ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନା ଅନ୍ତର୍ଗତ ବାଲ୍ୟ ବିବାହ ଉଚ୍ଛେଦ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ l
ସୁବର୍ଣ୍ଣପୁର—- ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗର ସମନ୍ୱୟରେ ସୁବର୍ଣ୍ଣପୁର ଜିଲ୍ଲାରେ କିପରି ଭାବରେ ବାଲ୍ୟ ବିବାହ ରୋକାଯାଇପାରିବ, ସେ ବିଷୟରେ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। କିଶୋରୀ ଗର୍ଭଧାରଣ ଭଳି ଗୁରୁତର ସମସ୍ୟାର ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୟୁନିସେଫ ଭୁବନେଶ୍ୱରର ସହଯୋଗରେ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ରାଜେନ୍ଦ୍ର ମାଝୀ ଏବଂ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞ୍ଜଳିନା ପ୍ରଧାନଙ୍କ ସହ ୟୁନିସେଫର ସମ୍ବଳ ବ୍ୟକ୍ତି ଘାସିରାମ ପଣ୍ଡା ଶିକ୍ଷା ପ୍ରଦାନ କରିଥିଲେ । ଜିଲ୍ଲାପାଳ ଡ଼. ସାହୁ କହିଥିଲେ ଯେ, ବାଲ୍ୟ ବିବାହ ସମ୍ବନ୍ଧୀୟ ଘଟଣାରେ ଆଇନ ପ୍ରୟୋଗ ସହିତ ମାନବିକ ଦୃଷ୍ଟିକୋଣକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ଯଦିଓ ଯୁବକ-ଯୁବତୀଙ୍କ ବୟସ ବିବାହ ପାଇଁ ଅନୁମତିପ୍ରାପ୍ତ ବୟସରେ ପହଞ୍ଚି ନଥାଏ, ସେମାନଙ୍କ ଭାବନା, ପରିବାରର ପରିସ୍ଥିତି ଏବଂ ସେମାନଙ୍କ ଭବିଷ୍ୟତକୁ ବିଚାର କରି ନିଷ୍ପତ୍ତି ନେବା ଉଚିତ। କେବଳ ଆଇନଗତ ପଦକ୍ଷେପ ନୁହେଁ, ବରଂ ସଚେତନତା, ପରାମର୍ଶ ଓ ସମନ୍ୱୟ ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ଚାରି ବର୍ଷ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ ୧୦୧ଟି ବାଲ୍ୟ ବିବାହକୁ ରୋକାଯାଇଛି ଏବଂ ୧,୪୫୫ଟି ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଜିଲ୍ଲାରେ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଥିବା ବେଳେ, ପ୍ରତ୍ୟେକ ଜିଲ୍ଲା ପରି ସୁବର୍ଣ୍ଣପୁରରେ ମଧ୍ୟ ମହିଳା ସଶକ୍ତିକରଣ କେନ୍ଦ୍ରଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି l ବୈଠକରେ କିଶୋରୀ ଗର୍ଭଧାରଣ ହାର ହ୍ରାସ କରିବା ଏବଂ ଜିଲ୍ଲାର କିଶୋରୀମାନଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ କୌଶଳ ଉପରେ ଆଲୋଚନା କରାଯାଇଥିଲା। ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ସମୁଦାୟ ସ୍ତରରେ ସଚେତନତା ବୃଦ୍ଧି, ପାଠପଢ଼ା ଛାଡ଼ିବା ଘଟଣାକୁ ରୋକିବା ଏବଂ କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ‘ଅଦ୍ୱିକା’ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ବହୁ-ବିଭାଗୀୟ ପ୍ରୟାସ ଜିଲ୍ଲାର ଯୁବପିଢ଼ୀ ପାଇଁ ଏକ ସୁରକ୍ଷିତ ଓ ସୁସ୍ଥ ଭବିଷ୍ୟତ ଗଢ଼ି ତୋଳିବ ବୋଲି କାର୍ଯ୍ୟକ୍ରମରେ ଆଶା ପ୍ରକାଶ ପାଇଥିଲା।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିନାପାଣି ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଶିକ୍ଷା ବିଭାଗ, ଶ୍ରମ ବିଭାଗ, ନିଯୁକ୍ତି ବିନିମୟ, ସଂସ୍କୃତି ବିଭାଗ, ଦକ୍ଷତା ବିକାଶ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ l ସୁବର୍ଣ୍ଣପୁର ରୁ
ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
