ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ଜୀବନ୍ତ ପ୍ରତିନିଧି ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭାବ ବିନିମୟ କରିଛନ୍ତି।
ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ଜିଲ୍ଲାର ପାଞ୍ଚଟି ପ୍ରମୁଖ ସାଂସ୍କୃତିକ ଦଳର କଳାକାରମାନେ ଦିଲ୍ଲୀ ଗସ୍ତ କରିଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ କଳାକାରମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ନିକଟରେ ମହାମହିମ ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ତପ୍ତପାଣିଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମର ଆଦିବାସୀ ଓ ଲୋକନୃତ୍ୟ ଦଳଗୁଡ଼ିକ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଏହି ପାରମ୍ପରିକ କଳା ପ୍ରଦର୍ଶନରେ ମହାମହିମ ରାଷ୍ଟ୍ରପତି ଅଭିଭୂତ ହୋଇ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନ ପରିଦର୍ଶନ ପାଇଁ ଆମନ୍ତ୍ରଣ କରିଥିଲେ।
ମହାମହିମ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣକ୍ରମେ ସାନଖେମୁଣ୍ଡି ବ୍ଲକ ସୁବର୍ଣ୍ଣଗଡ଼ର ମା’ ଦଣ୍ଡକାଳୀ ଗ୍ରୁପ୍, ବ୍ରହ୍ମପୁରର ସଂରଚନା ଗ୍ରୁପ୍, ସୋରଡ଼ା ବ୍ଲକର ତୁଳସୀ ଗ୍ରୁପ୍, ସାନଖେମୁଣ୍ଡି ବ୍ଲକ କଟାପଲ୍ଲୀର ଗୌରାଙ୍ଗ ବାସୁଦେବ ନାମ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଖେମୁଣ୍ଡିଖୋଲର ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ୯୦ରୁ ଊର୍ଦ୍ଧ୍ୱ କଳାକାରମାନେ ଦିଲ୍ଲୀ ଗସ୍ତ କରିଥିଲେ।


କଳାକାରମାନଙ୍କ ସହ ଭାବ ବିନିମୟ ସମୟରେ ମହାମହିମ ରାଷ୍ଟ୍ରପତି ସେମାନଙ୍କ ସୁଖଦୁଃଖ ପଚାରି ବୁଝିବା ସହ କହିଥିଲେ ଯେ, ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଅମୂଲ୍ୟ କଳା ଓ ସାଂସ୍କୃତିକ ପରମ୍ପରାକୁ ନିରନ୍ତର ସଂରକ୍ଷଣ, ଅଭ୍ୟାସ ଓ ପ୍ରଚାର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଯୁବ କଳାକାରମାନେ ମନ ଦେଇ ପାଠ ପଢ଼ିବା ସହ ନିଜେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେଥିରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଲମ୍ବୀ ହେବା ସହ ବାପା-ମାଆ ଓ ଆତ୍ମୀୟ ସ୍ୱଜନଙ୍କର ସୁନାମ ବୃଦ୍ଧି କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ଗଞ୍ଜାମର ସୌରା ଜନଜାତିର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ମହାମହିମ ରାଷ୍ଟ୍ରପତି ପ୍ରଶଂସା କରିଥିଲେ।କଳାକାରମାନଙ୍କ ପାଇଁ ଏହି ଦିନଟି ଏକ ଅବିସ୍ମରଣୀୟ ଅନୁଭୂତି ଦେଇଛି । ରାଷ୍ଟ୍ରପତି ଭବନ ପରିଦର୍ଶନ, ମହାମହିମ ରାଷ୍ଟ୍ରପତିଙ୍କ ସହ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଭାବ ବିନିମୟ ଏବଂ ନୂଆଦିଲ୍ଲୀର ବିଭିନ୍ନ ଐତିହାସିକ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନର ସୁଯୋଗ ପାଇଥିବାରୁ କଳାକାରମାନେ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସୌର ପାରମ୍ପରିକ ସାଂସ୍କୃତିକ ନାଟ୍ୟ ସଂଘର ଶ୍ରୀ ଜଗନ୍ନାଥ ନାୟକ ଏହି ଅନୁଭୂତିକୁ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ବୋଲି କହିଛନ୍ତି ।
ଏହି ପ୍ରତିନିଧି ଦଳ ସହିତ ଅତିରିକ୍ତ ଉପଜିଲ୍ଲାପାଳ, ଛତ୍ରପୁର ଶ୍ରୀ ପାର୍ଥ ସାରଥୀ ହାଁସଦା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅଦିତି ଆଚାର୍ଯ୍ୟ, ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ।
