ନୟାଗଡ଼ରେ ଟ୍ରେଡ ୟୁନିଅନ ଓ କିଷାନ ମୋର୍ଚ୍ଚାର ମିଳିତ ମଞ୍ଚ ପକ୍ଷରୁ ଜେଲଭରୋ ଆନ୍ଦୋଳନ
ନୟାଗଡ : ( ଇପିଏ ) ନୟାଗଡ ସର୍ବଭାରତୀୟ ଟ୍ରେଡ୍ ୟୁନିଅନ ଓ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ, ଟ୍ରେଡ ୟୁନିଅନ ଓ କିଷାନ ମୋର୍ଚ୍ଚାର ମିଳିତ ମଞ୍ଚ ପକ୍ଷରୁ ନୟାଗଡ଼ରେ ଜେଲଭାରୋ ଆନ୍ଦୋଳନ ଓ ଆଇନ ଅମାନ୍ୟ କରି ପାଞ୍ଚଶହରୁ ଉର୍ଦ୍ଧ୍ବ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଗିରଫ ହୋଇଥିଲେ । ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ କରିବା, ସର୍ବନିମ୍ନ ମଜୁରୀ ମାସିକ ୪୨୦୦୦କୁ ବୃଦ୍ଧି କରିବା, ଆଶା ଓ ପାଚିକା ଭଳି ସ୍କିମ ଶ୍ରମିକଙ୍କୁ ସରକାରୀ ମାନ୍ୟତା ସହିତ ପେନସନ ସୁବିଧା କରିବା, ସ୍ଵାମୀନାଥନ୍ କମିସନଙ୍କ ସୁପାରିଶ ଅନୁସାରେ ଫସଲର ଲାଭଜନକ ଦର ପ୍ରଦାନ କରିବା, କୃଷିଋଣ ଛାଡ଼ କରିବା, ଧାନମଣ୍ଡିରେ ସମସ୍ତ ଚାଷୀ ଧାନବିକିବାର ପଦ୍ଧତି ସରଳୀକରଣ କରିବା, ୩୦୦ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡକରିବା, ମନରେଗା ପୁନର୍ବାର ପ୍ରଚଳନ କରି ମୂଲିଆ ହାତକୁ ଦୁଇଶହ ଦିନ କାମ ଦେବା ପ୍ରଭୃତି ଦାବି ନେଇ ଏକ ବଡ ପଟୁଆରରେ ବଜାର ପରିକ୍ରମା କରି ସିଆଇଟିୟୁ ନେତା ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସଭା କରି କର୍ମୀମାନେ ପୋଲିସ ଦ୍ବାରା ଗିରଫ ହୋଇଥିଲେ !


ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ର ମୋଦି ସରକାରର ଦରଦାମ ବୃଦ୍ଧି ନୀତି, ଶ୍ରମିକ କୃଷକର ସ୍ଵାର୍ଥବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ନୀତିର କଟୁ ସମାଲୋଚନା କରି ଆନ୍ଦୋଳନ ତୀବ୍ର କରିବାକୁ ଆହ୍ବାନ ଦେଇଥିଲେ ! ଆଇଏନଟିୟୁସି ରାଜ୍ୟ ନେତା ସତ୍ୟବ୍ରତ ନାୟକ,ଜିଲ୍ଲାନେତା ଆଲୋକ ପ୍ରଧାନ, ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଆଶାକର୍ମୀ ନେତା ଚାପଧାରୀ ରାଉତ, କୃଷକସଭା ଜିଲ୍ଲା ସଂପାଦକ ପବିତ୍ର ଇନ୍ଦ୍ରଜିତ, ପାଚିକା ନେତ୍ରୀ ଜୟନ୍ତୀ ଦାଶ, ଆଶା ଜିଲ୍ଲା ସଂପାଦିକା ମଙ୍ଗୁଳି ରାଉତ, ଯୁବ ଫେଡେରେସନ ରାଜ୍ୟ ନେତା ସରୋଜ ନାୟକ, ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା ଓ କ୍ଷେତମଜଦୂର ରାଜ୍ୟ ନେତା ନିତ୍ୟାନନ୍ଦ ପରିଡା ପ୍ରମୁଖ ଉଦବୋଧନ ପୂର୍ବକ ଏହି ଜେଲଭରୋ ଧର୍ମଘଟର ନେତୃତ୍ୱ ନେଇଥିଲେ ଏବଂ ପୋଲିସ କର୍ଡନ୍ ଭାଙ୍ଗି ଗିରଫ ହୋଇଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମୁଚାଲିକାରେ ସତ୍ୟାଗ୍ରହୀ ମାନଙ୍କୁ ଥାନାରୁ ଛାଡିଦିଆଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
