July 1, 2026
Home » ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର ଓ ବୈଜ୍ଞାନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଦାବୀ

ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର ଓ ବୈଜ୍ଞାନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଦାବୀ

0
WhatsApp Image 2026-06-30 at 9.47.41 AM

 

ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ବ୍ରହ୍ମପୁର, ଚଳିତ ବର୍ଷ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକରେ ଯେଉଁଭଳି ହଜାର ହଜାର ତୃଟି ଉଲ୍ଲେଖ ରହିଛି, ତାହା ସଭ୍ୟ ସମାଜରେ ଆଦୌ ସହଜରେ ଗ୍ରହଣୀୟ ହୋଇପାରୁନାହିଁ l ପ୍ରକାଶ ଯେ, ତୃଟି ଗୁଡିକୁ ଏକ ଷଡ଼ଯନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଫେଇ ଦେବା ପରେ ବି ଏହାକୁ ଜନ ସାଧାରଣ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଅଭିଯୋଗକରିଅଛି l ଆଜି ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ତୃଟି ପୁର୍ଣ୍ଣ ପାଠ୍ୟ ପୁସ୍ତକ ଅବିଳମ୍ବେ ପ୍ରତ୍ୟାହାର ଓ ବିଜ୍ଞାନ ସମ୍ମତ ପାଠ୍ୟକ୍ରମ ପ୍ରଚଳନ ଦାବି ନେଇ ଗଞ୍ଜମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ପୁସ୍ତକ ଗୁଡିକରେ ନାନା ପ୍ରକାର ଅବୈଜ୍ଞାନିକ ତଥ୍ୟ, ମିଥ୍ୟା ତଥ୍ୟ ଉଲ୍ଲେଖ ସହ ଇତିହାସ ର ବିକୃତିକରଣ କରାଯାଇଛି l ବିଷୟ ଗୁଡିକରେ ନାନା ଆଯୁକ୍ତିକର କଥା ଲେଖାଯିବା ସହ ଆବଶ୍ୟକ ଥିବା ପାଠ୍ୟକ୍ରମକୁ ଉଚ୍ଛେଦ କରଯାଇଛି l ଅଷ୍ଟମ ଶ୍ରେଣୀର ସାହିତ୍ୟସୁରଭି ପୁସ୍ତକରେ ୭୮ ନମ୍ବର ପୃଷ୍ଠାରେ ମହାତ୍ମାଗାନ୍ଧି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଫୋଟ ଚିତ୍ର ସହ ଦୁଇଜଣ ସଙ୍ଘୀୟ ବ୍ୟକ୍ତିଙ୍କ ଫଟୋ ରହିଛି, ଯେଉଁମାନଙ୍କ ଭାରତର ସ୍ବାଧୀନତା ସଂଗ୍ରାମରେ ବା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ କୌଣସି ଭୂମିକା ନ ଥିଲା l ତଥାପି ଏଭଳି ବିବାଦୀୟ ଚରିତ୍ର ମାନଙ୍କ ଫଟୋ ଦେଶର ସ୍ବାଧୀନତା ସଂଗ୍ରାମୀ ତଥା ମହାନ୍ ବ୍ୟକ୍ତିତ୍ଵ ମାନଙ୍କ ସହ ରଖାଯାଇଛି l

ଯାହାକୁ ଶାସକ ଦଳର ଏକ ଘୃଣ୍ୟ ଷଡ଼ଯନ୍ତ୍ର ଓ ଶିକ୍ଷାକୁ ସାମ୍ପ୍ରଦାୟିକ ରୂପ ଦେବାର ଏକ ପ୍ରୟାସ ବୋଲି ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା ଅଭିଯୋଗ କରିଛନ୍ତି l ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତ୍ ମାନଙ୍କ ବ୍ୟାପକ ଅଭିଯୋଗ ପରେ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ‘ସଂଶୋଧିତ ପୁସ୍ତିକା’ରେ ମଧ୍ୟ ବହୁ ତ୍ରୁଟି ସୁଧୁରି ନାହିଁ, ବରଂ କେତେକ ସ୍ଥାନରେ ନୂଆ ତ୍ରୁଟି ସୃଷ୍ଟି ହୋଇଛି। ଏହା ସମ୍ବିଧାନର ଧାରା ୨୧A ଅନୁଯାୟୀ ପିଲାଙ୍କ ‘ଗୁଣାତ୍ମକ ଶିକ୍ଷା’ର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଏବଂ ଧାରା ୫୧A(h)ରେ ଉଲ୍ଲିଖିତ ‘ବୈଜ୍ଞାନିକ ମନୋଭାବ’ ବିକାଶର ମୂଳ କର୍ତ୍ତବ୍ୟକୁ ବିରୁଦ୍ଧାଚରଣ କରୁଛି ବୋଲି ମଞ୍ଚ କହିଛି l ତ୍ରୁଟିପୂର୍ଣ୍ଣ ପୁସ୍ତକର ତୁରନ୍ତ ପ୍ରତ୍ୟାହାର ଏବଂ ଶିକ୍ଷାରେ ବାଧା ନ ସୃଷ୍ଟି କରି ୨୦୨୫-୨୬ ଶିକ୍ଷାବର୍ଷର ପାଠ୍ୟ ପୁସ୍ତକ ଆଧାରରେ ହିଁ ଶିକ୍ଷାଦାନ ଜାରି ରଖାଯିବା, ଏହି ବୃହତ୍ ତ୍ରୁଟି ପାଇଁ ଦାୟୀ ଥିବା ବିଷୟବସ୍ତୁ ଲେଖକ, ଅସତ୍ୟ ଇତିହାସ ସଂଯୋଜନାକାରୀ, ସମୀକ୍ଷକ ଓ ସମ୍ପାଦନା ମଣ୍ଡଳୀର ସମସ୍ତ ସଦସ୍ୟଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା,ବୈଜ୍ଞାନିକ ଶିକ୍ଷା ନୀତି ପ୍ରଣୟନ, ଭବିଷ୍ୟତରେ ଏଭଳି ଅବ୍ୟବସ୍ଥା ନ ହେବା ପାଇଁ ପାଠ୍ୟ ପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା,ଶିକ୍ଷାବିତ୍, ବିଷୟ ବିଶେଷଜ୍ଞ ଓ ମନସ୍ତତ୍ତ୍ୱବିତଙ୍କୁ ନେଇ ଏକ ସ୍ଥାୟୀ ‘ପାଠ୍ୟକ୍ରମ ସମୀକ୍ଷା ପରିଷଦ’ ଗଠନ କରି ବୈଜ୍ଞାନିକ ମନୋଭାବ, ସଠିକ୍ ତଥ୍ୟ, ଯୁକ୍ତିଯୁକ୍ତ ଚିନ୍ତାଧାରା ଓ ସାମାଜିକ ସମାନତାର ଚେତନା ଆଧାରରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ଆଦି ପାଞ୍ଚୋଟି ଦାବି ସମ୍ମିଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ଏଥିରେ ବରିଷ୍ଠ ସଭ୍ୟ ତଥା ଉପଦେଷ୍ଟା ଆର୍. ସତ୍ୟ ନାରାୟଣ ରାଓ,ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ବିରେନ୍ କୁମାର ବେହେରା, ଆଦିତ୍ୟ ନାରାୟଣ ରଥ, ଏସ. ସାମ୍ବଶିବା ରାଓ, ମହେଶ୍ୱର ବାଡତ୍ୟା, କାହ୍ନୁ ଚରଣ ପାତ୍ର, ଗୁଣନିଧି ବେହେରା, ମନୋଜ କୁମାର ତରାଇ, ସlଲ୍ଲl କେଶବ ଲିଙ୍ଗମ୍ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ l

 

narasingh dakua nka report

Leave a Reply

Your email address will not be published. Required fields are marked *