ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୩ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ
“ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତିର ଗବେଷଣା ପାଇଁ ସମର୍ପିତ ଥିଲେ ପଣ୍ଡିତ ବିନାୟକ ମିଶ୍ର” ।
ନୟାଗଡ: ( ଇପିଏ ) ନୟାଗଡ ପଣ୍ଡିତ ବିନାୟକ ମିଶ୍ରଙ୍କ ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ଉଚ୍ଚଶିକ୍ଷା କରିପାରିନଥିବା ଯୋଗଜନ୍ମା ପଣ୍ଡିତ ବିନାୟକ ମିଶ୍ର ନିଜ ଅଧ୍ୟବସାୟ, ନିଷ୍ଠା, ଶିକ୍ଷାପ୍ରତି ଗଭୀର ଅନୁରକ୍ତି ପାଇଁ ଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ହୋଇପାରିଥିଲେ। ସାରା ଜୀବନ ଅଧ୍ୟୟନ ତଥା ସାହିତ୍ୟ, ଇତିହାସ ଗବେଷଣାରେ ନିମଗ୍ନ ଥିବା ଏହି ମହାନ୍ ସାହିତ୍ୟିକ ଆର୍ଥିକ ତଥା ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ଶିକ୍ଷାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସୃଷ୍ଟି କରିଯାଇଛନ୍ତି ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ,ଯାହା ଆଜି ଆମ ସାହିତ୍ୟ ଓ ଇତିହାସ ପାଇଁ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ। କଲିକତା ବିଶ୍ଵବିଦ୍ୟାଳୟରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଉଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ।ଫଳରେ ଜୀବନର ଅନ୍ତିମ ସମୟରେ ରହିବା,ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟ ଇତିହାସ , ଓଡ଼ିଆ ସାହିତ୍ୟ ପ୍ରକାଶ, ଭାରତୀୟ ଦର୍ଶନ ପ୍ରବେଶିକା, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, Dynasties of Medieval Orissa, Orissa under Bhauma king, Indian culture and cult of Jagannath ସାହିତ୍ୟର ଅମୂଲ୍ୟ ସଂପଦ ବୋଲି ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।


ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁର ମାଳିସାହି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାନ ସାରସ୍ଵତ ସାଧକଙ୍କ୧୩୩ ତମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ତଥାସ୍ତୁ ଆନୁକୂଲ୍ୟରେ ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ସୁସାହିତ୍ୟିକା ବସିରନ୍ ବିବିଙ୍କ ସଭାପତିତ୍ୱରେ ସେପ୍ଟେମ୍ୱର ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଜୟନ୍ତୀ ସମାରୋହରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ବରେଣ୍ୟ କୁଳପତି ପ୍ରଫେସର ଡ.ସତ୍ୟନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ସଂସ୍କୃତି ଗବେଷକ ତଥା ଦୂରଦର୍ଶନର ଅବସର ପ୍ରାପ୍ତ ସମାଚାର ବିଭାଗୀୟ ମୁଖ୍ୟ ଗୋପାଳକୃଷ୍ଣ ମହାପାତ୍ର, ମଲ୍ଲିକାର ସଂପାଦକ ସୁଶାନ୍ତ କୁମାର ପଣ୍ଡା, ବିନାୟକ ମିଶ୍ରଙ୍କ ପଣ ନାତି ଡା.ଦେବୀଦତ୍ତ ଦିବ୍ୟରଞ୍ଜନ ମିଶ୍ର ଯୋଗଦେଇ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନୀ,ସାଧନା ଉପରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ କେନ୍ଦ୍ର , ଭାରତୀୟ ଭାଷା ସଂସ୍ଥାନ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଗବେଷକ ଡ଼.ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ଏବଂ ସଂସ୍କୃତି ପ୍ରଚାରକ ତଥା ଚଳଚ୍ଚିତ୍ର ଏଡ଼ିଟର ରୋହନ ମହାପାତ୍ରଙ୍କୁ ତଥାସ୍ତୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ପବିତ୍ର ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଶତାଧିକ +୨,+୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ସ୍ବରଚିତ କବିତା ଲିଖନ , କବିତା ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ର/ଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ।

କାର୍ଯ୍ୟକ୍ରମ ପ୍ରାରମ୍ଭରୁ ତଥାସ୍ତୁର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭୂପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ନିମନ୍ତ୍ରିତ କବି ସବିତା ଶୁକ୍ଳା, ସୁଦର୍ଶନ ପ୍ରଧାନ, ଗୀତାରାଣୀ ମହାପାତ୍ର, ଗୋକୁଳ କୁମାର ଷଡ଼ଙ୍ଗୀ, ଶରତ ଚନ୍ଦ୍ର ଷଡ଼ଙ୍ଗୀ, ଗୁଣନିଧି ମହାପାତ୍ର, ବିନ୍ଦୁଲତା ଷଣ୍ଢ, ରଂଜନ ରଶ୍ମୀ ଜେନା, ରଞ୍ଜନ କୁମାର ଦାଶ, ବିଭୁ ପ୍ରସାଦ ମହାପାତ୍ର, ଶେଖ୍ ଅବଦୁଲ ଖାଲିକ, ବିଶ୍ଵନାଥ ମହାପାତ୍ର, ରବୀନ୍ଦ୍ର କୁମାର ମହାପାତ୍ର, ମମତା ମଞ୍ଜରୀ ଦେବୀ, ନାରାୟଣ ଶୁକ୍ଳା, ଉଷାରାଣୀ ମିଶ୍ର, ଲକ୍ଷ୍ମଣ ନାୟକ, ସବିତା ସାହୁ, ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖମାନେ କବିତା ପାଠ କରି ସମ୍ବର୍ଦ୍ଧିତ ହୋଇଥିଲେ । ସାମ୍ବାଦିକ ରାମକୃଷ୍ଣ ରଥ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନର ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ଯୁବ କବି ଓ କଥାକାର ପ୍ରଭୁଦତ୍ତ ପ୍ରଧାନ, ସମାଜସେବୀ ଗଗନ ବିହାରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପରିଶେଷରେ ଅତିଥିମାନଙ୍କୁ, ଉପସ୍ଥିତ ବିନାୟକପ୍ରେମୀ ଏବଂ ଛାତ୍ର/ ଛାତ୍ରୀ ମାନଙ୍କୁଧନ୍ୟବାଦ ପ୍ରଦାନ କରିଥିଲେ ତଥାସ୍ତୁର ସହ ସଂପାଦକ ଗୋକୁଳ କୁମାର ଷଡଙ୍ଗୀ । ପଣ୍ଡିତ ବିନାୟକ ମିଶ୍ରଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସକାଳ ୮ ଘଟିକା ସମୟରେ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବିନାୟକ ମିଶ୍ରଙ୍କ ପ୍ରତିମୃତ୍ତିରେ ତଥାସ୍ତୁ ଅନୁଷ୍ଠାନ ପକ୍ଷରୁ ସହ ସମ୍ପାଦକ ଗୋକୁଳ କୁମାର ଷଡ଼ଙ୍ଗୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଓ ସହକାରୀ ଶିକ୍ଷକ ପ୍ରମୁଖ, ଛାତ୍ର/ ଛାତ୍ରୀମାନଙ୍କୁ ନେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
