ପାରାଦୀପ ବିଶ୍ୱକର୍ମାରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ହାସଲ କଲେ ପାରାଦୀପ ଟ୍ରକ ମାଲିକ ସଙ୍ଘ, ବିବିଏମଏସ ଓ ଓମ୍ଫା
ପାରାଦୀପ – ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପି ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଉତ୍ସବ ଗତ ୨୩ ତାରିଖ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି l ପରମ୍ପରା ଅନୁସାରେ ଅନ୍ତିମ ସନ୍ଧ୍ୟାରେ ସୂଚନା କେନ୍ଦ୍ରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଓ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା,ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l ଏହି ଅବସରରେ ଚଳିତ ପୂଜା ଉତ୍ସବରେ ବିଭିନ୍ନ ବର୍ଗରେ ଉତ୍କର୍ଷତା ଲାଭ କରିଥିବା ପୂଜା କମିଟିକୁ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କୃତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ l ବାହ୍ୟ ସାଜସଜ୍ଜାରେ ପାରାଦୀପ ଟ୍ରକ ମାଲିକ ସଙ୍ଘ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଡମ୍ପର ମାଲିକ ସଙ୍ଘ ଦ୍ଵିତୀୟ ଏବଂ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ଓ ପାରାଦୀପ ବନ୍ଦର ପିଏଚଡି ବିଭାଗ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ଆଭ୍ୟନ୍ତରୀଣ ସାଜସଜ୍ଜାରେ ଭାରତୀୟ ବନ୍ଦର ମଜଦୁର ସଙ୍ଘ (ବିବିଏମଏସ) ପ୍ରଥମ, ପାରାଦୀପ ଟ୍ରକ ମାଲିକ ସଙ୍ଘ ଦ୍ଵିତୀୟ ଏବଂ ଓଡିଶା ସମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ (ଓମ୍ଫା) ତୃତୀୟ ସ୍ଥାନ ଅଧିକାର କରିଥିଲେ l ଆଲୋକ ସଜ୍ଜାରେ ଓମ୍ଫା, ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ଓ ଡମ୍ପର ମାଲିକ ସଙ୍ଘ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବିଏମଏସ ପ୍ରଥମ, ପାରାଦୀପ ଟ୍ରକ ମାଲିକ ସଙ୍ଘ ଦ୍ଵିତୀୟ ଓ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ଶାନ୍ତି ଶୃଙ୍ଖଳା ବର୍ଗରେ ପାରାଦୀପ ଟ୍ରକ ମାଲିକ ସଙ୍ଘ ପ୍ରଥମ, ବନ୍ଦର ପିଏଚଡି ବିଭାଗ ଓ ବିବିଏମଏସ ଯୁଗ୍ମ ଭାବେ ଦ୍ଵିତୀୟ ଏବଂ ବନ୍ଦର ବିଦ୍ୟୁତ ବିଭାଗ ତୃତୀୟ ସ୍ଥାନ ଅଧିକାର କରି ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ସିଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା l ତେବେ ଏହି ପୂଜା ମହୋତ୍ସବ ସଫଳତା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତ ପୂଜା କମିଟି, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପୌର ଓ ବନ୍ଦର ପ୍ରଶାସନ, ଗଣମାଧ୍ୟମ କୁ ପ୍ରଶଂସା କରିଥିଲେ l
paradeep epa ru prasanta dash nka report
