକ୍ଷ ଲକ୍ଷ ନିରୀହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଏକ ଅକ୍ଷମଣୀୟ ଖେଳ । ଏହା ସହିତ ଶିକ୍ଷକ ଅଭାବ, ଭୁଶୁଡ଼ି ପଡୁଥିବା ଭିତ୍ତିଭୂମି, ରାଜରାସ୍ତାରେ ହଜାରହଜାର ଶିକ୍ଷକ, ଶିକ୍ଷା ପ୍ରତି ଚରମ ଅବହେଳାକୁ ପ୍ରମାଣ କରୁଛି । ସରକାରୀ ବିଦ୍ୟାଳୟ ବ୍ୟବସ୍ଥାକୁ ଦୁର୍ବଳ କରି ଗରିବ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ମୌଳିକ ଶିକ୍ଷା ଅଧିକାରରୁ ବଞ୍ଚିତ କରିବା ପାଇଁ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ।
ପ୍ରିୟ ଭାଇ ଓ ଭଉଣୀମାନେ
ଆସନ୍ତା ଅକ୍ଟୋବର ୩, ୨୦୨୬ ର ଏହି ବନ୍ଦ ଆନ୍ଦୋଳନ ପ୍ରତି ଆପଣଙ୍କର ସକ୍ରିୟ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ, ଆଜି ଆମ ରାଜ୍ୟ ଏକ ସଙ୍କଟଜନକ ସ୍ଥିତିରେ ଛିଡ଼ା ହୋଇଛି । ଯଦି ଏହି ଜନବିରୋଧୀ ନୀତିଗୁଡ଼ିକୁ ଏବେ ଅଟକା ନଯାଏ, ତେବେ ଓଡ଼ିଶା ବ୍ୟାପକ ଆର୍ଥିକ କ୍ଷତି ସହିବ, ଯାହା ଆମ ଅର୍ଥନୀତିକୁ ପଙ୍ଗୁ କରିଦେବ । ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ଯୋଗୁଁ ଆମର ଗଣତନ୍ତ୍ର ଆଜି ବିପନ୍ନ, ଏବଂ ବିପର୍ଯ୍ୟସ୍ତ ଶିକ୍ଷା ପ୍ରଶାସନ ଯୋଗୁଁ ଆମର ଆଗାମୀ ପିଢ଼ିର ଶିକ୍ଷା ଓ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ । ଓଡ଼ିଶାର ଅସ୍ମିତାକୁ ବଞ୍ଚାଇବା ପାଇଁ ଆମେ ସମସ୍ତ ବ୍ୟବସାୟୀ, ପରିବହନ କର୍ମଚାରୀ, ଯୁବସମାଜ, ମହିଳା, ସବୁ ବର୍ଗର କର୍ମଜୀବୀ, ଚାଷୀଭାଇ ଏବଂ ସର୍ବସାଧାରଣଙ୍କୁ ଇଣ୍ଡିଆ ମେଣ୍ଟ (INDIA Bloc) ସହ ହାତ ମିଳାଇ ଏହି ସ୍ୱତଃସ୍ପୂର୍ତ୍ତ, ଶାନ୍ତିପୂର୍ଣ୍ଣ ଓ ଐତିହାସିକ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରୁଛୁ ବୋଲି ବୈଠକରେ ନିଷ୍ପତ୍ତି ନେଇ ଏହି ମର୍ମରେ ରାଜ୍ୟବାସୀଙ୍କୁ ଇଣ୍ଡିଆ ମେଣ୍ଟ ତରଫରୁ ଆହ୍ୱାନ କରାଯାଇଛି l
ଇଣ୍ଡିଆ ମେଣ୍ଟର ବୈଠକରେ ଓପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍ଏଲ୍) ଲିବରେସନ୍ ରାଜ୍ୟ ସମ୍ପାଦକ ଶ୍ରୀ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍ସିପି–ଶରଦ ପାୱାର ରାଜ୍ୟ ସଭାପତି ଶ୍ରୀ ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ଶିବ ହାତୀ ଯାଦବ ଏବଂ ଆର୍ଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ହେମନ୍ତ କୁମାର, ସିପିଆଇର ଜୟନ୍ତ ଦାସ, ସିପିଆଇଏମର ଜମେଶ୍ୱର ସାମନ୍ତରାୟ ଅଂଶ ଗ୍ରହଣ କରିଥିଲେ l
