କଳାହାଣ୍ଡି ଜିଲ୍ଲାରେ ମାଓ ବିରୋଧୀ ଅଭିଯାନରେ ପୋଲିସର ବଡ଼ ସଫଳତା
ଆତ୍ମ ସମର୍ପଣ କଲେ ୧୧ ଜଣ ମାଓବାଦୀ….
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ ରବିବାର ଦିନ ଆତ୍ମସମର୍ପଣ କରିଛନ୍ତି ।କଳାହାଣ୍ଡି ଜିଲ୍ଲାରେ ୨୦୧୧ ରୁ ମାଓବାଦୀଙ୍କ ଚଳପ୍ରଚଳ ରହିଥିବା ବେଳେ ଜିଳ୍ଲାର ୧୩ଟି ବ୍ଳକରୁ ୧୧ଟି ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ଥିଲା । ଜିଲ୍ଲାରେ କେକେବିଏନ ( କଳାହାଣ୍ଡି,କନ୍ଧମାଳ ବୌଦ୍ଧ ନୟାଗଡ଼ ଡିଭିଜନ) ଓ ବାଗୁନା (ବଂଶଧାରା, ଘୁମୁସର ନାଗାବଳୀ) ଡିଭିଜନ ରହିଛି। ଏହି ଦୁଇଟି ମାଓ ସଂଗଠନ ଚାଲି ଆସୁଥିବା ବେଳେ ବିଭିନ୍ନ ସମୟରେ ମାଓବାଦୀ ସମାଜର ମୁଖସ୍ରୋତରେ ସାମିଲ୍ ପାଇଁ ଆତ୍ମସମର୍ପଣ କରୁଛନ୍ତି। ତେବେ କଳାହାଣ୍ଡି ଜିଲ୍ଲାରେ ମାଓ ବିରୋଧୀ ଅଭିଯାନରେ ପୋଲିସର ବଡ଼ ସଫଳତା ମିଳିଛି । ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ ରବିବାର ଦିନ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନର ହେଇଥିବା ସୂଚନା ମିଳିଛି।
ଦୀର୍ଘଦିନ ଧରି ମାଓ ସଂଗଠନ ସହ ଜଡିତ ଥିବା ଏହି ମାଓବାଦୀମାନେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଆଗକୁ ଆସିଛନ୍ତି । ପୋଲିସର ଲଗାତାର କମ୍ବିଂ ଅପରେସନ୍ ଓ ସରକାରଙ୍କ ସରେଣ୍ଡର ପଲିସି ଫଳରେ ସେମାନେ ଆତ୍ମସମର୍ପଣ କରିଥିବା କୁହାଯାଇଛି । ରବିବାର ମାଓବାଦୀଙ୍କର ଏହି ଆତ୍ମସମର୍ପଣ ସହ ସମାପ୍ତ ହୋଇଛି ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ।
ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏହି ଆତ୍ମ ସମର୍ପଣ କାର୍ଯ୍ୟକ୍ରମରେ ଡିଜିଙ୍କ ସମେତ ଆଇଜି ଅପରେସନ ସଞ୍ଜୀବ ପଣ୍ଡା, ଆଇ ଜି ଗୋଇନ୍ଦା ବିଭାଗ ଅଖିଳେଶ ସିଂ ଏବଂ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା, ନୂଆପଡା ଏସପି ଅମୃତପାଲ୍ ସିଂ, ନବରଙ୍ଗପୁର ଏସପି ମଡ଼କର ସନ୍ଦୀପ ସମ୍ପଦ, କନ୍ଧମାଳ ଜିଲ୍ଲା ଏସପି ହରିଶା ବିସି , ରାୟଗଡ଼ା ଏସପି ସ୍ଵସ୍ଥି ଏସ କୁମାର ସାମିଲ ହେଇଥିଲେ ।

କେକେବିଏନ୍ ଡିଭିଜନର ଅଛନ୍ତି ୧୫ ମାଓବାଦୀ…
ଏହାପରେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ସୀମାନ୍ତରେ KKBN (କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼) ଡିଭିଜନର କେବଳ ୧୫ ଜଣ ମାଓବାଦୀ ରହିଥିବା ବେଳେ ସେମାନଙ୍କ ଭିତରେ ମାଓ କମାଣ୍ଡର ସୁକ୍ରୁ ରହିଛନ୍ତି । ସେମାନଙ୍କୁ ମଧ୍ୟ ଆତ୍ମ ସମର୍ପଣ ପାଇଁ ଆହ୍ବାନ ଦିଆ ଯାଇଛି । ଏନେଇ ୟୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସରେଣ୍ଡର ନୀତି କୁ ଅନୁସରଣ କରି ବଂଶଧାରା ଘୁମୁସର ନାଗାବଳୀ ଡ଼ିଭିଜନର ୧୧ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ରିଜିଓନାଲ କମିଟି ମେମ୍ବର, ୫ ଜଣ ଏରିଆ କମିଟି ମେମ୍ବର ଓ ୫ ଜଣ ପାର୍ଟି ମେମ୍ବର ସାମିଲ ଅଛନ୍ତି।’

ଏହି ଅବସରରେପୋଲିସ ଡିଜି ୟୋଗେଶ ବାହାଦୂର ଖୁରାନିଆ କହିଛନ୍ତି, ‘ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ୪ ଜଣ ପୁରୁଷ ଓ ୭ ଜଣ ମହିଳା । ଏମାନେ ଗୋଟିଏ ଏକେ ୪୭ ରାଇଫଲ ,୪ ଟି ଏସଏଲଆର ରାଇଫଲ, ଗୋଟିଏ ଇଁସାସ ରାଇଫଲ, ୪ ଟି ସିଙ୍ଗଲ ସଟ୍ ରାଇଫଲ ଓ ଗୋଟିଏ ବୋରଗନ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିସହ ବଂଶଧାରା ନାଗାବଳୀ ଡ଼ିଭିଜନର ଅନ୍ତ ଘଟିଛି । ଏହି ଟିମରେ ଆଉ କୌଣସି ସଦସ୍ୟ ମହାନ୍ତି। ଏବେ କେବଳ ଗୋଟିଏ ଛୋଟ ଦଳ ଅଛନ୍ତି, ଯେଉଁଥିରେ ୧୫ ଜଣ ସଦସ୍ୟ ଅଛନ୍ତି । ସେମାନେ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଅଞ୍ଚଳରେ ବୁଲୁଛନ୍ତି। ସେମାନଙ୍କୁ ଆମେ ଅନୁରୋଧ କରୁଛୁ ଯେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ସେହି ୧୫ ଜଣଙ୍କ ପରେ ଓଡ଼ିଶା ମାଓ ମୁକ୍ତ ହେବ’ ବୋଲି କହିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
