August 22, 2026
Home » ଯୁବକର ତଣ୍ଟି କାଟି ହତ୍ୟା

ଯୁବକର ତଣ୍ଟି କାଟି ହତ୍ୟା

0
WhatsApp Image 2026-01-10 at 7.09.48 AM

ପୁରୀ ସ୍ବର୍ଗଦ୍ବାର ନିକଟ ଚୈତନ୍ୟ ଛକରେ ଅଭାବନୀୟ ଘଟଣା। ଜଣେ ଯୁବକର ତଣ୍ଟି କାଟି ହତ୍ୟା କରିଛି ଜଣେ ଯୁବକ। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଭଦ୍ରକ ବନ୍ତ ଥାନା ଅଞ୍ଚଳର ରଞ୍ଜନ କୁମାର ଦାସ। ଗତକାଲି ରଞ୍ଜନ ତାଙ୍କ ସମ୍ପର୍କୀୟଙ୍କ ଶବଦାହ ପାଇଁ ସ୍ବର୍ଗଦ୍ବାର ଆସିଥିଲେ। ଶବଦାହ ସଂସ୍କାର ପାଇଁ ଆବଶ୍ୟକ ଥିବା ଏକ ପଇଡ କିଣିବା ପାଇଁ ରଞ୍ଜନ ସ୍ବର୍ଗଦ୍ବାର ନିକଟ ଚୈତନ୍ୟ ଛକକୁ ଯାଇଥିଲେ। ତାଙ୍କ ସହ ଅନ୍ୟ ସମ୍ପର୍କୀୟ ମାନେ ମଧ୍ୟ ଥିଲେ। ତେବେ ଚୈତନ୍ୟ ଛକରେ ଥିବା ଜଣେ ଯୁବକ ରଞ୍ଜନଙ୍କ ସହ ପାଟିତୁଣ୍ଡ କରି ତାଙ୍କ ବେକରେ ଛୁରୀ ଭୁଷି ଦେଇଥିବାରୁ ଘଟଣାସ୍ଥଳରେ ହିଁ ରଞ୍ଜନ ଙ୍କ ମୃତ୍ୟୁ ଘଟିଥିଲା। ସେହିପରି ତାଙ୍କ ସହିତ ଥିବା ମାନସ ରଞ୍ଜନ ନାୟକ ମଧ୍ୟ ଦୁର୍ବୁତ୍ତ ର ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ସ୍ବର୍ଗଦ୍ବାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଭଳି ହତ୍ୟାକାଣ୍ଡ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁରୀକୁ ଆସୁଥିବା ଯାତ୍ରୀଙ୍କୁ ଦୁର୍ବୁତ୍ତମାନେ ଖୁଲମଖୁଲା ଛୁରୀ ରେ ଆକ୍ରମଣ କରି ହତ୍ୟା କରିବାକୁ ନେଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ଏଭଳି ହତ୍ୟାକାଣ୍ଡ ଘଟଣା ଏବେ ପୁରୀ ସହରରେ ଭୟର ବାତାବରଣ ଖେଳାଇ ଦେଇଛି। ଏହି ହତ୍ୟାକାଣ୍ଡ ଘଟଣା ପରେ ସମୁଦ୍ର କୂଳ ଥାନା ପୋଲିସ ତନାଘନା ଆରମ୍ଭ କରିଥିବା ବେଳେ ଜଣେ ଯୁବକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ସିସିଟିଭି ଫୁଟେଜ କୁ ମଧ୍ୟ ଯାଞ୍ଚ କରୁଛି ପୋଲିସ। ପୁରୀ ସହରରେ ଅପରାଧୀ ଙ୍କ ତାଲିକା କରାଯାଇ ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଏସପି ଙ୍କ ନିର୍ଦ୍ଦେଶ ଥିବାବେଳେ ଏହା ସଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ସେହିପରି ରାତିରେ ପୋଲିସ ପକ୍ଷରୁ ବଡ଼ଦାଣ୍ଡ, ପୁରୀ ବେଳାଭୂମି, ସ୍ବର୍ଗଦ୍ବାର ଅଞ୍ଚଳରେ ଅଧିକ ପୋଲିସ ମୁତୟନ ସହିତ କଡ଼ା ପେଟ୍ରୋଲିଙ୍ଗ କରାଯିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।