July 13, 2026
Home » ଗଞ୍ଜାମ ଜିଲ୍ଲାର ତିନିଗୋଟି ଗାଁ ବିଲୀନ ହେବା ଆଶଙ୍କା

ଗଞ୍ଜାମ ଜିଲ୍ଲାର ତିନିଗୋଟି ଗାଁ ବିଲୀନ ହେବା ଆଶଙ୍କା

0
WhatsApp Image 2026-07-13 at 5.52.28 PM

 

ତୁରନ୍ତ ସ୍ଥାୟୀ ସମୁଦ୍ର ବନ୍ଧ ନିର୍ମାଣ କର: ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କେ.ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ ଓ ବଡ ଆର୍ଯ୍ୟପଲ୍ଲୀ ଗାଁ ବର୍ତ୍ତମାନ ସମୁଦ୍ର କୂଳ ଲଙ୍ଘନ ଯୋଗୁଁ ସମ୍ପୂର୍ଣ୍ଣ ବିପଦପୁର୍ଣ୍ଣ ଅବସ୍ଥାରେ ରହିଛି। ତୁରନ୍ତ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସ୍ଥାୟୀ ସମୁଦ୍ର ବନ୍ଧ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବି କରିବା ସହ ଉକ୍ତ ପ୍ରସଙ୍ଗରେ ଗ୍ରାମବାସୀଙ୍କ ଦ୍ବାରା ଚାଲିଥିବା ନ୍ୟାୟୋଚିତ ଆନ୍ଦୋଳନକୁ ମଞ୍ଚ ନୈତିକ ସମର୍ଥନ ଜଣାଇଛି l ଆଜି ମଞ୍ଚ ର ଏକ ପ୍ରତିନିଧି ଦଳ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନରଙ୍କ ସ୍ୱତନ୍ତ୍ର ସଚିବ ବିରସେନ ପ୍ରଧାନଙ୍କ ସହ ଆଲୋଚନା କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି କି,ଗତ ୧୫ ବର୍ଷ ମଧ୍ୟରେ ପ୍ରତି ବର୍ଷ ବାତ୍ୟା ଓ ଉଚ୍ଚ ଜୁଆର ଯୋଗୁଁ ପ୍ରାୟ ଜମି ସମୁଦ୍ର ଗର୍ଭରେ ବିଲୀନ ହୋଇସାରିଲାଣି। କୂଳ ନିକଟରେ ଥିବା ସଂଖ୍ୟାଧିକ ପରିବାର ବାରମ୍ବାର ଘର ଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି। ଚାଷ ଜମି ଲୁଣି ପାଣିରେ ନଷ୍ଟ ହୋଇଯାଉଥିବା ବେଳେ ପିଇବା ପାଣି ସମସ୍ୟା ମଧ୍ୟ ଭୟାବହ ହୋଇଛି l ମତ୍ସ୍ୟଜୀବୀମାନଙ୍କ ଜୀବିକା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି l ବର୍ତ୍ତମାନ ପଡିଥିବା ଅସ୍ଥାୟୀ ଜିଓ ବ୍ୟାଗ୍ ଲହରୀର ଆଘାତ ସହି ପାରୁନାହିଁ। ଏହି ପ୍ରସଙ୍ଗରେ ତିନି ଗାଁର ଗ୍ରାମବାସୀ ଲଗାତାର ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି l ସୂଚନା ଯୋଗ୍ୟ ଯେ, ଗତ ୨୦୧୨ ମସିହାରେ ଗଞ୍ଜାମ ବ୍ଳକର ପୋଡମପେଟା ଓ ଛତ୍ରପୁର ବ୍ଲକର ଉକ୍ତ ତିନୋଟି ଗ୍ରାମ ର ସୁରକ୍ଷା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଵର ଉତ୍ତୋଳନ ପରେ ଜିଲ୍ଲା ପ୍ରଶାସନ କେବଳ ଜିଓ ବ୍ୟାଗ୍ ବା ବାଲି ଛୋଟ ପଥର ମିଶ୍ରିତ ବ୍ୟାଗ୍ ରଖି ପ୍ରତିକାର ବ୍ୟବସ୍ଥା କରିଥିଲେ l କିନ୍ତୁ ବର୍ତ୍ତମାନ ସମୁଦ୍ର ଲହରୀର ଆଘାତରେ ତାହା ନଷ୍ଟ ହେବା ଅବସ୍ଥାରେ l ଏହି କୁଳ ଲଂଘନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମଞ୍ଚ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଛି l ତିନି ଗାଁର ସମ୍ପୂର୍ଣ୍ଣ ୩ କି.ମି କୂଳରେ ତୁରନ୍ତ ରଡ ଓ ସିମେଣ୍ଟ କଂକ୍ରିଟ ସମୁଦ୍ର ବନ୍ଧ ଓ ଟି ଆକୃତିର ସମୁଦ୍ର ବନ୍ଧ ନିର୍ମାଣ କରାଯାଉ, ମ୍ୟାଙ୍ଗ୍ରୋଭ ଓ ଝାଉଁ ବନ ସୃଷ୍ଟି କରି ପ୍ରାକୃତିକ ସୁରକ୍ଷା ବ୍ୟବସ୍ଥା କରିବା , ବିପଦପୂର୍ଣ୍ଣ ଅଞ୍ଚଳର ପରିବାରଙ୍କୁ ତୁରନ୍ତ ପୁନର୍ବାସ ଓ କ୍ଷତିପୂରଣ ଦିଆଯାଉ, ଏକ ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉ ଆଦି ଚାରି ଗୋଟି ପ୍ରମୁଖ ଦାବି ଉପସ୍ଥାପନ କରି ମଞ୍ଚ ପ୍ରତିନିଧି ଆଇନଜିବୀ ଅବନୀ ଗୟା,ସମ୍ପାଦକ ଆର୍.ସତ୍ୟ ନାରାୟଣ ରାଓ, ସମାଜସେବୀ ମନୋଜ କୁମାର ତରାଇ ଓ ଗୁଣନିଧି ବେହେରା କହିଛନ୍ତି ଯେ ଯଦି ତୁରନ୍ତ ସ୍ଥାୟୀ ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ଗାଁ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି l ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଚସ୍ତରୀୟ ଟିମ୍ ପଠାଇ ସ୍ଥଳ ପରିଦର୍ଶନ କରି ତୁରନ୍ତ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବାକୁ ମଞ୍ଚ ଦାବି କରିଛି l

Leave a Reply

Your email address will not be published. Required fields are marked *