କୋରାପୁଟ ମେଡିକାଲ କଲେଜ ଏସଏନସିୟୁରେ ଭୟାବହ ଅଗ୍ନିକାଣ୍ଡ
କୋରାପୁଟରେ ଥିବା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲର ମାତୃ ଓ ଶିଶୁ ବିଭାଗ/ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (ଏସଏନ ସିୟୁ) ରେ ଶୁକ୍ରବାର ଦିନ ପୂର୍ବାହ୍ନ ସାଢ଼େ ୧୧ଟାରେ ପାୱାର ସପ୍ଲାଇ ପ୍ୟାନେଲ୍ ବୋର୍ଡରେ ସର୍ଟ ସର୍କିଟ ଦ୍ୱାରା ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଫଳସ୍ୱରୁପ ତିନି ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ରୋଗୀ ପରିବାର ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି କରିଥିଲା। ଘଟଣା ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ୍ ଓ ଡାକ୍ତର ପହଞ୍ଚି ତୁରନ୍ତ ଚିକିତ୍ସାଧୀନ ଅତି କମରେ ୪୨ ନବଜାତ ଶିଶୁଙ୍କ ସହ ପ୍ରସୂତିଙ୍କୁ ପୁରୁଣା ଏସ୍ଏନ୍ସିୟୁ ତଥା ବର୍ତ୍ତମାନର ମେଡିସିନ୍ ଓ ସର୍ଜରି ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାତୃ ୱାର୍ଡରୁ ସାତ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା। ଘଟଣାସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଅଘଟଣ ଏଡ଼ାଇବା ପାଇଁ ମେଡିକାଲ କତୃପକ୍ଷଙ୍କୁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ କଲେଜ ମ୍ୟାନେଜର୍ ଏସ୍. ପଣ୍ଡା ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟନାୟକ