ବାଲୁଗାଁ ଯୁବ ସରପଞ୍ଚ ମନୋଜ କୁମାର ନାୟକଙ୍କ ପରଲୋକ
ଶୋକ ପ୍ରକାଶ କଲେ ବିଧାୟକ ଅରୁଣ କୁମାର ସାହୁ ।
ନୟାଗଡ଼ ( ଇପିଏ ) ନୟାଗଡ଼ ବାଲୁଗାଁ ପଞ୍ଚାୟତ ବାସୀ ତଥା ଜିଲ୍ଲା ପାଇଁ ବଡ ଦୁଃଖଦ ଖବର, ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ତଥା ସରପଞ୍ଚ ସଂଘର ବ୍ଲକ ସଭାପତି ଇଂ ମନୋଜ କୁମାର ନାୟକଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବାଲୁଗାଁ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ କାଶୀନାଥ ନାୟକଙ୍କ ବଡ଼ ପୁଅ ଥିଲେ ମନୋଜ। ମନୋଜ ଇଞ୍ଜିିୟରିଙ୍ଗ୍ ପାଠ ପଢ଼ିବା ପରେ ପଞ୍ଚାୟତ ବାସୀଙ୍କ ସେବା କରିବା ପାଇଁ ବିଜେଡ଼ି ରାଜନୀତିରେ ପ୍ରବେଶ କରିଥିଲେ । ଜଣେ ଯୁବ ସଂଗଠକ ଭାବେ ବେଶ୍ ପରିଚିତ ଥିଲେ ମନୋଜ ତେଣୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଲଢ଼ିଥିଲେ। ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ସରପଞ୍ଚ ହେବା ଦିନଠାରୁ ପଞ୍ଚାୟତ ବାସୀଙ୍କ ହୃଦୟ ଜିଣି ନେଇଥିଲେ ମନୋଜ। ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମନୋଜ ଚିକିତ୍ସିତ ହେଉଥିବାବେଳେ ୩ ତାରିଖ ରାତି ସାଢ଼େ ୭ଟା ସମୟରେ ପରଲୋକ ଘଟିଥିବା ନେଇ ସୂଚନା ମିଳିଥିଲା। ମନୋଜଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ପରିବାର ଓ ଶୁଭେଚ୍ଛୁମାନେ ଭାଙ୍ଗି ପଡିଛନ୍ତି। ମନୋଜ ଜଣେ ଯୁବ ଜନପ୍ରତିନିଧି ଭାବେ ନିଜର ସରଳ, ମିଷ୍ଟଭାଷୀ ଓ ଲୋକାଭିମୁଖୀ ବ୍ୟବହାର ଯୋଗୁଁ ସାରା ନୟାଗଡ ଜିଲ୍ଲାରେ ତଥା ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ଥିଲେ। ଏଥିସହିତ ବିଜୁ ଜନତା ଦଳର ଜଣେ ଦକ୍ଷ ସଂଗଠକ ଭାବେ ସେ ଦଳୀୟ ସଂଗଠନକୁ ମଜବୁତ କରିବାରେ ସକ୍ରିୟ ଭୂମିକା ନେଉଥିଲେ । ତାଙ୍କର ମୃତ୍ୟୁ ହେବା ଖବର ବାଲୁଗାଁ ଓ ଆଖ ପାଖ ପଞ୍ଚାୟତ ଓ ସାରା ଜିଲ୍ଲାରେ ଶୋକର ଛାୟା ଖେଲାଇଦେଇଛି । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମନୋଜଙ୍କ ଚିକିତ୍ସା ସମୟରେ ଯାଇଥିଲେ ଓ ଦୁଃଖଦ ଖବର ପାଇବାପରେ ମୃତ୍ୟୁ ଶଯ୍ୟା ପାଖରେ ପହଞ୍ଚିଥିଲେ । ମନୋଜଙ୍କ ମୃତ୍ୟୁରେ ବିଧାୟକ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ବିଜୁ ଜନତା ଦଳର ନାରୀନେତ୍ରୀ ଇରାନୀ ରାୟ ପ୍ରମୁଖ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ମନୋଜଙ୍କ ମର ଶରୀରକୁ ଭୁବନେଶ୍ୱରରୁ ନିଜ ଗ୍ରାମ ବାଳୁଙ୍ଗାକୁ ୪ ତାରିଖ ସକାଳେ ଆସିବା ପରେ, ବାଲୁଗାଁ ପଞ୍ଚାୟତର ସମସ୍ତ ଗ୍ରାମରେ ଶବ ଶୋଭାଯାତ୍ରା ପରିକ୍ରମାପରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
