ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଅନ୍ତର୍ଗତ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ଯୋଜନାରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ୭୭୫ ଜଣ ତୀର୍ଥଯାତ୍ରୀ ଏବଂ ସେମାନଙ୍କୁ ସହଯୋଗ କରିବାକୁ ୨୫ ଜଣ ଅଧିକାରୀ ଏହି ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ । ଆସନ୍ତା ସେପ୍ଟେମ୍ବର ୧୦ରୁ ତୀର୍ଥଯାତ୍ରୀମାନେ ଭୁବନେଶ୍ୱର ଷ୍ଟେସନରୁ ବାହାରି ଅଯୋଧ୍ୟା ଓ ବାରଣାସୀ ଦର୍ଶନ କରି ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।ଏହି ପ୍ରସ୍ତୁତି ବୈଠକରେ ତୀର୍ଥଯାତ୍ରାରେ ସାମିଲ ହେଉଥିବା ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା,ଖାଦ୍ୟପେୟ, ସ୍ୱାସ୍ଥ୍ୟ ଆଦି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ସଂପୃକ୍ତ ତୀର୍ଥଯାତ୍ରୀମାନେ ସେପ୍ଟେମ୍ବର ୯ ତାରିଖରେ ସଂପୃକ୍ତ ଜିଲ୍ଲାରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ । ସେମାନଙ୍କ ନିମନ୍ତେ ଭୁବନେଶ୍ୱରର ବିଭିନ୍ନ ସରକାରୀ ଅନୁଷ୍ଠାନରେ ଅସ୍ଥାୟୀ ରହଣି ସ୍ଥଳର ବ୍ୟବସ୍ଥା କରାଯିବ । ଏହି ରହଣି ସ୍ଥଳରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଯାଞ୍ଚ, ଖାଦ୍ୟପାନୀୟ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ବେଉରା ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ପର୍ଯ୍ୟଟନ ସହନିର୍ଦ୍ଦେଶକ ଶ୍ରୀ ଅଞ୍ଜନ କୁମାର ବାରିକ, ଖୋର୍ଦ୍ଧା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ମୀରା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ପୁଲିସ, ଅଗ୍ନିଶମ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।