March 11, 2026
Home » ଗ୍ରୀଷ୍ମପ୍ରବାହର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଗ୍ରୀଷ୍ମପ୍ରବାହର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

0
WhatsApp Image 2026-03-10 at 5.20.32 PM (1)

 

କଟକ:  ଚଳିତ ଗ୍ରୀଷ୍ମ ଋତୁରେ କଟକ ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନଙ୍କ ଆଦେଶନାମା ଅନୁଯାୟୀ ଅଂଶୁଘାତ ମୁକାବିଲା ପାଇଁ ସମ୍ପୃକ୍ତ ଅଧିକାରୀମାନେ ନିଜନିଜ ଭିତରେ ସମନ୍ଵୟ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁହାରକୁ ଶୂନରେ ସୀମିତ ରଖିବା ଜିଲ୍ଲା ପ୍ରଶାସନର ମୂଳଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ଜିଲ୍ଲା କାର୍ଯ୍ୟାଳୟର ଜରୁରୀକାଳୀନ ଉପବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ଏଥିନିମନ୍ତେ କାର୍ଯ୍ୟ କରିବା ସହିତ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଅନୁରୂପ ଭାବେ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷମାନଙ୍କରେ ଯେଉଁସ୍ଥାନରେ ବା ଅଞ୍ଚଳରେ ଅଂଶୁଘାତ ଜନିତ ସମସ୍ୟା ଦେଖାଦେଇଥିଲା, ସେହି ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେରଖି , ସେହି ସ୍ଥାନମାନଙ୍କରେ ସଂପୃକ୍ତ ଅଧିକାରୀମାନେ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଳକଷ୍ଟ ଦୂର କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ନଳକୂପ ଗୁଡିକୁ ସଚଳ କରିବା ନିମନ୍ତେ ଜନସ୍ଵାସ୍ଥ୍ୟ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ବିଡ଼ିଓମାନେ ନିଜନିଜ ବ୍ଲକରେ ନଳକୂପ ମରାମତି କରିବା ନିମନ୍ତେ ବୈଠକରେ ପରାମର୍ଶ ଦିଆଯାଇଛି । ପଞ୍ଚାୟତଗୁଡିକ ପକ୍ଷରୁ ବସଷ୍ଟାଣ୍ଡ, ହାଟ, ମୁଖ୍ୟଛକ ଜାଗା, ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯିବ । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସହରରେ ଥିବା ୱାଟର କୁଲର (ଥଣ୍ଡା ପାନୀୟଜଳ ଯୋଗାଉଥିବା ଯନ୍ତ୍ର) ଗୁଡିକୁ ନିୟମିତ ଯାଞ୍ଚ କରାଯାଇ ସେଗୁଡିକର ଚଳକ୍ଷମ ପ୍ରତି ଧ୍ୟାନ ଦିଆଯିବ । କଟକ ମହାନଗର ନିଗମ ପକ୍ଷରୁ ପ୍ରତ୍ଯେକ ୱାର୍ଡରେ ଜଳଛତ୍ର ଖୋଲିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗ୍ରୀଷ୍ମପ୍ରବାହ ସମୟରେ ଯେପରି ବିଦ୍ୟୁତ କାଟ, ଲୋଭୋଲ୍ଟେଜ ଓ ବିଦ୍ୟୁତ ସରବରାହ ସମସ୍ୟା ନଉପୁଯେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଟିପିସିଓଡ଼ିଏଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଓଡିଆ ଓ ଇଂରାଜୀ ବିଦ୍ୟାଳୟ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ସମ୍ବନ୍ଧରେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଅଂଶୁଘାତ ମୁକାବିଲା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ବିଶୁଦ୍ଧ ପାନୀୟଜଳ, ଓ.ଆର.ଏସ ପ୍ୟାକେଟ ରଖିବାକୁ ସ୍ଥିର କରାଯାଇଛି। ସେହିପରି ଦିନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ଶ୍ରମିକମାନେ ଶାରୀରିକ ଶ୍ରମଭିତ୍ତିକ କାର୍ଯ୍ୟ ବନ୍ଦ କରିବା, କାର୍ଯ୍ୟସ୍ଥଳୀରେ ପାନୀୟଜଳ ଓ ବିଶ୍ରାମସ୍ଥଳୀ ବ୍ୟବସ୍ଥା କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟ କରାଉଥିବା ସମ୍ପୃକ୍ତ ସଂସ୍ଥା ବା ଅନୁଷ୍ଠାନକୁ ନିର୍ଦ୍ଦେଶନାମା ଜାରି କରିବାକୁ ପରାମର୍ଶ ଦିଆଯାଇଛି ।
ଡ଼ାକ୍ତରଖାନା ଗୁଡିକରେ ଜୀବନ ରକ୍ଷାକାରୀ ଔଷଧ,ବରଫ ପ୍ୟାକେଟ,ଓ.ଆର.ଏସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସୁନିଶ୍ଚିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଅଂଶୁଘାତ ରୋଗୀଙ୍କୁ ସ୍ଥାନାନ୍ତର ନିମନ୍ତେ ଆମ୍ବୁଲାନ୍ସକୁ ସର୍ବଦା ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମଋତୁରେ ଜଙ୍ଗଲରେ ଯେପରି ନିଆଁ ନଲାଗେ,ସେଥିପ୍ରତି ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ସର୍ବଦା ସଜାଗ ରହିବା, ବନ୍ୟପ୍ରାଣୀମାନଙ୍କ ପାଇଁ ପାନୀୟଜଳ ଯୋଗାଣ ଏବଂ ସରଂକ୍ଷିତ ଜଙ୍ଗଲରେ ରହୁଥିବା ଅଧିବାସୀମାନଙ୍କୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା ନିଶ୍ଚିନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଜିଲ୍ଲା ପରିବହନ ଅଧିକାରୀ ଯାତ୍ରୀବାହୀ ବସ ଗୁଡିକରେ ଯଥେଷ୍ଟ ପରିମାଣରେ ବିଶୁଦ୍ଧ ପାନୀୟଜଳ, ବରଫ ପ୍ୟାକେଟ, ଓ .ଆର.ଏସ ମହଜୁତ ରଖିବା, ଜାତୀୟ ରାଜପଥ କଡ ଏବଂ ବସ ଓ ଟ୍ରକ ରହଣୀସ୍ଥଳ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ ତାପମାତ୍ରାକୁ ଦୃଷ୍ଟିରେ ରଖି ବସ ଚଳାଚଳ ସମୟର ପୁନଃ ନିର୍ଘଣ୍ଟ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଗ୍ରୀଷ୍ମପ୍ରବାହରୁ ପ୍ରାଣୀସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବା ସହ ଭିଭିନ୍ନ ବ୍ଲକର ଭିନ୍ନଭିନ୍ନ ସ୍ଥାନରେ ଗୋରୁଗାଈଙ୍କୁ ପାନୀୟଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ଜଳକୁଣ୍ଡ ମାନ ରଖିବାକୁ ଜିଲ୍ଲା ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଅଂଶୁଘାତଜନିତ ହୁଏ, ତେବେ ସେ କ୍ଷେତ୍ରରେ ତହସିଲଦାର /ଅତିରିକ୍ତ ତହସିଲଦାର / ମେଡିକାଲ ଅଫିସର/ ସିଡିଏମଓଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅଧିକାରୀ ଓ ସମ୍ପୃକ୍ତ ଅଞ୍ଚଳ ଥାନାର ଭାରପ୍ରାପ୍ତ ଅଧିକାରୀ ଯୁଗ୍ମ ଭାବରେ ତଦନ୍ତ କରିବେ ଏବଂ ଉକ୍ତ ଅନୁସନ୍ଧାନର ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା କାର୍ଯ୍ୟାଳୟକୁ ପ୍ରେରଣ କରିବେ ।
ବୈଠକରେ ଅଂଶୁଘାତର ମୁକାବିଲା ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟିକୁ ଦୃଷ୍ଟିରେ ରଖି ବିଭିନ୍ନ ବିଡ଼ିଓ, ଚିକିତ୍ସା ଅଧିକାରୀ, ସିଡ଼ିପିଓ, ସାମାଜିକ ସଂଗଠନ ଓ କର୍ପୋରେଟ ପ୍ରତିଷ୍ଠାନ ମାଧ୍ୟମରେ ପାନୀୟଜଳ ସେବା କେନ୍ଦ୍ର ସ୍ଥାପନ ଓ ଏଥିସମ୍ବନ୍ଧିତ ସମ୍ଭାବ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ପୁସ୍ତିକା ମାଧ୍ୟମରେ ଲୋକଙ୍କୁ ସତର୍କ କରାଇବା ନିମନ୍ତେ କୁହାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଦିବ୍ୟଲୋଚନ ମହାନ୍ତ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପ-ଜିଲ୍ଲାପାଳ ଆଠଗଡ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା, ଉପ-ଜିଲ୍ଲାପାଳ ବାଙ୍କୀ ଶ୍ରୀ ପ୍ରଣବ କୁମାର ବେହେରା, ଉପଜିଲ୍ଲାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପୁଷ୍ପଶ୍ରୀ ସାଣ୍ଡିଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲାର ବିଡ଼ିଓ, ତହସିଲଦାର, ସମ୍ପୃକ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

cuttack ru lalita dash nka report epa news

Leave a Reply

Your email address will not be published. Required fields are marked *